ଗଜପତି: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଅଧିକାଂଶ ଜିଲ୍ଲାରୁ କୋରୋନା ପଜେଟିଭ କେସ ସାମ୍ନାକୁ ଆସୁଛି । ଗଜପତି ଜିଲ୍ଲାରେ ଗୁରୁବାର ପୁଣି 29ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ଏବେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 384ରେ ପହଞ୍ଚିଛି ।
ଗୁରୁବାର ଚିହ୍ନଟ ହୋଇଥିବା 29 ଜଣଙ୍କ ମଧ୍ୟରୁ 22 ଜଣ ଗୋଷାଣି ବ୍ଲକର ହୋଇଥିବାବେଳେ ରାୟଗଡ ବ୍ଳକର 2ଜଣ ଏବଂ ଗୁମା ବ୍ଲକର 5ଜଣ ରହିଥିବା ସୂଚନା ମିଳିଛି । ସେହିଭଳି 12ଜଣ ତାମିଲନାଡୁ ଫେରନ୍ତା ହୋଇଥିବାବେଳେ କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରୁ ଜଣେ ଲେଖାଏଁ ଫେରିଥିବା ପ୍ରଶାସନ କହିଛି ।
ଚିହ୍ନଟ ହୋଇଥିବା 29ଜଣ ଙ୍କ ମଧ୍ୟରୁ 7ଜଣ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ବଳକା 22ଜଣ କଣ୍ଟେନମେଣ୍ଟ ଜୋନ ଅଞ୍ଚଳର ବୋଲି ପ୍ରଶାସନ ସୂଚନା ଦେଇଛି । କଣ୍ଟେନମେଣ୍ଟ ଅଞ୍ଚଳରେ ସ୍ବାସ୍ଥ୍ୟ ଟିମ ଯାଞ୍ଚ ବେଳେ ଚିହ୍ନଟ ହୋଇଥିବା 22ଜଣ ବ୍ୟକ୍ତିଙ୍କ ଲକ୍ଷଣ ଥିବାଜଣାପଡିବା ପରେ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା ।
ସେମାନଙ୍କ ସ୍ବାବ ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ତଙ୍କୁ ଜିଲ୍ଲା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି । ସେପଟେ ଜିଲ୍ଲାରେ ମୋଟ 384ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତମାନ ସୁଦ୍ଧା 124 ଜଣ ସୁସ୍ଥ ହୋଇ ଘରକୁ ଫେରୁଥିବା ବେଳେ ଅନ୍ୟ 260ଜଣ ଚିକିତ୍ସିତ ହେଉଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଷ୍ଟେଟ ବ୍ୟାଙ୍କର ପାରଳାଖେମୁଣ୍ଡି ଶାଖାର ଜଣେ କର୍ମଚାରୀ ଭୂବନେଶ୍ବରରେ କୋରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ବ୍ୟାଙ୍କକୁ ବନ୍ଦ ରଖାଯିବା ସହ ବିଶୋଧନ କରାଯାଇଛି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ