ବ୍ରହ୍ମପୁର: ବ୍ରହ୍ମପୁରର ବିଭିନ୍ନ ୱାର୍ଡରେ ସୀମା ବିବାଦ । ସମାଧାନ ପାଇଁ ନିଗମ ବୈଠକରେ ଧାରଣାରେ ବସିଲେ ମହିଳା କର୍ପୋରେଟର । ବାରମ୍ବାର ଅଭିଯୋଗ ସତ୍ତ୍ବେ ସମସ୍ୟାର ସମାଧାନ ହେଉନଥିବା ଅଭିଯୋଗରେ ଧାରଣାରେ ବସିଥିଲେ ୩୭ ନମ୍ୱର ୱାର୍ଡର କର୍ପୋରେଟର ବନୀତା ସାହୁ । ତେବେ ମେୟର ସଙ୍ଘମିତ୍ରା ଦଳେଇ, ବ୍ରହ୍ମପୁରର ବିଧାୟକ ଓ ସାଂସଦ ଆସି ମହିଳା କର୍ପୋରେଟରଙ୍କୁ ବୁଝାସୁଝା କରିବା ସହିତ ନିଜେ ମେୟର ଏହାର ସମାଧାନ ପାଇଁ ସୀମା ବିବାଦୀୟ ଅଞ୍ଚଳକୁ ଯିବେ ଏବଂ ଏହାର ସମାଧାନ ହେବ ବୋଲି ପ୍ରତିଶୃତି ଦେବା ପରେ ଧାରଣାରୁ ଓହରିଥିଲେ ୩୭ ନମ୍ୱର ୱାର୍ଡର କର୍ପୋରେଟର ।
ଏହାମଧ୍ୟ ପଢନ୍ତୁ..ରେଭେନ୍ସାରେ ନାମ ଲେଖାରେ ଅନିୟମିତତା ଅଭିଯୋଗ, କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଙ୍କ ଧାରଣା
ବ୍ରହ୍ମପୁର ମହାନଗର ନିଗମର ବିଭିନ୍ନ ୱାର୍ଡରେ ଲାଗି ରହିଛି ସୀମା ବିବାଦ । ଗତ ପୌର ନିର୍ବାଚନରେ ବିଭିନ୍ନ ୱାର୍ଡରେ ନିର୍ବାଚିତ ହୋଇଥିବା କର୍ପୋରେଟର ମାନେ ଗୋଟିଏ ୱାର୍ଡର ସୀମାରେ ଲାଗି ରହିଥିବା ଅନ୍ୟ ଏକ ୱାର୍ଡକୁ ଆସି ସେଠାକାର ସାଧାରଣ ଜନତାଙ୍କ ସହିତ ସାମିଲ ହେବା, ସେମାନଙ୍କ ୱାର୍ଡରେ ନଥିଲେ ମଧ୍ୟ ଜୋରଜବରଦସ୍ତ ଆସି ସେଠାରେ ଉନ୍ନୟନମୂଳକ କାର୍ଯ୍ୟ କରି ଆସୁଥିବା ଭଳି ଅନେକ ଅଭିଯୋଗ କରାଯିବା ପରେ ଶେଷରେ ଏହାର ସମାଧାନ ହେଉନଥିବା ନେଇ ଅଭିଯୋଗ କରି ନିଗମର ବୈଠକରେ ଧାରଣାରେ ବସିଲେ ବ୍ରହ୍ମପୁରର ଜଣେ ମହିଳା କର୍ପୋରେଟର ।
ତେବେ ୩୭ ନମ୍ୱର ୱାର୍ଡର କର୍ପୋରେଟର ବନୀତା ସାହୁଙ୍କ ଅଭିଯୋଗ ଅନୁଯାୟୀ, ବିଜେପି ଦଳର କର୍ପୋରେଟର ଭାବରେ ନିର୍ବାଚିତ ହେବା ପରଠାରୁ ତାଙ୍କ ୱାର୍ଡରେ ଏହିଭଳି ବିବାଦ ଲାଗିରହିଛି । ୩୮ ନମ୍ୱର କର୍ପୋରେଟର ତାଙ୍କ ୱାର୍ଡରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର କାର୍ଯ୍ୟ କରୁଛନ୍ତି । ଏନେଇ ବ୍ରହ୍ମପୁର ମହାନଗର ନିଗମର ବୈଠକଠାରୁ ଆରମ୍ଭ କରି ୱାର୍ଡର ସୀମା ବିବାଦକୁ ନେଇ ରହିଥିବା କମିଟି ନିକଟରେ ଲିଖିତ ଅଭିଯୋଗ ପରେ ମଧ୍ୟ ଏହାର ସମାଧାନ ହୋଇପାରିନାହିଁ । ଯେଉଁଥିପାଇଁ ସେ ବାଧ୍ୟ ହୋଇ ଧାରଣାରେ ବସିଥିବା କହିଛନ୍ତି ।
ଏହାମଧ୍ୟ ପଢନ୍ତୁ..ଶିକ୍ଷୟିତ୍ରୀଙ୍କ ବଦଳିକୁ ବିରୋଧ, ବିଦ୍ୟାଳୟ ଆଗରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା
ତେବେ ମହାନିଗମର ନିଗମ ବୈଠକରେ ଏହି ସୀମା ବିବାଦକୁ ନେଇ ନିଗମର ମେୟର ଓ କମିଶନରଙ୍କ ସମେତ ଉପସ୍ଥିତ ରହିଥି୍ବା ବ୍ରହ୍ମପୁରର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା ପ୍ରମୁଖ ଏହି ବିଷୟକୁ ନେଇ ଆଲୋଚନା କରିଥିଲେ । ତେବେ ଗତ ପୌର ନିର୍ବାଚନ ସମୟରେ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ହୋଇଥିବା ସୀମା ନିର୍ଦ୍ଧାରଣରେ ଅନୁଯାୟୀ କର୍ପୋରେଟରମାନେ କାର୍ଯ୍ୟ କରିବାକୁ ବିଧାୟକ ବିକ୍ରମ କୁମାର ପଣ୍ଡା କହିଥିଲେ । କମିଶନର ଜେ.ସୋନାଲ ମଧ୍ୟ ଅଭିଯୋଗକାରୀ କର୍ପୋରେଟରଙ୍କୁ ସେହି ଅଞ୍ଚଳର ଭୋଟର ତାଲିକା ପ୍ରଦାନ କରିବାକୁ କହିଥିଲେ ।
ହେଲେ ବାରମ୍ୱାର ଏହି ତାଲିକା ପ୍ରଦାନ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉନଥିବା ଅଭିଯୋଗ ଆଣିବା ସହ ତୁରନ୍ତ ସମାଧାନ ଦାବି କରି ଧାରଣାରେ ବସିଥିଲେ ବନୀତା ସାହୁ । ପରେ ମେୟର ସଂଙ୍ଘମିତ୍ରା ଦଳେଇ, ବ୍ରହ୍ମପୁରର ବିଧାୟକ ଓ ସାଂସଦ ଆସି ମହିଳା କର୍ପୋରେଟରଙ୍କୁ ବୁଝାସୁଝା କରିବା ସହିତ ନିଜେ ମେୟର ଏହାର ସମାଧାନ ପାଇଁ ସୀମା ବିବାଦୀୟ ଅଞ୍ଚଳକୁ ଯିବେ ଏବଂ ଏହାର ସମାଧାନ ହେବ ବୋଲି ପ୍ରତିଶୃତି ଦେବା ପରେ ଧାରଣାରୁ ଓହରିଥିଲେ ୩୭ ନମ୍ୱର ୱାର୍ଡର କର୍ପୋରେଟର ।
ବ୍ରହ୍ମପୁର, ଇଟିଭି ଭାରତ