ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅଳସୁ ଗ୍ରାମର ଖଇରଝୋଳାରେ ଭାୟାଭୟ ଅଗ୍ନିକାଣ୍ଡ । ଆଖି ପିଛୁଳାକେ ଘରକୁ ଘର ଡେଇଁ ଚାଲିଲା ନିଆଁ । ସୂଚନା ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚିଲା ବେଳକୁ 12ଟି ଘରର 14 ବଖରା ସମେତ ଆସବସପତ୍ର ଜଳିପୋଡି ପାଉଁଶ ହୋଇଯାଇଥିଲା । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଛି ।
ସୂଚନା ପ୍ରକାରେ ମଙ୍ଗଳବାର ସନ୍ଧ୍ୟାରେ ରୋଷଇ ଶାଳରୁ ଅଗ୍ନିକାଣ୍ଡ ଘଟିଥିବା ଦୃଶ୍ୟ ସାହି ଲୋକେ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଦମକଳ ବିଭାଗଙ୍କୁ ଖବର ଦେଇ ଯୁବକମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ନିଆଁ ଏତେ ଭୟଙ୍କର ଥିଲା ଯେ ଦେଖୁଦେଖୁ ସବୁ ଜଳିପୋଡି ପାଉଁଶ ହୋଇଗଲା । ଜଗନ୍ନାଥ ପ୍ରସାଦ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ ।
ଏସମ୍ପର୍କରେ ଖବର ପାଇ ସ୍ଥାନୀୟ ଅତିରିକ୍ତ ତହସିଲଦlର ବାରିଆଲ ମୁର୍ମୁ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରି ଫେରିଯାଇଛନ୍ତି । ସ୍ଥାନୀୟ ସରପଞ୍ଚ ହୃଷିକେଶ ନାୟକ ସମସ୍ତଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଥିବା ଜଣାଯାଇଛି । କ୍ଷତିଗ୍ରସ୍ତ ପରିବାରକୁ ସରାକରୀ ସହାୟତା ପ୍ରଦାନ କରିବା ପାଇଁ ସ୍ଥାନୀୟରେ ଦାବି ହେଉଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ