ବ୍ରହ୍ମପୁର: ପାଞ୍ଚ ଦଫା ଦାବି ନେଇ କଳାବ୍ୟାଜ ପରିଧାନ କରି ଆନ୍ଦୋଳନକୁ ଓଲ୍ଲାଇଲା ପ୍ରାଣୀ ଚିକିତ୍ସା ବୈଷୟିକ ସଙ୍ଘ । ସରକାର ବାରମ୍ବାର ଅଣଗେଜେଟେଡ ପ୍ରାଣୀ ଚିକିତ୍ସକଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଆସିଛି । ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲେ ମଧ୍ୟ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛି ପ୍ରାଣୀ ଚିକିତ୍ସା ବୈଷୟିକ ସଙ୍ଘ । ଏହାକୁ ନେଇ ବ୍ରହ୍ମପୁରଠାରେ ସଙ୍ଘର ଗଞ୍ଜାମ ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ମିଶ୍ରଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ କଳାବ୍ୟାଜ୍ ପରିଧାନ କରି ବିକ୍ଷୋଭ କରିଛନ୍ତି । ଏହାସହ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କ ଜରିଆରେ ସରକାରଙ୍କୁ ପାଞ୍ଚ ଦଫା ଦାବି ଜଣାଇଛନ୍ତି ।
ସଭାପତି ପ୍ରଶାନ୍ତ କୁମାର ମିଶ୍ର କହିଛନ୍ତି, ‘‘ଦରମା ବୃଦ୍ଧିକୁ ନେଇ ପ୍ରାଣୀ ଚିକିତ୍ସା ବୈଷୟିକ ସଙ୍ଘ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦୀର୍ଘ ବର୍ଷ ଧରି ଦାବି କରାଯାଉଛି । ଏହାସହ ଅସଙ୍ଗତି ଦୂରୀକରଣ କରିବା କ୍ୟାଡର ପୁର୍ନଗଠନ କରିବା, ନିଯୁକ୍ତି ନିୟମ ସଂଶୋଧନ କରିବା, ଦୁଇ ବର୍ଷୀୟା ଡିପ୍ଲୋମା ଓ ତାର ନାମକରଣ କରିବା, କାର୍ଯ୍ୟସାରଣୀର ସଂଶୋଧନ କରିବା ଭଳି ଦାବିକୁ କରାଯାଇଛି । ରାଜ୍ୟର ଛଅ ହଜାରରୁ ଅଧିକ ଗ୍ରାମପଞ୍ଚାୟତ ଏବଂ ସହରାଞ୍ଚଳରେ ତୃଣମୂଳସ୍ତରରେ କାର୍ଯ୍ୟରତ ରହି ପ୍ରାଣୀ ସମ୍ପଦର ସୁରକ୍ଷା ଦିଗରେ କାର୍ଯ୍ୟ କରୁଛନ୍ତି । ସରକାରଙ୍କ ପ୍ରତ୍ୟେକ ଯୋଜନାର ସଫଳ ରୂପାୟନ କରି ଆସୁଛନ୍ତି । ହେଲେ ମଧ୍ୟ ଅଦ୍ୟାବଧି ସରକାର ଆମମାନଙ୍କ ଦାବିକୁ ଗୁରୁତ୍ବ ଦେଉ ନାହାନ୍ତି । ନା ଦରମାରେ ବୃଦ୍ଧି ଘଟୁଛି ନା ଗ୍ରେଡ୍ରେ । ଚରମ ଅବହେଳାର ଶୀକାର ହେବାକୁ ପଡୁଛି ।’’
ରାଜ୍ୟବାସୀଙ୍କ ପ୍ରାଣୀ ବିକାଶ ତଥା ସୁରକ୍ଷା ନିମନ୍ତେ ଉନ୍ନତ ଜ୍ଞାନକୌଶଳର ଆବଶ୍ୟକତା ଏବଂ ଆଧୁନିକତା ଚିକିତ୍ସା ପଦ୍ଧତିର ପ୍ରୟୋଗକୁ ହୃଦବୋଧ କରିଛନ୍ତି । ହେଲେ ପ୍ରାଣୀଧନ ନିରୀକ୍ଷକ ପଦବୀରେ ଯୋଗ ଦେବା ପାଇଁ ଯୁକ୍ତ ଦୁଇ ବିଜ୍ଞାନ ଯୋଗ୍ୟତା ଥାଇ ଦୁଇ ବର୍ଷୀୟା ଡିପ୍ଲୋମା ତାଲିମର ବ୍ୟବସ୍ଥା ୨୦୧୫ ମସିହାରୁ ପ୍ରଚଳିତ କରିଥିଲେ । ଅଜି ପର୍ଯ୍ୟାୟରେ ଡିପ୍ଲୋମାକୁ ସରକାର ଦୃଷ୍ଟିଗୋଚର ଦେଉନାହାନ୍ତି । ଏପରିକି ପୂର୍ବରୁ ୨୦୧୮ ମସିହା ଫେବୃଆରୀ ମାସର କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ଧାରଣା ଦିଆଯାଇଥିଲା । ପରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଓ ଚାରି ମାସ ମଧ୍ୟରେ ଦାବି ପୂରଣର ଲିଖିତ ପ୍ରତିଶୃତି ଦେଇଥିଲେ । ହେଲେ ଇତି ମଧ୍ୟରେ ଦୀର୍ଘ ପାଞ୍ଚ ବର୍ଷ ବିତାଯାଇଥିଲେ ମଧ୍ୟ ନିରାଶ ହେବାକୁ ପଡିଛି ବୋଲି ସଂଘ ପକ୍ଷରୁ କୁହାଯାଇଛି ।
କାର୍ଯ୍ୟସାରଣୀ ଅନୁଯାୟୀ ନିଜର କର୍ତ୍ତବ୍ୟ କରିବା ସହିତ ଏହାପରେ ଯଦି ସରକାର କୌଣସି ଯଦି ଦାବି ପୂରଣ ପାଇଁ ଦୃଷ୍ଟି ନଦିଅନ୍ତି ତେବେ ସମସ୍ତ କର୍ମଚାରୀମାନେ ସାମୁହିକ ଭାବରେ ଇସ୍ତଫା ଦେବା ପାଇଁ ବାଧ୍ୟ ହେବେ । ଆଗାମୀ ଦିନରେ ବଡ଼ ଆକାରରେ ଏକ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଇଟିଭି ଭାରତ, ବ୍ରହ୍ମପୁର