ଭୁବନେଶ୍ବର/କୋରାପୁଟ: ମାର୍ଗଶୀର ମାସ ମାଣବସା ଗୁରୁବାରରେ ମା' ଲକ୍ଷ୍ମୀଙ୍କ ପାଖରେ ମାଣ୍ଡିଆ ଭୋଗ ଲଗାଇବା ପାଇଁ ରାଜ୍ୟର ସମସ୍ତ ମାଆମାନଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ବ୍ୟଞ୍ଜନ ପରିବାର ଲୋକଙ୍କୁ ଖୁଆଇବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଲୋକସେବା ଭବନରେ ଆଯୋଜିତ ଶ୍ରୀଅନ୍ନ ଓ ବିସ୍ତୃତ ଖାଦ୍ୟ ସମ୍ମିଳନୀର ଉଦଘାଟନୀ ଉତ୍ସବରେ ଯୋଗଦେଇ ଏହି ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
'ମା ଲକ୍ଷ୍ମୀଙ୍କ ନିକଟରେ ମାଣ୍ଡିଆ ଭୋଗ ଲଗାନ୍ତୁ':
ଲୋକସେବା ଭବନରେ ଆଯୋଜିତ ଶ୍ରୀଅନ୍ନ ଓ ବିସ୍ତୃତ ଖାଦ୍ୟ ସମ୍ମିଳନୀର ଉଦଘାଟନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ‘ଆଉ କିଛି ଦିନ ପରେ ମାଆମାନେ ମାର୍ଗଶୀର ମାସ ପ୍ରଥମ ମାଣବସା ଗୁରୁବାର ପାଳନ କରିବେ । ସମସ୍ତ ମାଆଙ୍କୁ ମୋର ଅନୁରୋଧ, ମାଣ୍ଡିଆକୁ ମା' ଲକ୍ଷ୍ମୀଙ୍କ ପାଖରେ ଭୋଗ ଲାଗି କରିବେ । ଏହାସହ ପରିବାର ସଦସ୍ୟଙ୍କୁ ମାଣ୍ଡିଆରୁ ପ୍ରସ୍ତୁତ ବ୍ୟଞ୍ଜନ ନିଶ୍ଚିନ୍ତ ଭାବରେ ଖୁଆଇବେ । ମୁଁ ଏଥିପାଇଁ ଓଡ଼ିଶାର ମାଆ ଭଉଣୀମାନଙ୍କୁ ଅନୁରୋଧ କରୁଛି । ମାଣ୍ଡିଆର ପ୍ରଚାର ପ୍ରସାର କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ସରକାର ମାଣ୍ଡିଆ ଦିବସ ଭାବରେ ପାଳନ କରୁଛନ୍ତି ।"
'ମାଣ୍ଡିଆର ଚାହିଦା ବୃଦ୍ଧି ନେଇ ଯୋଜନା ହେଉଛି':
ଲୋକସେବା ଭବନ ଠାରେ ଆୟୋଜିତ ପ୍ରଥମ ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ - ୨୦୨୪ ରେ ଯୋଗଦେଲି।
— Mohan Charan Majhi (@MohanMOdisha) November 10, 2024
ପୁଷ୍ଟିଶସ୍ୟ ଏବଂ ଏହାର ଚାଷ ପ୍ରଣାଳୀ ଆମ ଭାରତୀୟ ସଂସ୍କୃତି, ଐତିହ୍ୟ ଏବଂ ସଭ୍ୟତାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵ ଏବଂ ଦୂରଦୃଷ୍ଟି ଦ୍ଵାରା ଏହି ପୃଷ୍ଟି ଶସ୍ୟକୁ… pic.twitter.com/nXGAZQP2gy
ଆଜି ମାଣ୍ଡିଆ ଦିବସ । ସବୁଠି ମାଣ୍ଡିଆର ଚାହିଦା ଵୃଦ୍ଧି ପାଉଛି । ଉତ୍ପାଦନ ସହ ବ୍ୟବସାୟିକ ଦୃଷ୍ଟିକୋଣରୁ ଏହା ଲାଭଦାୟକ । ମିଲେଟ ଚାଷରେ ଓଡିଶା ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଛି । କୋରାପୁଟରେ ମାଣ୍ଡିଆ ଏବଂ ଅନ୍ୟାନ୍ୟ ପୁଷ୍ଟିଶସ୍ୟ ଚାଷ ସାରା ଭାରତବର୍ଷରେ ଉଦାହରଣ ପାଲଟିଛି । ଓଡ଼ିଶାର ୧୭୭ଟି ବ୍ଲକରେ ମାଣ୍ଡିଆ ଚାଷକୁ ସମ୍ପ୍ରସାରଣ କରାଯାଇଛି । ଜାତୀୟ ଫସଲର ଉତ୍ପାଦନ ଏବଂ ବ୍ୟବହାର କରିବାରେ ଭାରତବର୍ଷରେ ଓଡିଶା କିଭଳି ଏକ ମିଲେଟ ହବ ହୋଇପାରିବ ସେ ନେଇ ନୂଆ ସରକାର ଫୋକସ କରୁଛନ୍ତି । ବଜେଟରେ ଅଧିକ ୬୪୯ କୋଟିର ବଜେଟ ବ୍ୟବସ୍ଥା କରାଯାଇଛି । ଯାହା ଦ୍ବାରା ଅଧିକ ଉତ୍ପାଦନ ହୋଇପାରିବ । ଖାଲି ଉତ୍ପାଦନ ନୁହେଁ, ରପ୍ତାନି ପାଇଁ ପ୍ରକ୍ରିୟା ପ୍ରସ୍ତୁତ ହେଉଛି । ଭାରତର ୧୪ ପ୍ରକାର ପୁଷ୍ଟିଶସ୍ୟରୁ ଓଡ଼ିଶାର ମାଣ୍ଡିଆକୁ ମାନ୍ୟତା ମିଳିଛି । ସୁଆଁ, କାନ୍ଦୁ, କୋଦ ମଧ୍ୟ ବହୁଳ ଉତ୍ପାଦନ ହେଉଛି । ମଣ୍ଡିଆରେ କ୍ଷୀର ଠାରୁ ୩ ଗୁଣ ଅଧିକ କ୍ୟାଲସିୟମ ରହିଛି । ମିଲେଟ ତନ୍ତୁଯୁକ୍ତ ଏବଂ ଗ୍ଲୁଟେନ ମୁକ୍ତ ଅଟେ । MSP ବୃଦ୍ଧି କରାଯାଉଛି ଯାହା ପାଇଁ ଚାଷୀ ଆଉ କ୍ଷତି ସହିବ ନାହିଁ।ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅଙ୍ଗନବାଡିରେ ମିଡ ଡେ ମିଲରେ ମାଣ୍ଡିଆ ବ୍ୟବହାର ହେବ । ମାଣ୍ଡିଆ ରାନ୍ଧଣା ଶୈଳୀକୁ ପରିବର୍ତ୍ତନ କରି ଘରେ ଘରେ ପହଞ୍ଚିବାକୁ ପଡିବ ଏବଂ ଫୁଡ଼ ବ୍ଲଗରମାନଙ୍କ ସହାୟତା ନେବାକୁ ପଡିବ । ମାଣ୍ଡିଆ ଚାଷକୁ ଏକ ଆନ୍ଦୋଳନରେ ପ୍ରତିଫଳିତ କରିବାକୁ ପଡିବ ବୋଲି ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ସମ୍ମିଳନୀରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏହା ମଧ୍ୟ ପଢ଼ନ୍ତୁ...ମାଣ୍ଡିଆ ଦିବସରେ ଶ୍ରୀ ଅନ୍ନ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ପଢ଼ନ୍ତୁ...ନିର୍ଣ୍ଣାୟକ ହେବେ ଓଡିଆ ଭୋଟର ! ଝାଡଖଣ୍ଡ ମୁହାଁ ମାଳ ମାଳ ଓଡିଆ ନେତା |
ସଫଳ ଚାଷୀଙ୍କୁ ପୁରସ୍କୃତ:
ମୁଖ୍ୟମନ୍ତ୍ରୀ ଶ୍ରୀଅନ୍ନ ଓ ବିସ୍ତୃତ ଖାଦ୍ୟ ସମ୍ମିଳନୀରେ ମାଣ୍ଡିଆ ଚାଷରେ ସଫଳତା ପାଇଥିବା ଚାଷୀମାନଙ୍କୁ ପୁରସ୍କୃତ କରିଛନ୍ତି ।ସେମାନଙ୍କ ଚାଷର ଶୈଳୀକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୟୂରଭଞ୍ଜର ଜଣେ ଆଦିବାସୀ ମହିଳା ଚାଷୀ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କୁ ମାଣ୍ଡିଆ ଉପହାର ଦେଇଥିଲେ । ମୁଖ୍ୟମନ୍ତ୍ରୀ ଏହାକୁ ଖୁସି ସହକାରେ ନେଇଥିଲେ । ନଭେମ୍ବର ୧୦ ତାରିଖକୁ ଅନ୍ତର୍ଜାତୀୟ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଏ । ସେହି କ୍ରମରେ ଆଜି ଓ ଆସନ୍ତାକାଲି ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଶ୍ରୀଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ ଆୟୋଜନ କରିଛି ରାଜ୍ୟ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ।
କୋରାପୁଟକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବରେ ପୁରସ୍କୃତ:
ସେପଟେ ମିଲେଟସ୍ କଭରେଜ୍, ମିଲେଟ୍ ଉତ୍ପାଦନ ଏବଂ ମାଣ୍ଡିଆ କ୍ରୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଶ୍ରୀଅନ୍ନ ଅଭିଜାନ ଅଧୀନରେ କୋରାପୁଟ ଜିଲ୍ଲାକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବରେ ପୁରସ୍କୃତ କରାଯାଇଛି । ସ୍ଥାୟୀ ତଥା ପୁଷ୍ଟିକର ଖାଦ୍ୟ ଉତ୍ସ ଭାବରେ ମିଲେଟର ପ୍ରଚାରରେ ଜିଲ୍ଲାର ମହତ୍ତ୍ବପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେଇ ମୁଖ୍ୟମନ୍ତ୍ରୀ କୋରାପୁଟ କଲେକ୍ଟର ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହି ସ୍ବୀକୃତି ସ୍ଥାନୀୟ କୃଷକମାନଙ୍କୁ ସହାୟତା କରିବା, କୃଷି ଉତ୍ପାଦନ ବୃଦ୍ଧି ଏବଂ ଉନ୍ନତ ଖାଦ୍ୟ ନିରାପତ୍ତା ପାଇଁ ମାଣ୍ଡିଆ ପରି ପାରମ୍ପାରିକ ଫସଲର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଜିଲ୍ଲାର ପ୍ରତିବଦ୍ଧତାକୁ ଦର୍ଶାଇଛି । ଭୁବନେଶ୍ୱରରେ ଆଜି ଆୟୋଜିତ ଏହି ଉତ୍ସବରେ କୋରାପୁଟ ଜିଲ୍ଲାର ମାଣ୍ଡିଆ ରାଣୀ ଭାବେ ପରିଚିତ କୁନ୍ଦ୍ରା ବ୍ଲକ ଅଞ୍ଚଳର ମହିଳା ଚାଷୀ ରାଇମତି ଘେଉରିଆ ଏବଂ କୋରାପୁଟ ଅଞ୍ଚଳର ପାରମ୍ପରିକ ଧାନ, ମାଣ୍ଡିଆ ଓ ଅନ୍ୟାନ୍ୟ ବିହନ ସଂରକ୍ଷଣ କରି ଜାତୀୟ ସ୍ତରରେ କ୍ଷାତି ଅର୍ଜନ କରିଥିବା ଯୁବ ମିଲେଟ ସଂଗ୍ରାହକ ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତିଙ୍କୁ ମଧ୍ୟ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର ଓ କୋରାପୁଟ