ଗଜପତି: ବିଡିଓଙ୍କ ଗାଡି ଧକ୍କାରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ । ଗାଡି ଧକ୍କା କରି ଘଟଣାସ୍ଥଳରୁ ଛୁ ମାରିଲେ ମୋହନା ବିଡିଓ । ଆଜି ପାରଳାଖେମୁଣ୍ଡି ସ୍ଥିତ ଯାଜପୁର ଗ୍ରାମ ପୋଡୋନି ଛକଠାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ବ୍ୟକ୍ତି ଜଣକ ସାତମଇଲ ଗ୍ରାମର 50 ବର୍ଷୀୟ ଟି.ପ୍ରଭାକର ହୋଇଥିବା ପରିଚୟ ମିଳିଛି । ଦୁର୍ଘଟଣା ପରେ ବିଡିଓ ତପସ୍ବିନୀ ହାଂସଦା ଘଟଣାସ୍ଥଳରୁ ପଳାଇବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
ଜିଲ୍ଲାରେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ହେବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ମୋହନା ବିଡିଓଙ୍କ ସରକାରୀ ଗାଡି ଧକ୍କାରେ ସାତମାଇଲ ଗାଁର ଟି.ପ୍ରଭାକର ନାମକ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। କୌଣସି କାମରେ ବ୍ୟାଙ୍କକୁ ପ୍ରଭାକର ନିଜ ମୋଟର ସାଇକେଲ୍ ଯୋଗେ ପାରଳାଖେମୁଣ୍ଡି ଆସୁଥିଲେ। ସେ ରାସ୍ତାରେ ଆସୁଥିବା ବେଳେ ପଛପଟୁ ଏକ ବୋଲେରୋ ଗାଡି ଆସି ତାଙ୍କୁ ଧକ୍କା ଦେବାରୁ ବ୍ୟବସାୟୀ ଜଣକ ଛିଟିକି ପଡିଥିଲେ। ପ୍ରଭାକର ହେଲମେଟ ପିନ୍ଧିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଆଜି ମୋହନା ବିଡିଓ ପାରଳାଖେମୁଣ୍ଡି ଆସିଥିବା ବେଳେ ତାଙ୍କ ଗାଡି ଟି.ପ୍ରଭାକରଙ୍କୁ ଧକ୍କା ଦେଇଥିଲା । ଏହାପରେ ବିଡିଓ ଆହତଙ୍କୁ ହସ୍ପିଟାଲ ନେବା ପରିବର୍ତ୍ତେ ପଳାୟନ କରିଥିଲେ । ଘଟଣାସ୍ଥଳରେ ପ୍ରଭାକରଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ବିଡିଓଙ୍କ ଗାଡିକୁ ପୋଲିସ ଜବତ କରିଥିବା ବେଳେ ଡ୍ରାଇଭରଙ୍କୁ ଅଟକ ରଖିଛି ।
ଏନେଇ ପାରଳାଖେମୁଣ୍ଡି ଆଇଆଇସି ବିବେକାନନ୍ଦ ସ୍ୱାଇଁ କହିଛନ୍ତି, ''ଆଜି ସକାଳ ସମୟରେ ପୋଡୋନି ଛକଠାରେ ଏକ ଦୁର୍ଘଟଣା ଘଟିଥିଲା । ମୋହନା ବିଡିଓ ପାରଳାଖେମୁଣ୍ଡି ଆସିଥିବାବେଳେ ତାଙ୍କ ଗାଡି ଟି.ପ୍ରଭାକର ନାମକ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଯାଇଛି । ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରାଯାଇ ଡ୍ରାଇଭରକୁ ଅଟକ ରଖାଯାଇଛି ।''
ଏନେଇ ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ଯେ, ଆମକୁ ଏ ବିଷୟରେ ଅବଗତ ନକରାଇ ପୋଲିସ ଟି.ପ୍ରଭାକରଙ୍କୁ ମେଡିକାଲକୁ ଆଣିଥିଲା । ସେ ଗାଡିବାଲା କିଏ ଆମକୁ ଜଣାନାହିଁ । ଧକ୍କା ଦେଇଥିବା ଗାଡି ଡ୍ରାଇଭର ଥାନାରେ ଆତ୍ମସମର୍ପଣ କରିଥିବା ପୋଲିସ କହୁଛି। ସରକାରୀ ଗାଡିରେ ମଦୁଆ ଡ୍ରାଇଭର ରଖିବା କ'ଣ ଆବଶ୍ୟକ ବୋଲି ପ୍ରଶ୍ନ କରିଛନ୍ତି ମୃତକଙ୍କ ସମ୍ପର୍କୀୟ । ମୋ ମାମୁଁଙ୍କ ଗାଡି ଧକ୍କାରେ ମୃତ୍ୟୁ ହୋଇଛି । ଏଥିପାଇଁ ଆମେ ନ୍ୟାୟ ଚାହୁଁଛୁ । ନ୍ୟାୟ ନମିଳିଲେ ଆମେ ଆନ୍ଦୋଳନ କରିବୁ ବୋଲି ସମ୍ପର୍କୀୟ ଚେତାବନୀ ଦେଇଛନ୍ତି ।
ବଡ କଥା ହେଉଛି, ଦ୍ରୁତଗତିରେ ଗାଡି ଚଳାଇବା ଉପରେ ସରକାର ରୋକ ଲଗାଇଥିବା ବେଳେ ଖୋଦ୍ ସରକାରୀ ଗାଡି କିଭଳି ଦ୍ରୁତଗତିରେ ଚାଲୁଛି, ତାହା ପୁଣି ଖୋଦ୍ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ତାହାକୁ ନେଇ ଉଠିଛି ପ୍ରଶ୍ନ। ଆଜି ଏକ ସମୀକ୍ଷା ବୈଠକରେ ଯୋଗ ଦେବା ପାଇଁ ଜିଲ୍ଲାର ସମସ୍ତ ବିଡିଓ ପାରଳାଖେମୁଣ୍ଡି ଆସିଥିଲେ। ଏଥିରେ ଯୋଗ ଦେବା ପାଇଁ ଆସୁଥିବା ବେଳେ ମୋହନା ବିଡିଓ ବସିଥିବା ତାଙ୍କ ସରକାରୀ ଗାଡି ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେବା ପରେ ମାନବିକତା ଦୃଷ୍ଟିରୁ ମଧ୍ୟ ସେଠାରେ ନରହି କିମ୍ବା ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ମେଡିକାଲ ପଠାଇବା କାର୍ଯ୍ୟ ନକରି ଘଟଣା ସ୍ଥଳରୁ ବିଡିଓ ଚାଲିଆସିବା ଘଟଣା ତାଙ୍କ ଦାୟିତ୍ବବୋଧ ଉପରେ ପ୍ରଶ୍ନ ଉଠୁଛି। ତେବେ ଏ ସଂପର୍କରେ ମତାମତ ନେବା ପାଇଁ ମୋହନା ବିଡିଓ ତପସ୍ବିନୀ ହାଁସଦାଙ୍କ ସହ ଯୋଗାଯୋଗ କରିବାକୁ ପ୍ରୟାସ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ। ଏପରିକି ସେ ସମୀକ୍ଷା ବୈଠକରେ ମଧ୍ୟ ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଏହି ଘଟଣାର ତଦନ୍ତ ଜାରି ରହିଛି ଏବଂ ଅତିଶୀଘ୍ର ଏହାର କାରଣ ଜଣାପଡିବ ବୋଲି କହିଛନ୍ତି ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ।
ଇଟିଭି ଭାରତ, ଗଜପତି