ବ୍ରହ୍ମପୁର: କୋରୋନା ଓ ଲଗାଣ ବର୍ଷା ପରେ ଦାଉ ସାଜିଛି ଚକଡା ପୋକ । କୋରୋନା କାଳରେ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଚକଡା ପୋକ ବର୍ତ୍ତମାନ ଜମିରେ ସର୍ବନାଶ କରିବା ଆରମ୍ଭ କରିଛି । ଗଞ୍ଜାମ ଜିଲ୍ଲାର 4 ହଜାରରୁ ଊର୍ଦ୍ଧ୍ବ ହେକ୍ଟର ଚାଷ ଜମିରେ ଚକଡା ଭୟ । ଗତ 4ଦିନ ହେଲା ଚକଡା ଧାନ ଗଛ ମୂଳେ ଲାଗି ରହିଥିବା ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ ନ କଲେ ନଷ୍ଟ ହୋଇଯିବ ଏକର ଏକର ଜମି ।
ଗତ 4 ଦିନ ମଧ୍ୟରେ ସାନ ରାମଚନ୍ଦ୍ରପୁର, ସୁବଳୟା, ରାମଗଡ, ଜେଆରଜିପୁର, ଖଣ୍ଡଦେଉଳି, ପାଲଙ୍ଗ ଓ ପୋଇରାଶି ପଞ୍ଚାୟତରେ ଚକଡା ପୋକ ଦେଖିବାକୁ ମିଳିଛି । ମୁଖ୍ୟତଃ ଗଞ୍ଜାମ ବ୍ଲକର ସର୍ବମୋଟ ୧୨ ହଜାର ୬୦୦ ହେକ୍ଟର ଜମିରୁ ୪ ହଜାର ୯୨୦ ହେକ୍ଟର ଜମିରେ ସାଧାରଣତଃ ଧାନ ଚାଷ ହୋଇଥାଏ ।
ଚଳିତ ବର୍ଷ ବର୍ଷାରେ ବିଳମ୍ବ କାରଣରୁ ଧାନ ରୁଆ କାର୍ଯ୍ୟରେ ମଧ୍ୟ ବିଳମ୍ବ ହୋଇଥିଲା । ଉପରମୁଣ୍ଡରେ ବର୍ଷା ଓ ଲଘୁଚାପ କାରଣରୁ ବହୁ କଷ୍ଟରେ ଚାଷୀ ରୁଆ କାମ ସାରିଥିଲେ । ଅନ୍ୟପକ୍ଷେ ପ୍ରଥମ ପର୍ଯ୍ୟାୟ ତଳି ପୋଡିଯିବା କାରଣରୁ ଚଢାଦରରେ ଚାଷୀ ତଳି କିଣିଥିଲେ । ସେପଟେ ଚକଡା ପ୍ରତିକାର ପାଇଁ ସରକାର କୌଣସି କୀଟନାଶକ ଯୋଗାଇ ଦେଇନଥିବାରୁ ଚାଷୀ ବାଲିରେ କିରୋସିନ୍ ଢାଳି ଚାଷ ଜମିରେ ପକାଉଛନ୍ତି ନଚେତ୍ ଅଧିକ ଦାମରେ କୀଟନାଶକ କିଣୁଛନ୍ତି ।
ତେବେ ଏ ମଧ୍ୟରେ ସ୍ଥାନୀୟ ବ୍ଲକ କୃଷି ଅଧିକାରୀ ଓ ବିଡିଓଙ୍କ ଧ୍ୟାନ ଆକର୍ଷଣ ପରେ ଜମିକୁ ଅନୁଧ୍ୟାନ କରାଯାଇଛି । ସେପଟେ ଗଞ୍ଜାମ ଜିଲ୍ଲାପାଳଙ୍କ କହିବା କଥା ଗତ ବର୍ଷ ମଧ୍ୟ ଏଭଳି ସ୍ଥିତି ଦେଖାଯାଇଥିଲା । ତେଣୁ ଏଥିପ୍ରତି ଦୃଷ୍ଟି ଦିଆଯିବାକୁ କୃଷି ବିଭାଗ କାର୍ଯ୍ୟ କରୁଥିବାବେଳେ ଏଥିପାଇଁ ପ୍ରଶାସନ ପଦକ୍ଷେପ ନେବେ ବୋଲି କହିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ