ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକରେ ଦେଖାଦେଇଛି ରାଜନୈତିକ ହିଂସା । ପାଣ୍ଡିରିପଡା ପଞ୍ଚାୟତର ଇଚ୍ଛାପୁର ଗାଁରେ ଶିବମନ୍ଦିର ପ୍ରତିଷ୍ଠାକୁ ନେଇ ବିଜେପିର ଯୁବ ନେତା ସୁଶାନ୍ତ ନାୟକଙ୍କୁ ହତ୍ୟା କରାଯାଇଛି । ପଞ୍ଚାୟତର ପୂର୍ବତନ ସରପଞ୍ଚ ଦଣ୍ଡପାଣି ନାୟକଙ୍କ ପୁଅ ସୁଶାନ୍ତ ।
ବହୁ ଦିନ ଧରି ଗାଁରେ ଶିବ ମନ୍ଦିର ପ୍ରତିଷ୍ଠା ନେଇ ବିବାଦ ଲାଗି ରହିଥିବା ବେଳେ ଗତକାଲି ବିଜେଡିର କେତେକ ସମର୍ଥକ ଆକ୍ରମଣ କରିଥିଲେ । ଆକ୍ରମଣ ସମୟରେ ସୁଶାନ୍ତଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କର 4 ଜଣ ସାଥୀଙ୍କୁ ମଧ୍ୟ ଆକ୍ରମଣ ହୋଇଥିଲା । ତେବେ ସମସ୍ତେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ଡାକ୍ତରଖାନାରେ ଚିକିତ୍ସା ହେଉଥିବା ବେଳେ ସୁଶାନ୍ତଙ୍କ ମୃତ୍ୟୁ ହୋଇଛି ।
ସୂଚନାଯୋଗ୍ୟ, ସୁଶାନ୍ତ ନାୟକ ଗତକାଲି କୌଣସି କାର୍ଯ୍ୟରେ ଭୁବନେଶ୍ୱର ଯାଇ ଗ୍ରାମକୁ ଫେରିଥିଲେ । ହେଲେ ନିଜର ଏକ କାଜୁ କାରଖାନାରେ କାର୍ଯ୍ୟ କରିବା ପାଇଁ ଗ୍ରାମର ନିକଟସ୍ଥ ସାହିକୁ ଯାଇଥିଲେ । ସେଠାରେ ବିଜେଡିର କେତେକ ସମର୍ଥକ ପୂର୍ବତନ ସରପଞ୍ଚଙ୍କ ପୁଅ ସୁଶାନ୍ତଙ୍କୁ ଘର ଭିତରୁ ଘୋଷାଡି ନେବା ସହ ମିଳିତ ଭାବରେ ଆକ୍ରମଣ କରିଥିଲେ । ଏଥିସହ ସେ ପିନ୍ଧିଥିବା ସୁନାଚେନ ସହ ମୁଦି ଓ ବ୍ରେସଲେଟକୁ ମଧ୍ୟ ଛଡାଇ ନେଇଛନ୍ତି ।
ମୃତ ସୁଶାନ୍ତ ଉକ୍ତ ଅଞ୍ଚଳରେ ବିଜେପିର ଯୁବ ନେତା ଭାବେ ବେଶ ପରିଚିତ ଥିଲେ । ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଗଞ୍ଜାମ ଜିଲ୍ଲାର ପୋଲସରା ଅଞ୍ଚଳରେ ରାଜନୈତିକ ହିଂସା ଦେଖାଦେଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ