ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ଗ୍ରାମକଣ୍ଟକ ଜମିରେ ସଲାମୀକୁ କମ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 20 ପ୍ରତିଶତ ସଲାମୀ ସ୍ଥାନରେ ମାତ୍ର ଦୁଇ ପ୍ରତିଶତ କରାଯିବା ଓ ସିସ୍ତୁକୁ ପୂର୍ବ ପରି ଧାର୍ଯ୍ୟ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗଞ୍ଜାମ ଚାମ୍ବର ଅଫ୍ କମର୍ସ । ସହରର ଟାଉନ ହଲ ପରିସରରେ ରବିବାର ଚାମ୍ବର ଅଫ୍ କମର୍ସ ଦ୍ବାରା ଗ୍ରାମକଣ୍ଟକ ପରମ୍ବୋକ ଜମି ହସ୍ତାନ୍ତର ସରଳୀକରଣ ସକାଶେ ଏକ କାର୍ଯ୍ୟକ୍ରମରେ ଆୟୋଜନ କରାଯାଇଥିଲା ।
ଦକ୍ଷିଣ ଓଡ଼ିଶାର ଗ୍ରାମକଣ୍ଟକ ଜମି କିଣାବିକାରେ ଘୋର ଅସୁବିଧା ହେଉଥିବା ବେଳେ ପଟ୍ଟା ପାଇବା ପାଇଁ ବାଣିଜ୍ୟିକ ସମ୍ପତ୍ତିକୁ ବେଞ୍ଚ ମାର୍କ ମୂଲ୍ୟର 20 ପ୍ରତିଶତ ସଲାମି ଦେବାକୁ ପଡୁଥିଲା । ସେହି ସଲାମୀକୁ ସରକାର 2 ପ୍ରତିଶତକୁ କମାଇ ଦେଇଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ସଭାରେ ଧନ୍ୟବାଦ ଜଣାଇଥିଲେ ଚାମ୍ବର ଅଫ୍ କମର୍ସ ସଦସ୍ୟ । ଗ୍ରାମକଣ୍ଟକ ଜମିରେ ସଲାମୀକୁ କମ ହେବା ଫଳରେ ବ୍ୟବସାୟୀ ତଥା ସାଧାରଣ ଜନତା ବହୁତ ଉପକୃତ ହେବେ ।
ଏହା ମଧ୍ୟ ପଢନ୍ତୁ-ଗଞ୍ଜାମରେ ଜିଲ୍ଲାପାଳ ଥିବା ସମୟରେ ଜିଲ୍ଲାକୁ ମିଳିଥିଲା ଚାରୋଟି ଜାତୀୟ ପୁରସ୍କାର: ପାଣ୍ଡିଆନ୍
ଚାମ୍ବର ଅଫ କମର୍ସର ସଭାପତି ଇପାରି ଶିବ ପ୍ରସାଦ ରାଓ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଙ୍ଘମିତ୍ରା ଦଳେଇ, ଜିଲ୍ଲା ଯୋଜନା ବୋର୍ଡ଼ର ସଦସ୍ୟ ତୁମ୍ଭନାଥ ପଣ୍ଡା, ବ୍ରହ୍ମପୁର ମହାନଗର ନିଗମର କମିସନର ଜେ. ସୋନାଲ ,ଉପଜିଲ୍ଲାପାଳ ଓ ବ୍ରହ୍ମପୁର ତହସିଲଦାର ଉପସ୍ଥିତ ଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଅନେକ ସମସ୍ୟା ନେଇ ଚାମ୍ବର ଅଫ କମର୍ସର ପୂର୍ବତନ ସଭାପତି ଭି ଭି ଆର ଏନ ରାଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ବହୁ ସ୍ବେଚ୍ଛାସେବୀ ସଂଗଠନ ଓ ବ୍ୟକ୍ତିତ୍ୱ ମଧ୍ୟ ବିଚାରାଳୟର ହସ୍ତକ୍ଷେପ ଲୋଡିଥିଲେ । ଏହି ଅବସରରେ ଉପସ୍ଥିତ ରହିଥିବା ବ୍ରହ୍ମପୁର ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ଗ୍ରାମକଣ୍ଟକ ଜମି ଓ ଲିଜଜମି ସମ୍ୱନ୍ଧରେ ଉପୁଜୁଥିବା ବିଭିନ୍ନ ସମସ୍ୟା ଓ ତାର ସମାଧାନ ନେଇ ଆଲୋଚନା ହୋଇଥିଲା ।
ଏନେଇ ବିଧାୟକ ବିକ୍ରମ କୁମାର ପଣ୍ଡା କହିଛନ୍ତି ଯେ, ଗ୍ରାମକଣ୍ଟକ ଜମି ଦୀର୍ଘ ଦିନର ସମସ୍ୟା ରହିଥିଲା । ଏହାକୁ ଯେଉଁ ସରଳୀକରଣ କରାଯାଇଛି ଏଥି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚାମ୍ବର ଅଫ୍ କମର୍ସ ତରଫରୁ ଧନ୍ୟବାଦ ଜଣାଯାଇଛି । ମୁଁ ମଧ୍ୟ ଦକ୍ଷିଣ ଓଡିଶାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ଗ୍ରାମକଣ୍ଟକ ଜମି ହସ୍ତାନ୍ତର ଯୋଗ୍ୟ ମଧ୍ୟ ହୋଇପାରିଛି। ଏଥିରେ ଦକ୍ଷିଣ ଓଡିଶାବାସୀ ଉପକୃତହେବେ।
ଇଟିଭି ଭାରତ,ବ୍ରହ୍ମପୁର