ବ୍ରହ୍ମପୁର: ଶିକ୍ଷାର ମନ୍ଦିରରେ ଅଘଟଣ । ଅହିଂସା ମାର୍ଗ ଓ ନୈତିକତାର ଶିକ୍ଷା ଦିଆଯାଉଥିବା ବିଦ୍ୟାଳୟରେ ଘଟିଛି ହିଂସା । ବ୍ରହ୍ମପୁର ସହରର ଏକ ଘରୋଇ ବିଦ୍ୟାଳୟରେ ଜଣେ ସିନିୟର ଛାତ୍ରଙ୍କ ମାଡରେ ଗୁରୁତର ହୋଇଛି ଜୁନିୟର ଛାତ୍ର ।
ମିଳିଥିବା ସୂଚନାନୁସାରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ଏହି ଘଟଣା ଘଟିଛି । ଏଠାରେ ଅଧ୍ୟୟନରତ ନବମ ଶ୍ରେଣୀ ଛାତ୍ରଙ୍କୁ ବିଦ୍ୟାଳୟ ପରିସରରେ ଜଣେ ୧୦ମ ଶ୍ରେଣୀର ଛାତ୍ର ମରଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଛାତ୍ରଙ୍କ ମାଡରେ ନବମ ଶ୍ରେଣୀ ଛାତ୍ର ଗୁରୁତର ହୋଇଥିବା ଜଣାପଡିଛି । ପ୍ରାଥମିକ ଚିକିତ୍ସା ପରେ ଆହତ ଛାତ୍ରଙ୍କୁ ବ୍ରହ୍ମପୁରର ଏମକେସିଜିରେ ଅଧିକ ଚିକିତ୍ସା କରାଯାଇଛି ।
ସୂତ୍ର ଅନୁସାରେ ନବମ ଶ୍ରେଣୀର ଛାତ୍ରଟି ନିଜ ଶ୍ରେଣୀ କକ୍ଷରେ ରହିଥିବା ବେଳେ ୧୦ମ ଶ୍ରେଣୀ ଛାତ୍ର ଜଣକ ବାହାରକୁ ଡାକି ନେଇଥିଲା । ବିଦ୍ୟାଳୟ ଉପରେ ହଷ୍ଟେଲ ଥିବାରୁ ସେଠାକୁ ଡାକି ନେଇ ସେ ଜୁନିୟର ଛାତ୍ରକୁ ମାଡ ମାରିଥିଲା । ଛାତ୍ର ଜଣକ ତଳେ ପଡିଯିବା ପରେ ଦଶମ ଛାତ୍ରଟି ମୁଥା ଉପରେ ମୁଥା ମାରି ଚାଲିଥିଲା । ଫଳରେ ଜୁନିୟର ଛାତ୍ରର ମୁଣ୍ଡ ଫାଟିଯିବା ସହ ଶରୀରର ଅନେକ ସ୍ଥାନରେ ଆଘାତ ଲାଗିଥିଲା । ଘଟଣାକୁ ନବମ ଶ୍ରେଣୀ ଛାତ୍ରର କେତେକ ସାଙ୍ଗ ଦେଖିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ।
ସେପଟେ ନବମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଆକ୍ରମଣ ଖବର ପାଇ ପରିବାରବର୍ଗ ବିଦ୍ୟାଳୟରେ ପହଞ୍ଚିଥିଲେ । ଆଘାତ ଗୁରୁତର ଥିବାରୁ ଛାତ୍ରକୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରିଥିଲେ । ଏହାସହ କାର୍ଯ୍ୟାନୁଷ୍ଠାନ ଲାଗି କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଏପରିକି ଛାତ୍ରକୁ ପିଟିଥିବା ଦଶମ ଶ୍ରେଣୀ ଛାତ୍ରକୁ ମଧ୍ୟ କାହାରି ସହ ଭେଟ ନକରାଇ ଏକ ରୁମରେ ଲୁଚାଇ ରଖିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଛାତ୍ରଟି ଛତିଶଗଡର ବୋଲି ସୂଚନା ମିଳିଛି । ଏପର୍ଯ୍ୟନ୍ତ ତାଙ୍କ ପରିବାରକୁ ଖବର କରାଯାଇନଥିବା ଆହତ ଛାତ୍ରର ପରିବାରବର୍ଗ ଅଭିଯୋଗ ଆଣିଛନ୍ତି ।
ଆହତ ଛାତ୍ରକୁ ନ୍ୟାୟ ନମିଳିଲେ ବାଧ୍ୟ ହୋଇ ଆଇନର ଆଶ୍ରୟ ନେବେ ବୋଲି ପରିବାର ବର୍ଗ ଚେତାବନୀ ଦେଇଛନ୍ତି । ସେପଟେ ଏହି ଘଟଣା ପରେ ବିଦ୍ୟାଳୟରେ ପିଲାମାନେ ଗଣ୍ଡଗୋଳ ଆରମ୍ଭ କରିଥିବା ଖବର ରହିଛି । ଏହାର ତଦନ୍ତ ଚାଲିଛି । ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଦ୍ୟାଳୟର ଅଧ୍ୟକ୍ଷା ଉଷାରାଣୀ ପଟ୍ଟନାୟକ କହିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ