ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତକୁ ବିରୋଧ କରି ପ୍ରଦର୍ଶନ କରିଛନ୍ତି ବିରୋଧୀ । ବିରୋଧ ପ୍ରଦର୍ଶନ କରି ବିଜେପି ଓ କଂଗ୍ରେସର ବହୁ କର୍ମକର୍ତ୍ତାଙ୍କୁ ଅଟକ ରଖିଛି ପୋଲିସ ।
ବିଜେପି ପକ୍ଷରୁ ସହରର ଗାନ୍ଧୀ ନଗର ଛକରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସହରର ଜାନିବିଲି ପ୍ରକଳ୍ପ ଉଦଘାଟନ କରାଯିବା ବେଳେ ବିରୋଧ ପ୍ରଦର୍ଶନ କରାଯାଇଛି । ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରିନଥିବା ଅଭିଯୋଗ କରି ମୁହଁରେ କଳାପଟି ବାନ୍ଧି ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେପି କର୍ମୀ । ଏହାସହ ଶହ ଶହ ବିଜେପି କର୍ମୀ ବିଭିନ୍ନ ପ୍ରସଙ୍ଗ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଥିଲେ । ତେବେ ପୋଲିସ ବିଜେପି କର୍ମୀଙ୍କୁ ଘଉଡାଇବା ସହ କର୍ମୀଙ୍କୁ ଅଟକ ରଖିଛି ।
ଏହି ବିରୋଧ ପ୍ରଦର୍ଶନରେ ଜିଲ୍ଲା ବିଜେପି ସଭାପତି କାହ୍ନୁଚରଣ ପତିଙ୍କ ସମେତ ଉପସ୍ଥିତ କର୍ମକର୍ତ୍ତାମାନଙ୍କୁ ପୋଲିସ ଉଠାଇ ନେଇଛି । ଅନ୍ୟପଟେ ବିଜେପି ନେତା ରାମ କୁମାର ପାତ୍ରଙ୍କ ସମେତ ତାଙ୍କ ସମର୍ଥକଙ୍କୁ ସ୍ଥାନୀୟ ରେଳ ଷ୍ଟେସନରେ ଏକ କାର୍ଯ୍ୟକ୍ରମରୁ ପୋଲିସ ଅଟକ ରଖିଥିଲା । ସେହିପରି କଂଗ୍ରେସର କିଛି କର୍ମକର୍ତ୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଅଟକ ରଖାଯାଇଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ