ଭଞ୍ଜନଗର: ସାଙ୍ଗ ସାଜିଲେ ସଇତାନ । କିଛି ସାଙ୍ଗମାନେ ମିଶି ଅନ୍ୟ ଜଣେ ସାଙ୍ଗକୁ ହତ୍ୟା କରି ନାଳରେ ପିଙ୍ଗି ପଥର ଘୋଡାଇବା ଭଳି ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଗଞ୍ଜାମ ଜିଲ୍ଲା ତାରାସିଙ୍ଗ ଥାନା ଅନ୍ତର୍ଗତ ଟାଙ୍ଗଣ ଗ୍ରାମ ନିକଟ କତରା ନାଳରୁ ମଙ୍ଗଳବାର ଉକ୍ତ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ସେହି ଗ୍ରାମର 26 ବର୍ଷୀୟ ମିଥୁନ ସାହୁ ଏବଂ ସେ କିଛି ଦିନ ହେଲା ନିଖୋଜ ଥିଲେ । ତେବେ ଏହି ଜଘନ୍ୟ ହତ୍ୟାକାଣ୍ଡରେ ସମ୍ପୃକ୍ତ ପିଶାଚ ସାଙ୍ଗମାନଙ୍କୁ ଥାନାରେ ଅଟକ ରଖାଯାଇଛି ।
ସୂଚନାଯୋଗ୍ୟ, ମିଥୁନ ଗତ 2 ତାରିଖ ଦିନ କିଛି ସାଙ୍ଗସାଥୀ ମେଳରେ କେଉଁଆଡେ ଚାଲି ଯାଇଥିଲେ । ତାଙ୍କ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଯୁବକଙ୍କ କୌଣସି ସୁରାକ ନ ପାଇବାରୁ ଥାନାରେ ଏତଲା ଦେଇଥିଲେ । ଆଜିକୁ 20 ଦିନ ହେଲା ପୋଲିସ ଏ ଦିଗରେ ତନାଘନା ଜାରି ରଖିଥିଲା । ତେବେ ମଙ୍ଗଳବାର ଯୁବକଙ୍କ କ୍ଷତାକ୍ତ ମୃତଦେହ ଗ୍ରାମ ନିକଟସ୍ଥ ନାଳ ମଧ୍ୟରେ ପଥର ଘୋଡିଆ ହୋଇ ରହିଥିବା ଦେଖିବାକୁ ମିଳିଥିଲା । ଗ୍ରାମବାସୀ, ଦମକଳ ବାହିନୀ ଓ ପୋଲିସର ମିଳିତ ଉଦ୍ୟମରେ ପାଣି ମଧ୍ୟରୁ ମୃତଦେହକୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ଭଞ୍ଜନଗର ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ