ଗଜପତି: ସ୍ବାଧୀନତା ପରବର୍ତ୍ତି ସମୟ ଠାରୁ ଏକ ବିଂଶ ଶତାବ୍ଦୀର ଶେଷ ଭାଗ ଯାଏଁ ଲୋକେ ଓଡିଆ ସଂସ୍କୃତି ଓ ପରମ୍ପରାକୁ ପାଳନ କରିଆସୁଥିଲେ । ବିଶେଷ କରି ଯୁବପିଢିଙ୍କ ମଧ୍ୟରେ ଅଧିକ ଆଗ୍ରହ ଦେଖିବାକୁ ମିଳୁଥିଲା । ହେଲେ ବର୍ତ୍ତମାନ ମୋବାଇଲ ଯୁଗରେ ଏଭଳି ପରମ୍ପରାରୁ ମୁହଁ ଫେରାଉଛନ୍ତି ଯୁବପିଢି । ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି ଗହ୍ମାଡିଆଁ । ଶ୍ରାବଣ ପୂର୍ଣ୍ଣିମା ଦିନ ଉଭଣୀ ହାତରୁ ରାକ୍ଷୀ ବାନ୍ଧି ସାରିବା ପରେ ଗାଁ ସାହିର ଯୁବକମାନେ ଗହ୍ମାଡିଆଁ ସ୍ଥଳକୁ ଉତ୍ସାହର ସହ ଯାଇ ଭାଗ ନେଉଥିଲେ । କିନ୍ତୁ ଆଧୁନିକତାର ଛାପରେ ଗହ୍ମା ଡିଆଁ ଲୋପ ପାଇଯାଇଥିବା ବେଳେ ଆଜି ମଧ୍ୟ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିର କେତେକ ସ୍ଥାନରେ ପାଳନ ହେଉଛି ଗହ୍ମା ଡିଆଁ । ସ୍କୁଲ ସ୍ତରରୁ ପିଲାଙ୍କୁ ପରମ୍ପରା ସଂପର୍କରେ ସଚେତନ କରିବା ପାଇଁ କତେକ ସ୍କୁଲରେ ମଧ୍ୟ ଗହ୍ମାଡିଆଁ ଆୟୋଜନ କରାଯାଉଥିବା ଗଜପତି ଜିଲ୍ଲାର ଜଣେ ଶିକ୍ଷୟିତ୍ରୀ କହିଛନ୍ତି ।
ଶ୍ରାବଣ ପୂର୍ଣ୍ଣିମା ଦିନ ପାଳିତ ହେଉଥିବା ବିଶେଷ କରି ପାରଳାଖେମୁଣ୍ଡି ତଥା ଗଜପତି ଜିଲ୍ଲାରେ ବ୍ୟାପକ ଭାବେ ପାଳିତ ହେଉଥିଲା । ସେହି ସମୟରେ ଲୋକଙ୍କ ମନୋରଞ୍ଜନ ପାଇଁ କୌଣସି ମାଧ୍ୟମ ନଥିଲା । ତେଣୁ ଲୋକେ ଏହି ପରମ୍ପରାକୁ ପାଳନ କରି ନିଜର ମନୋରଞ୍ଜନ କରୁଥିଲେ। ଏଥିପାଇଁ ପ୍ରାୟ 15ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହେଉଥିଲା । ପଥର ଏବଂ ମାଟିରେ ଗହ୍ମା ନିର୍ମ।ଣ କରି ଏହା ସମ୍ମୁଖରେ ପ୍ରାୟ 30-35ଫୁଟ ଉଚ୍ଚତାରେ କିଛି ଫଳ ବନ୍ଧା ଯାଉଥିଲା। ଏହି ଗହ୍ମାରୁ ଡେଇଁ ଯିଏ ସେହି ଫଳକୁ ଛୁଇଁବ ସେମାନଙ୍କୁ ପୁରସ୍କାର ମିଳୁଥିଲା ।ଏପରିକି ଗୋଟିଏ ଗୋଟିଏ ସ୍ଥାନରେ 2-3ଦିନ ଯାଏଁ ଏହା ଜାରି ରହୁଥିଲା । ହେଲେ ଗତ 8ରୁ10ବର୍ଷ ହେଲା କାଁ ଭାଁ କେଉଁଠି କେମିତି ପାଳନ କରାଯାଉଛି । ମୌଜ ମଜିଲିସରେ ସମୟକାଟୁଥିବା ପିଲା ବର୍ତ୍ତମାନ ଶାରିରୀକ କଷ୍ଟ କରିବାକୁ ପଡୁଥିବା ଏହି ଖେଳ ପ୍ରତି ଆଉ କାହାର ଆଗ୍ରହ ପ୍ରକାଶ ପାଉନଥିବା ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।
ଆଧୁିନିକତାର ଛାପରେ ଅନେକ ସଂସ୍କୃତି ଓ ପରମ୍ପରା ବର୍ତ୍ତମାନ ଲୁପ୍ତ ପାଇଯାଉଥିବା ବେଳେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହାକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ କରାଯାଉଛି । ଏହାକୁ ବିଭିନେନ ମହଲରେ ପ୍ରଶଂସା କରାଯାଇଛି ।
ଇଟିଭି ଭାରତ, ଗଜପତି