ବ୍ରହ୍ମପୁର: ବର୍ତ୍ତମାନର ପରିସ୍ଥିତିରେ ବାୟୁ ପ୍ରଦୂର୍ଷଣ ବିଶ୍ବ ସମୂହ ପାଇଁ ଚିନ୍ତାର କାରଣ । ତେଣୁ ଏଥିପ୍ରତି ସମସ୍ତେ ସଚେତନ ହେବା ସହ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ପାଇଁ ଜନସାଧାରଣ ନିଜେ ଗୁରୁତ୍ବ ଦେବା ଆବଶ୍ୟକ । ଏପରି କଲେ ଆଗାମୀ ପୀଢୀଙ୍କ ପାଇଁ ଏହା ଅଧିକ ମାତ୍ରାରେ ସହାୟତା ହେବ ବୋଲି ବ୍ରହ୍ମପୁର ଠାରେ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ କହିଛନ୍ତି ।
ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ, ସହରର ଟାଉନ ହଲ ପରିସରରେ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ରାଜ୍ୟ ବିଜେପି ସାଧାରଣ ସଂପାଦକ ଭୃଗୁବକ୍ସି ପାତ୍ର, ରାଜ୍ୟ ବିଜେପି ସଂପାଦକ ଅଧ୍ୟକ୍ଷ ବିଭୂତି ଜେନା, ପୂର୍ବତନ ବିଧାୟକ ଏନ୍.ନାରାୟଣ ରେଡି, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା, ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ଗଞ୍ଜାମ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପିତବାସ ପଣ୍ଡା, ମହାନ୍ ସଙ୍ଘର ସଭାପତି ସୁଶାନ୍ତ ସାବତ, ଡ଼ଃ ବିଦ୍ୟୁତ ପ୍ରଭା ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।
ରାଜ୍ୟପାଳ ଶ୍ରୀ ହରିଚନ୍ଦନ ବିମାନ ଯୋଗେ ସହରର ସିଟି ହାଇସ୍କୁଲ ଖେଳପଡିଆ ଠାରେ ଓହ୍ଲାଇବା ପରେ ସେଠାରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ବ୍ରହ୍ମପୁର ସହରର ବିଭିନ୍ନ ସଂଗଠନ ପକ୍ଷରୁ ରାଜ୍ୟପାଳଙ୍କୁ ମିଳିତ ଭାବରେ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧନା କରିଥିଲେ । କାର୍ଯ୍ୟକ୍ରମକୁ ଦକ୍ଷିଣ ଓଡିଶା ସାହିତ୍ୟ ସମାଜ ସମ୍ମିଳନୀରେ ମହାସଚିବ ଦଣ୍ଡପାଣି ମହାପାତ୍ରଙ୍କ ସଂଯୋଜନାରେ କରିଥିବା ବେଳେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ