ଗଜପତି : ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଲଘୁଚାପ ପ୍ରଭାବରେ ଆଗାମୀ ଦିନରେ ହେବାକୁ ଥିବା ସାମ୍ଭାବ୍ୟ ଝଡ଼ବାତ୍ୟା ଓ ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାପାଳ ଅନୁପମ ସାହା, ଭା.ପ୍ର.ସେ., ଅଧ୍ୟକ୍ଷତା କରିଥିଲାବେଳେ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଯଥା ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ବାମଦେବ ସିଂ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼. ଅଲି, ପ୍ରକଳ୍ପ ପ୍ରଶାସକ ତଥା ଜିଲ୍ଲା ଜରୁରୀ କାଳିନ ଅଧିକାରୀ ସରୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ଜିଲ୍ଲାପାଳ ସମ୍ଭାବ୍ୟ ଝଡ଼ବାତ୍ୟା ଓ ପ୍ରବଳ ବର୍ଷା ଉପରେ ଆସିଥିବା ଭାରତୀୟ ପାଣିପାଗ ବିଭାଗର ଅପଡ଼େଟ୍ ସୂଚନାକୁ ସମସ୍ତଙ୍କୁ ଅବଗତ କରିବା ସହ କୋଭିଡ-19 ପାଇଁ ବ୍ୟବହୃତ ହେଉଥିବା ଜିଲ୍ଲା ଏବଂ ପଞ୍ଚାୟତ ସ୍ତରର ସମସ୍ତ ନିୟନ୍ତ୍ରଣ କକ୍ଷ "ୟଶ୍” ପାଇଁ କାର୍ଯ୍ୟ କରିବ ବୋଲି କହିଥିଲେ । ବିଭିନ୍ନ ଶୁଖିଲା ଖାଦ୍ୟ ଏବଂ ଖାଦ୍ୟ ପଦାର୍ଥର ମହଜୁଦର ବିବରଣୀ ବି.ଡ଼ି.ଓ ମାନଙ୍କଠାରୁ ଆଜି ସନ୍ଧ୍ୟା ସୁଦ୍ଧା ମାଗିଲା ପରେ ଆବଶ୍ୟକ ଖାଦ୍ୟ ପଦାର୍ଥକୁ ପଞ୍ଚାୟତ ସ୍ତରରେ ପହଞ୍ଚାଇବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଯୋଗାଯୋଗ (ମୋବାଇଲ୍ ସେବା) କିପରି ପ୍ରତି ସମୟରେ ଚାଲୁ ରହିବ, ବି.ଏସ୍.ଏନ୍.ଏଲ୍ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ ଆବଶ୍ୟକ କରୁଥିବା ସମସ୍ତ ସହଯୋଗ ଜିଲ୍ଲା ପ୍ରଶାସନ ତରଫରୁ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ।
ସମସ୍ତ ସ୍କୁଲଘର ଖୋଲା ରହିବା ସହ ଶିକ୍ଷକଙ୍କୁ ଉପସ୍ଥିତ ରହିବା ପାଇଁ ଡ଼ି.ଇ.ଓ ପ୍ରଦୀପ କୁମାର ନାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଦ୍ୟୁତ ଯୋଗାଣ ପ୍ରତି ସମୟରେ କିପରି ଚାଲୁ ରହିବ, ସେଥ୍ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାସ୍ତାଘାଟ ବିଚ୍ଛିନ୍ନ ହେଲେ ଆବଶ୍ୟକ କରୁଥିବା କର୍ମଚାରୀ, ସାମଗ୍ରୀ ଏବଂ ଯନ୍ତ୍ରପାତିକୁ ପ୍ରସ୍ତୁତ ରଖୁବା ଲାଗି ବିଭାଗୀୟ ଅଧିକାରୀ ଯଥା ଗ୍ରାମ୍ୟ ଉନ୍ନୟନ, ରାସ୍ତା ଏବଂ କୋଠାବାଡ଼ି ନିର୍ମାଣ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ଜିଲ୍ଲାରେ ଥିବା ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାରମାନଙ୍କ ସହ ଭିଡ଼ିଓ କନଫେରେସିଂ ମାଧ୍ୟମରେ ସମୀକ୍ଷା କରାଯାଇଥିଲା । ସମସ୍ତ ତହସିଲଦାର ଆବଶ୍ୟକ ପଲିଥନ୍ ମହଜୁଦ ଥିବା କଥା ଦର୍ଶାଇଥିଲେ।
ପଞ୍ଚାୟତିରାଜ ବିଭାଗର ଲୋକ ପ୍ରତିନିଧିଙ୍କ ସହିତ ସାମ୍ଭାବ୍ୟ ବାତ୍ୟା 'ୟଶ୍’ ଉପରେ ବିସ୍ତୃତ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବା ଲାଗି ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦମକଳ ବିଭାଗର ସମସ୍ତ କର୍ମଚାରୀ, ଆସ୍କା ଲାଇଟ୍, କଟିଙ୍ଗ ମେସିନ୍, ଭେଇକଲ୍ ସବୁକୁ ପ୍ରସ୍ତୁତ ରଖୁବା ଲାଗି ଫାୟାର୍ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଗ୍ରାମ୍ୟ ପାନୀୟ ଜଳଯୋଗାଣ ନିର୍ବାହୀ ଯନ୍ତ୍ରୀଙ୍କୁ ଆବଶ୍ୟକ ପିଇବା ପାଣି, ଜେନେରେଟର ସେଟ୍ ଏବଂ ବ୍ଲିଚିଂ ମହଜୁଦ ରଖିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଭୂ-ସ୍ଖଳନକୁ ଆଖୁ ଆଗରେ ରଖ୍ ବିପଦ ସଙ୍କୁଳ ଜାଗା ମାନଙ୍କରେ ଲୋକମାନଙ୍କୁ କିପରି ଠିକ୍ ସମୟରେ ସ୍ଥାନାନ୍ତରଣ କରାଯିବ ତାହାରି ଉପରେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ସମ୍ବେଦନଶୀଳ ସ୍ଥାନ ମାନଙ୍କୁ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ନିର୍ବାହୀ ଯନ୍ତ୍ରୀମାନଙ୍କୁ ଅନୁଧ୍ୟାନ କରିବା ପାଇଁ ନିର୍ଦେଶ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ଯୋଗ ଦେଇଥିଲେ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ