ବ୍ରହ୍ମପୁର: ପୁଣିଥରେ କୁହୁଳିଲା ବ୍ରହ୍ମପୁର ସହରର ବହୁ ଚର୍ଚ୍ଚିତ ତପସ୍ୱିନୀ–ସୁମିତ ବିବାଦ । ଦୀର୍ଘ ଏକ ବର୍ଷ ପରେ ଏହି ବିବାଦ ଏକ ରୋଚକ ମୋଡ ନେଇଛି । ବ୍ରହ୍ମାନଗର ଦ୍ବିତୀୟ ଲାଇନରେ ଶ୍ବଶୁର ଘର ଉପର ମହଲାରେ ରହୁଥିବା ତପସ୍ବିନୀ ଦାଶଙ୍କ ଘରର ବିଦ୍ୟୁତ ବିଚ୍ଛିନ୍ନ କରାଯାଇଥିବା ନେଇ ସେ ଅଭିଯୋଗ ଆଣିଛନ୍ତି ।
ସୂଚନାଅନୁସାରେ, ତପସ୍ଵିନୀ ଗତ କିଛି ମାସ ଧରି ଶ୍ୱଶୁର ଘର ଉପର ମହଲାରେ ରହି ଆସୁଛନ୍ତି । ଘର ଉପରେ ରହିବା ନେଇ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତପସ୍ଵିନୀ ଗତ କିଛି ମାସ ହେଲା ଓଡ଼ିଶା ପ୍ରଶାସନିକ ସେବା ପାଇଁ ପାଠ ପଢ଼ୁଛନ୍ତି । ତେବେ ଗତ ୪ ଦିନ ହେବ ଶ୍ବଶୁର ଘର ଲୋକେ ବିଦ୍ୟୁତ ବିଚ୍ଛିନ୍ନ କରିଦେଇଥିବା ନେଇ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କୁ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗ କରିବା ସମୟରେ ତାଙ୍କ ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ଏବଂ ତାଙ୍କ ମାଆ ଉପସ୍ଥିତ ରହିଥିଲେ ।
ବିଦ୍ୟୁତ୍ ସରବରାହ ବନ୍ଦ ରହିଥିବା ଯୋଗୁଁ ପାଠ ପଢିବା ସହ ଅନ୍ୟାନ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ତପସ୍ଵିନୀ କହିଛନ୍ତି । ତପସ୍ଵିନୀ ଅଭିଯୋଗ କରି କହିଛନ୍ତି, " ବାରମ୍ବାର ଶଶୁର ଘର ଲୋକଙ୍କୁ ବିଦ୍ୟୁତ୍ ସରବରାହ ସଂଯୋଗ କରିବା ନେଇ କହୁଥିଲେ ସୁଦ୍ଧା ସେମାନେ ଶୁଣୁନାହାନ୍ତି । ମୋତେ ବହୁତ ହଇରାଣ ହରକତ କରିବା ସହ ଗାଳିଗୁଲଜ କରୁଛନ୍ତି । ମୁଁ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପାଠ ପଢୁଛି । ମୋର ଫେବୃଆରୀ ଏବଂ ମେ ମାସରେ ଦୁଇଟି ପରୀକ୍ଷା ରହିଛି ତେଣୁ ମୁଁ ପାଠ ପଢୁଛି । କିନ୍ତୁ ଗତ ୪ ଦିନ ହେବ ଶ୍ବଶୁରଘର ଲୋକ ମୁଁ ରହୁଥିବା ଘରର ବିଦ୍ୟୁତ୍ କାଟି ଦେଇଛନ୍ତି । ତେଣୁ ମୁଁ ପାଠ ପଢିପାରୁନାହିଁ । ଏନେଇ ମୁଁ ବୈଦ୍ୟନାଥପୁର ଥାନା ଆଇଆଇସିଙ୍କୁ ଅଭିଯୋଗ କରିବା ସତ୍ତ୍ବେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ତେଣୁ ମୁଁ ଏସପିଙ୍କ ପାଖକୁ ଅଭିଯୋଗ କରିବା ପାଇଁ ଆସିଛି । "
ଏହା ମଧ୍ୟ ପଢନ୍ତୁ: Tapaswini-Sumit Marital Discord: ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ପୁଣି ହେବ ଆଲୋଚନା
ଅନ୍ୟପଟେ ଅଭିଯୋଗ ପାଇବା ପରେ ବିଦ୍ୟୁତ୍ ସରବରାହ ବନ୍ଦ ନେଇ ସୁମିତଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରାଯିବ । କିଭଳି ଖୁବଶିଘ୍ର ତପସ୍ଵିନୀଙ୍କ ଘରେ ବିଦ୍ୟୁତ୍ ସରବରାହ ସଂଯୋଗ କରାଯିବ ସେ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ।
ଇଟିଭି ଭାରତ, ବ୍ରହ୍ମପୁର