ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ କୋଭିଡ ଡ୍ୟୁଟି କରୁଥିବା ସମୟରେ ଗତ 4ଦିନ ମଧ୍ୟରେ ଦୁଇ ଓ.ଏ.ଏସ୍ ଅଧିକାରୀଙ୍କୁ ଆକ୍ରମଣ ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାରେ ବିଷୟ ପାଲଟିଛି । ଗତ 3ଦିନ ତଳେ ଜିଲ୍ଲାର ସଦର ମହକୁମା ଛତ୍ରପୁର ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଉପରେ ଆକ୍ରମଣ ଘଟଣା ପରେ ଜିଲ୍ଲାର ପାତ୍ରପୁର ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।
ତହସିଲଦାର ଗତ ୨୧ ତାରିଖରେ ଗୋଠଗାଁ ଅଞ୍ଚଳର ଏକ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ ଯିବା ସମୟରେ ଚିକିଟି ଅଞ୍ଚଳର ନୂଆ ମୈଶାଣପୁର ଗ୍ରାମର ଏକ ସଙ୍ଗରୋଧ କେନ୍ଦ୍ରର ୧୦୦ ମିଟର ପରିଧି ମଧ୍ୟରେ ୫୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ସମାଜିକ ଦୂରତ୍ବ ନରଖି ବୁଲୁଥିବା ଦେଖିବା ପରେ ଏହାକୁ ତହସିଲଦାର ବାରଣ କରିଥିଲେ । ଏପରିକି ସେଠାରେ କ୍ରିକେଟ ଖେଳୁଥିବା କିଛି ଯୁବକଙ୍କୁ ଆଇନ ଉଲଘ୍ନଂନ ହେଉଥିବା ଏବଂ ଏଠାରେ ୧୪୪ ଧାରା ଲାଗୁ ରହିଛି ବୋଲି ସେ କହିବା ପରେ ତାଙ୍କୁ ସେହି ଯୁବକମାନେ ଦୁର୍ବ୍ୟବହାର କରିବା ସହ କ୍ରିକେଟ ଷ୍ଟମ୍ପରେ ଆକ୍ରମଣ କରିଥିବା ନେଇ ଗତକାଲି କେ ନୂଆଁ ଗାଁ ଥାନାରେ ଏତଲା ଦେଇଥିଲେ । ଏହାକୁ ଭିତ୍ତି କରି ଏକ ମାମଲା ରୁଜୁ କରାଯାଇଥିବା ବେଲେ ଏହି ଘଟଣାକୁ ଜିଲ୍ଲା ଓଡିଶା ପ୍ରଶାସନିକ ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଛତ୍ରପୁର ସର୍କିଟ ହାଉସରେ ସଂଘ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରାଯାଇ ଏହାକୁ ନିନ୍ଦା କରାଯାଇଛି । ପରେ ଗଞ୍ଜାମ ଜିଲ୍ଲାପାଳ ଏବଂ ବ୍ରହ୍ମପୁର ଏସ୍ପିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏପରିକି ବର୍ତ୍ତମାନ ସୁଦ୍ଧା ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ଙ୍କୁ ପୋଲିସ ଗିରଫ କରିପାରିନଥିବା ବେଳେ ଅପରପକ୍ଷେ ଅଭିଯୁକ୍ତଙ୍କ ଉପରେ ଏନ୍ଏସ୍ଏ ଲଗାଇବାକୁ ସଂଘ ଦାବି କରିବା ସହ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସମ୍ପୃକ୍ତଙ୍କୁ ଗିରଫ କରିବାକୁ ଦାବି ହୋଇଛି ।
ଅନ୍ୟପଟେ ଚିକିଟି ବ୍ଲକର ସମସ୍ତ ସରପଞ୍ଚ ଓ ସମିତିସଭ୍ୟମାନେ ମିଳିତ ଭାବରେ ପାତ୍ରପୁର ତହସିଲଦାରଙ୍କ ବିରୁଦ୍ଧରେ ବ୍ରହ୍ମପୁର ଏସ୍.ପି ଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବା ସହ ତହସିଲଦାର ନିଜର ସୀମା ବାହାରକୁ ଆସି ବିଭିନ୍ନ ମନ୍ଦିରର ପୂଜକ , ସଙ୍ଗରୋଧ କେନ୍ଦ୍ରରେ ରହିଥିବା ସ୍ବଚ୍ଛାସେବୀଙ୍କୁ ଆକ୍ରମଣ କରିବା ଭଳି ଗୁରୁତର ଅଭିଯୋଗ ଆଣିଥିବାରୁ ବଦଳି ପାଇଁ ଦାବୀ କରିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ