ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟବର୍ତ୍ତୀ ତାମ୍ପରା ଠାରେ ପର୍ଯ୍ୟଟକଙ୍କ ପାଇଁ ଲୋକାର୍ପିତ ହୋଇଛି ଲେକ ଭିୟୁ ପାର୍କ। କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପାର୍କକୁ ଉଦ୍ଘାଟନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ 8 କୋଟି ଟଙ୍କା ବ୍ୟୟରେ ଏହି ପାର୍କର ସୌନ୍ଦର୍ଯ୍ୟକରଣ କରାଯାଇଛି। କେନ୍ଦ୍ରମନ୍ତ୍ରୀଙ୍କ ସହ ପର୍ଯ୍ୟଟନ ସଚିବ ଭିଶାଲ କୁମାର ଦେବ ମଧ୍ୟ ଏଥିରେ ଯୋଗ ଦେଇଥିଲେ।

ପର୍ଯ୍ୟଟନ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ବହୁତ ଆଗକୁ ଯାଇଛି। ପୂର୍ବରୁ ଗଞ୍ଜାମ ଜିଲ୍ଲାବାସୀ ବୁଲିବା ନିମନ୍ତେ ଜିଲ୍ଲା ବାହାରକୁ ଯାଉଥିଲେ । କିନ୍ତୁ ବର୍ତ୍ତମାନ ତାମ୍ପରାର ନୂଆ ରୂପ କେବଳ ଜିଲ୍ଲା ନୁହେଁ ବରଂ ଜିଲ୍ଲା ବାହାରର ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରିପାରିବ। ଏହାଛଡା ତାମ୍ପରା ବିଶ୍ବ ପର୍ଯ୍ୟଟନ କ୍ଷେତ୍ରରେ ଆହୁରି ନାମ କମାଇପାରିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ।
ଗଞ୍ଜାମ ଜିଲ୍ଲା ପାଇଁ ଆଉ ଦୁଇଟି ପ୍ରକଳ୍ପ ଆରମ୍ଭ କରିବା ନେଇ ଯୋଜନା ରହିଛି। ଗୋପାଳପୁର ପୋର୍ଟରେ ଆଇଏନଜି ଟର୍ମିନାଲ ଲଗାଯିବାର ବ୍ୟବସ୍ଥା କରାଯିବ। ଯାହାଫଳରେ ସ୍ବଚ୍ଛ ଓ ଶସ୍ତା ଲୋକଙ୍କୁ ଇନ୍ଧନ ମିଳିପାରିବ। ଫଳରେ ପ୍ରତି ଘରକୁ ପାଇପ ଯୋଗେ ରନ୍ଧନ ଗ୍ୟାସ ମଧ୍ୟ ଯୋଗାଇ ଦିଆଯାଇପାରିବ । ସେହିପରି ଜିଲ୍ଲାରେ ଏକ ତେଲ ଡିପ କରିବାର ମଧ୍ୟ ଯୋଜନା ରହିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର। ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଓ ଛତ୍ରପୁର ଉପ-ଜିଲ୍ଲାପାଳ, ବିଡିଏ ଉପାଧ୍ୟକ୍ଷଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ