ଗଜପତି: ଜିଲ୍ଲାବାସୀଙ୍କ ଲାଇଫଲାଇନ ବଂଶଧାରା ନଦୀ । ମାତ୍ର ବର୍ତ୍ତମାନ ଜଳସେଚନ ବିଭାଗର ଖାମଖିଆଲି ମନୋଭାବ, ଯୋଗୁଁ ନଦୀ ଜିଲ୍ଲାବାସୀଙ୍କ ପାଇଁ ପାଲଟିଛି ଦୁଃଖର କାରଣ । ନଦୀର ଆରପଟରେ ନିର୍ମାଣ ହେଉଛି ଆଡିବନ୍ଧ । ଯେଉଁ କାରଣରୁ ନଦୀ ଗତିପଥ ବଦଳାଇବାରେ ଲାଗିଛି । ଗୋଟିଏ ପଟେ ନଦୀ ଉପରେ ଆନ୍ଧ୍ର ନିର୍ମାଣ କରୁଥିବା କାଟ୍ରାଗଡ ପ୍ରକଳ୍ପ କାରଣରୁ ବଢିର ସମ୍ମୁଖୀନ ହେବା ଆଶଙ୍କା ପ୍ରକାଶ ପାଇଥିବା ବେଳେ ନଦୀ ଗତିପଥ ବଦଳାଇ କୂଳ ଲଙ୍ଘୁଛି । ଏହାକୁ ରୋକିବା ପାଇଁ 2010 ମସିହାରେ ଓଡିଶା ପଟରେ ପଥର ପ୍ୟାକିଂ ଲାଗି ଟଙ୍କା ଆସିଥିଲା । ଅଧିକାଂଶ ଅଞ୍ଚଳରେ ଅଳ୍ପ କିଛି ପଥର ଆଣି ଏଣେତେଣେ ପକାଇ ନିମ୍ନମାନର କାମ କରି ଲକ୍ଷାଧିକ ଟଙ୍କା ବାଟ ମାରଣା ହୋଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି ।
ଏହା ଭିତରେ ଘଟଣାକୁ 10ବର୍ଷ ମଧ୍ୟ ବିତିଛି । ମାତ୍ର ନା ପ୍ରକଳ୍ପ କାମର ତଦନ୍ତ ହେଉଛି ନା ନୂତନ ପ୍ରକଳ୍ପ କରାଯାଇ ତଟବର୍ତ୍ତୀ ଗାଁକୁ ସୁରକ୍ଷା ମିଳୁଛି । ନଦୀ ତଟରେ ପଥର ପ୍ୟାକିଂ ହୋଇନଥିବାରୁ ଧିରେ ଧିରେ କୂଳ ଖାଇ ଗାଁ ଭିତରକୁ ନଦୀ ଚାଲିଆସିବା ପରି ସ୍ଥିତି ଉପୁଜିଲାଣି । ନଦୀ ଗତିପଥ ବଦଳାଉଥିବାରୁ ସାରା, ବାଡିଗାଁ, ପାଲସିଂ, ୱାନା, ଗୌରୀ ଆଦି ଗାଁ ନଦୀ ଗର୍ଭକୁ ଚାଲିଯିବା ଭଳି ସ୍ଥିତି ଉପୁଜିଲାଣି ।
ଏନେଇ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରାଯିବା ପରେ ଲୋକଙ୍କ ଅଭିଯୋଗର ତଦନ୍ତ କରାଯାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ନଦୀର ଗତିପଥ ବଦଳୁଥିବାରୁ ତଟବର୍ତ୍ତି ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ । ତେଣୁ ଏହା ଉପରେ ସରକାର ତୁରନ୍ତ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି । ନହେଲେ ସ୍ଥିତି କେତେ ଗମ୍ଭୀର ହେବ ତାହା ସ୍ପଷ୍ଟ ବାରି ହେଉଛି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ