ବ୍ରହ୍ମପୁର: ଆଗାମୀ ଦିନରେ ତୃତୀୟ ଲହର ଆସିବା ସମ୍ଭାବନା ରହିଥିବାରୁ ଗଞ୍ଜାମ ଜିଲ୍ଲାରେ ତାହାର ପ୍ରତିକାର ସକାଶେ ସତର୍କତା ଜରୁରୀ ବୋଲି ମତବ୍ୟକ୍ତ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାର ସମସ୍ତ ଉପ-ଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ସମେତ ଜିଲ୍ଲାର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ସତର୍କତା ଅବଲମ୍ବନ କରିବା ନେଇ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।
କୋରୋନ ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ନେଇ ପୂର୍ବରୁ ପାଳନ କରାଯାଇଥିବା ସମସ୍ତ ସରକାରୀ ନିୟମରେ ବର୍ତ୍ତମାନ ଢିଲା ହେଉଥିବା ପରିଲକ୍ଷିତ ହେଉଛି । ଏଣୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ଜିଲ୍ଲାପାଳ କହିଛନ୍ତି, ଯଦି କେହି ସରକାରୀ କର୍ମଚାରୀ କୋଭିଡରେ ଆକ୍ରାନ୍ତ ହୁଅନ୍ତି ତେବେ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ଉତ୍ତରଦାୟୀ କରାଯିବ । ବର୍ତ୍ତମାନ ବଜାର ମାନଙ୍କରେ ପୂର୍ବପରି ଜନସାଧାରଣଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ, ମାସ୍କର ସଠିକ ବ୍ୟବହାର, ହାତ ଧୋଇବା ଇତ୍ୟାଦି କଡାକଡି କରାଯିବ । ଜନ ସଚେତନତା ସହିତ ଚଢ଼ାଉ କାର୍ଯ୍ୟକ୍ରମ ବ୍ୟାପକ କରିବାକୁ କୁହାଯାଇଛି । ନିୟମର ଅନୁପାଳନ ଖିଲାପ କରୁଥିବା ବ୍ୟକ୍ତି ବିଶେଷଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସରକାରୀ ସ୍ତରରେ କଟକଣାକୁ କୋହଳ କରାଯାଇଛି । କିନ୍ତୁ, ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ପ୍ରତିଦିନ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ଏକ ଅଙ୍କ ବିଶିଷ୍ଟ ରହୁଛି । ସମ୍ଭାବ୍ୟ ତୃତୀୟ ଲହରକୁ ରୋକିବା ନେଇ ସତର୍କତା ଏବଂ କୋଭିଡ୍ ନିୟମର ଅନୁପାଳନ କଡାକଡି ପାଳନ କରିବା ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ତୃତୀୟ ଲହର ସଂକ୍ରମିତ ହେଲେ ଜନଜୀବନ ସାଙ୍ଗକୁ ଜିଲ୍ଲାରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ଗୁଡିକ ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହେବ । ଏହି ତୃତୀୟ ଲହରରୁ ବର୍ତ୍ତିବା ସକାଶେ ସାମୂହିକ ଭାବେ ପ୍ରୟାସ କରିବା ଜରୁରୀ ହୋଇପଡିଛି । ତୃଣମୂଳ ସ୍ତରରୁ କୋଭିଡ୍ ନିୟମ ଅନୁପାଳନ କରିବା ଆବଶ୍ୟକ ।
ପୂର୍ବ ପରି ସମସ୍ତ ଲୋକ ପ୍ରତିନିଧି କୋଭିଡ୍ ମନିଟର୍ ତଥା ସଂପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ବୈଠକ କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ କହିଛନ୍ତି । ଯେଉଁ ସ୍ଥାନରେ ସଂକ୍ରମିତ ହେଉଛନ୍ତି ତାହାର ତଥ୍ୟକୁ ଆଧାର କରି ଗୁରୁତ୍ତର ସହକାରେ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ନିର୍ଦ୍ଧେଶ ଦେଇଛନ୍ତି । ପ୍ରସିଦ୍ଧ ମା’ ତାରାତାରିଣୀଙ୍କ ପୀଠ ସ୍ଥଳୀରେ ଉନ୍ନୟନ କାର୍ଯ୍ୟ ଜାରି ରହିଛି । ଏଣୁ ଏପରି ସମୟରେ ମା’ଙ୍କ ଦର୍ଶନ ନିମନ୍ତେ ଭକ୍ତଗଣ ଉକ୍ତ ପୀଠକୁ ଯିବା ସମୟରେ ଉନ୍ନୟନ କାର୍ଯ୍ୟ ବାଧା ସହିତ ଦୁର୍ଘଟଣା ମଧ୍ୟ ଘଟିପାରେ । ଏଣୁ ତାରାତାରିଣୀଙ୍କ ଦର୍ଶନକୁ ନଯିବା ପାଇଁ ଜନ ସାଧାରଣଙ୍କ ସହଯୋଗ କାମନା କରାଯାଇଛି ।
ଜିଲ୍ଲାର ଅନ୍ୟ ସମସ୍ତ ମନ୍ଦିର ଗୁଡିକ ଖୋଲା ଯାଇଛି । ଯଦି ସମ୍ପୃକ୍ତ ମନ୍ଦିର ଗୁଡିକରେ କୋଭିଡ୍ ନିୟମ ଅନୁପାଳନ ହେଉନଥିବା ପରିଲକ୍ଷିତ ହୁଏ ତେବେ ସାତ ଦିନ ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଦୋକାନୀ ମାନେ ମାସ୍କ ପରିଧାନ, ସାନିଟାଇଜର ବ୍ୟବହାର, ଅକ୍ସିମିଟର ରଖି ଖାଉଟି ମାନଙ୍କର ଅକ୍ସିଜେନ ସ୍ତର ଯାଞ୍ଚ ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ନଚେତ୍ ଉକ୍ତ ଦୋକାନ ଗୁଡିକୁ ମଧ୍ୟ ପାଞ୍ଚ ଦିନ ସକାଶେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବିଡିଓ, ତହସିଲଦାର, ଥାନାଧିକାରୀ ନିଜ ନିଜର ସ୍ତରରେ ବୈଠକ କରି ସଚେତନତା ଓ ଚଢାଉ କାର୍ଯ୍ୟକୁ ତ୍ୱରାନ୍ଵିତ କରିବାକୁ କୁହାଯାଇଛି । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତାଙ୍କ ସ୍ତରର ବୈଠକରେ ଭ୍ୟାକସିନ୍ ଯାଞ୍ଚ କାର୍ଯ୍ୟ, ଚିକିତ୍ସା, ଟୀକାକରଣ ଏବଂ ଉପଯୁକ୍ତ କୋଭିଡ୍ ନିୟମ ଆଚରଣ ଅନୁକରଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ମାସ୍କର ସଠିକ୍ ବ୍ୟବହାର, ନିଜକୁ ଏବଂ ଅନ୍ୟ ମାନଙ୍କୁ ସୁରକ୍ଷିତ ରଖିବ । ଏଣୁ, ଏହାର ଗୁରୁତ୍ଵ ଉପଲବ୍ଧି କରି ସମସ୍ତ ଜନସାଧାରଣ ଏବଂ କାର୍ଯ୍ୟାଳୟର କର୍ମଚାରୀ ଅଭ୍ୟାସ ଦିଗରେ ଯତ୍ନବାନ ହେବାକୁ କୁହାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ