ଗଜପତି: ଜିଲ୍ଲାରେ ବିଦ୍ୟୁତ ଯୋଗାଣ ବିପଦପୂର୍ଣ୍ଣ ଭାବେ କରାଯାଉଛି । ବିଶେଷ କରି ପାରଳାଖେମୁଣ୍ଡି ସହରରେ ଏହି ସମସ୍ୟା ଅଧିକ ଦେଖାଯାଇଛି । କେଉଁଠି ଖୁଣ୍ଟ ଦୁର୍ବଳ ତ ଆଉ କେଉଁଠି ମୁକୁଳା ଟ୍ରାନ୍ସଫର୍ମର । ଯାହାକୁ ନେଇ ଆଶଙ୍କାରେ ଜନଜୀବନ । ତେବେ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବା ଆରମ୍ଭ ହୋଇଛି ଏବଂ ଅତିଶୀଘ୍ର ମୁକୁଳା ଟ୍ରାନ୍ସଫର୍ମରକୁ ମଧ୍ୟ ତାରବାଡ ଗୁଡାଯିବ ବୋଲି କହିଛି ସାଉଥକୋ ।
ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନ ଯଥା ସ୍କୁଲ ଏବଂ ହସ୍ପିଟାଲ ଭଳି ସ୍ଥାନରେ ବିପଦପୂର୍ଣ୍ଣ ଭାବେ ବିଦ୍ୟୁତ ଯୋଗାଣ ହେଉଛି । ଟ୍ରାନ୍ସଫର୍ମର ଚାରିପଟେ କୌଣସି ତାରବାଡ କିମ୍ବା ପାଚେରି କରାଯାଇନାହିଁ । ସହରର ମୁଖ୍ୟ ରାସ୍ତା କଡରେ ଟ୍ରାନସଫରର୍ମର ମୁକୁଳା ପଡିଥିବା ବେଳେ ସହରରେ ପୋତା ହୋଇଥିବା ବିଦ୍ୟୁତ ଖୁଣ୍ଡ ଗୁଡିକର ମୁଳ ଖାଇଗଲାଣି । ଫଳରେ ଏହା କେତେବେଳେ ଭାଙ୍ଗି ପଡିବ ତାହା କହିହେବ ନାହିଁ । ଗ୍ରାମାଞ୍ଚଳ କଥା ଦୂରରେ ଥାଉ ଖୋଦ ପାରଳାଖେମୁଣ୍ଡିରେ ଏଭଳି ପରିସ୍ଥିତି ରହିଛି । ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଏଥିପ୍ରତି ଦୃଷ୍ଟି ନ ପଡିବା ବେଶ ଦୁର୍ଭାଗ୍ୟଜନକ । ଯାହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
ଘଟଣାକୁ ବିଦ୍ୟୁତ ବିଭାଗ ସ୍ବୀକାର କରିଥିବା ବେଳେ ଏହି ସ୍ଥିତିରେ ସୁଧାର ଆଣିବା ପାଇଁ ପଦକ୍ଷେପ ଆରମ୍ଭ ହୋଇଥିବା କଥା ସାଉଥକୋ ନିର୍ବାହୀ ଯନ୍ତ୍ରୀ ଗଙ୍ଗାଗୌରୀ ପ୍ରସାଦ ପଟ୍ଟନାୟକ କହିଛନ୍ତି । ବର୍ତ୍ତମାନ ବିପଦସଙ୍କୁଳ ବିଦ୍ୟୁତ୍ ଖୁଣ୍ଟ ଓ ତାରକୁ ବଦଳାଇବା କାମ ଆରମ୍ଭ ହୋଇଛି ଏବଂ ଅତିଶୀଘ୍ର ମୁକୁଳା ଟ୍ରାନ୍ସଫର୍ମରଗୁଡିକୁ ମଧ୍ୟ ତାରବାଡ ଗୁଡାଇବା କାମ କରାଯିବ। ତେବେ ସ୍କୁଲ ନିକଟରେ ଥିବା ଟ୍ରାନ୍ସଫର୍ମରଗୁଡିକୁ ପ୍ରାଥମିକତା ଭିତ୍ତିରେ ତାରବାଡ ଦିଆଯିବ ବୋଲି ନିର୍ବାହୀ ଯନ୍ତ୍ରୀ କହିଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ