ପାରଳାଖେମୁଣ୍ଡି: ବାପା ମାଆଙ୍କୁ ହରାଇ ସୁଦୁର କୋଏମ୍ବାଟୁରରେ ଫସି ରହିଥିବା ଦୁଇ ନାବାଳକକୁ ଉଦ୍ଧାର କଲା ଗଜପତି ଜିଲ୍ଲା ପ୍ରଶାସନ । ଦୁଇ ଶିଶୁଙ୍କୁ ତାମିଲନାଡୁରୁ ଉଦ୍ଧାର ପରେ ନିଜ ଜେଜେ ବାପାଙ୍କ ପାଖରେ ହସ୍ତାନ୍ତର କରିଛି ଗଜପତି ଜିଲ୍ଲା ପ୍ରଶାସନ ।

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତି ଭାଲିଆସାହି ଗ୍ରମର ସୁଦର୍ଶନ ନାୟକ ନିଜର ସ୍ତ୍ରୀ ଏବଂ 4 ବର୍ଷ ଏବଂ 6 ବର୍ଷର ଦୁଇ ଶିଶୁକୁ ନେଇ କୋଏମ୍ବୁଟୁରରେ ଶ୍ରମିକ ଭାବେ କାମ କରୁଥିଲେ । କିନ୍ତୁ ପ୍ରାୟ ଏକ ମାସ ତଳେ ସ୍ବାମୀ ସ୍ତ୍ରୀ କଳହ ଯୋଗୁଁ ସ୍ବାମୀ ସୁଦର୍ଶନ ନାୟକ ସ୍ତ୍ରୀଙ୍କୁ ମାରିଦେବା ସହ ସ୍ଥାନୀୟ ଏକ ଯୁବକ ସହ ଝଗଡ଼ା ହୋଇ ତାଙ୍କୁ ବି ଗୁରୁତର ଆହତ କରିଥିଲେ । । ପରବର୍ତ୍ତୀ ସମୟରେ ସୁଦର୍ଶନ ତାମିଲନାଡୁ ପୋଲିସ୍ ପାଖରେ ଆତ୍ମ ସମର୍ପଣ କରିଥିଲେ । କିନ୍ତୁ ଦୁଃଖର କଥା ଶିଶୁ ଦୁଇଟିର ଯତ୍ନ ଓ ସୁରକ୍ଷା ନେବା ଲାଗି ସେଠାରେ କେହି ନଥିଲେ । ଶିଶୁ ମାନଙ୍କର ଜେଜେବାପା ମୋହନାରେ ରହି ଏହି ସବୁ କଥା ଜାଣିଲା ପରେ ସେଠାକୁ ଯାଇ ଶିଶୁ ମାନଙ୍କୁ ଆଣିବା ଲାଗି ଚେଷ୍ଟା କରିଥିଲେ ବି ଭୟରେ ଯାଇପାରୁନଥିଲେ । କାରଣ ସ୍ଥାନୀୟ ଲୋକ ଜେଜେବାପା କରନା ନାୟକଙ୍କୁ ପ୍ରାଣରେ ମାରିଦେବା ଲାଗି ଧମକ ଦେଉଥିଲେ ।ଏହି ସବୁ ବିଷୟକୁ ନେଇ କରନା ନାୟକ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଗଜପତିରେ ଜଣାଇଥିଲେ ।
ପରବର୍ତ୍ତୀ ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଗଜପତି କୋଏମ୍ବଚୁର ଚାଇଡ଼ଲାଇନ୍ ଏବଂ ଶିଶୁ ସୁରକ୍ଷା ୟୁନିଟ୍ ସହ କଥାବାର୍ତ୍ତା ହୋଇ ତା ପରଦିନ ଶିଶୁ ମାନଙ୍କୁ ଉଦ୍ଧାର କରିବା ସହ ତାମିଲନାଡୁର କୋଏମ୍ବଚୁରରେ ଥିବା ସରକାରୀ ଶିଶୁ ଗୃହରେ ଅସ୍ଥାୟି ଭାବେ ଥଇଥାନ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏହି ବିଷୟ ଉପରେ ଜିଲ୍ଲାପାଳ, ଗଜପତି ଏବଂ ଆରକ୍ଷୀ ଅଧିକ୍ଷକ, ଗଜପତି ଙ୍କ ଦୃଷ୍ଟି ଆକର୍ଷଣ କଲାପରେ ଆବଶ୍ୟକ ସହଯୋଗ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଯୋଗାଇଥିଲେ । ଗତ 21-02-2021 ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଆଇନ ପରିବେକ୍ଷଣ ଅଧିକାରୀ ଜୟପ୍ରକାଶ ବାଡାତ୍ୟାଙ୍କ ନେତୃତ୍ବରେ ଏକ ଚାରିଜଣିଆ ଟିମ୍ କୋଏମ୍ବଚୁର ଗସ୍ତ କରିଥିଲେ । ସେଥିମଧ୍ୟରେ ପୋଲିସ ବିଭାଗ ତରଫରୁ ସଦାଶିବ ରେଡି ଏବଂ ଅଶୋକ କୁମାର ସେଠାରେ କୋଏମ୍ବଟୁର ଜିଲ୍ଲା ପ୍ରଶାସନର ସହାୟତାରେ ଶିଶୁମାନଙ୍କୁ ନେଇ ନିଜ ଜିଲ୍ଲା ଗଜପତି ର ପାରଳାଖେମୁଣ୍ଡିଠାରେ ଆଜି ସକାଳେ ପହଞ୍ଚିଥିଲେ ।
ପୋଲିସ୍ ଦ୍ଵାରା ଶିଶୁମାନଙ୍କୁ ଶିଶୁ ମଙ୍ଗଳ ସମିତି, ଗଜପତି ଆଗରେ ଉପସ୍ଥାପନ କଲାପରେ ଶିଶୁମାନଙ୍କୁ ଜେଜେବାପାଙ୍କୁ ହସ୍ତାନ୍ତର କରାଯାଇଛି । ପିଲାମାନଙ୍କର ଯତ୍ନ ଏବଂ ସୁରକ୍ଷା ଯଥା ପାଠପଢ଼ିବା ପାଇଁ ଯାହା ଆବଶ୍ୟକ ଅଛି ତାହା ଜିଲ୍ଲା ପ୍ରଶାସନ କରିବା ପାଇଁ ପ୍ରସ୍ତୁତ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ,ଇଟିଭି ଭାରତ