ବ୍ରହ୍ମପୁର: ରାଜ୍ୟରେ ଏବେ ସବୁଠି 5Tକୁ ନେଇ ଚର୍ଚ୍ଚା ହେଉଛି । ଆଉ ଏଭଳି ସମୟରେ ବ୍ରହ୍ମପୁର ସହରରେ ଆୟୋଜିତ ହୋଇଥିବା ମହିଳା ଉଦ୍ୟୋଗୀ ସମାବେଶରେ 5Mର ବାର୍ତ୍ତା ଦେଇଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଏଥିରେ ପ୍ରଥମ ଏମ୍ ଭାବରେ ବିଧାୟକ ନିଜର ବକ୍ତବ୍ୟ ମାଆ, ଦ୍ବିତୀୟ ଏମ୍ରେ ମାଟି, ତୃତୀୟ ଏମ୍କୁ ମାତୃଭାଷା ଏବଂ ଚତୁର୍ଥ ଏମ୍କୁ ବର୍ତ୍ତମାନର ସ୍ମାର୍ଟ ମୋବାଇଲ ଭାବରେ ସମସ୍ତେ ନିଜ ଜୀବନରେ ଉପଯୋଗ କରିବା କଥା କହିଛନ୍ତି । ଶେଷ ଏମ୍ ଭାବରେ ପ୍ରତ୍ୟେକ ପରିବାର ଯେପରି ମଦ ପରିତ୍ୟାଗ କରିବେ ସେ ନେଇ ସମସ୍ତେ ସଂକଳ୍ପ ନେବା ପାଇଁ ଆହ୍ବାନ ଦେଇଛନ୍ତି ବିଜେଡି ବିଧାୟକ ।
ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି, "ପ୍ରତ୍ୟେକ ପରିବାରରେ ମହିଳାମାନେ ମାଆ, ଭଉଣୀ, ପତ୍ନୀ ଓ ଭାଉଜ ରୂପ ନେଇ ମଦ କୌଣସି ସଦସ୍ୟଙ୍କ ମଦ ପିଇବାକୁ ପ୍ରଶୟ ଦିଅନ୍ତୁ ନାହିଁ । ପ୍ରତ୍ୟେକ ପରିବାରର କିଭଳି ଆର୍ଥିକ ସ୍ଥିତି ସୁଦୃଢ଼ ହୋଇ ପାରିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।" ବ୍ରହ୍ମପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି ଉଦବୋଧନ ଦେଇଛନ୍ତି ସୌମ୍ୟ ରଞ୍ଜନ । ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଯୋଗ ଦେଇଥିଲେ । ସେହିପରି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ମେୟର ସଂଙ୍ଘମିତ୍ରା ଦଳେଇ ପ୍ରମୁଖ ଯୋଗ ଦେଇଥିଲେ ।