ପାରଳାଖେମୁଣ୍ଡି: ଗୋଟିଏ ସୀମାରେ ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟର ମିଳିତ ସର୍ଭେ ଜାରି ରହିଥିବା ବେଳେ ଆର ସୀମାରେ ଅନୁପ୍ରବେଶ ଭଦ୍ୟମ କରିଛି ଆନ୍ଧ୍ର । ପ୍ରଥମେ ବିଜୁଳି ଆଲୁଅ ଦେଇ ଲୋକଙ୍କ ପ୍ରଲୋଭିତ କରିବା ପରେ ଏବେ ଗାଁରେ ରାସ୍ତା ନିର୍ମାଣ ପାଇଁ ପ୍ରୟାସ କରୁଛି । ଏହା ପ୍ରଶାସନର ଦୃଷ୍ଟିକୁ ଆସିବା ପରେ ଏହାକୁ ବନ୍ଦ କରିଛି । ଏଭଳି ଏକ ଘଟଣା ଲୋକଲୋଚନକୁ ଆସିଛି ଗଜପତି ଜିଲ୍ଲା ରାୟଗଡ ବ୍ଳକ ମାଣିକପାଟଣା ଗାଁରେ । ସୀମା ସଙ୍କଟରେ ଥିବା ବେଳେ ଏହି ଅଂଚଳରେ ରହୁଥିବା ଲୋକେ ନାହିଁନଥିବା ହଇରାଣ ହେଉଛନ୍ତି । ତେଣୁ ଏହାର ସମାଧାନ ପାଇଁ ବାରମ୍ବାର ଦାବି ହୋଇ ଆସୁଛି । ତେବେ ସମସ୍ତ ସୀମା ସୁରକ୍ଷା ପାଇଁ ଏକ ଟିମ୍ ଗଠନ କରାଯାଇଛି ଏବଂ ସେମାନେ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ଏହାର ସମାଧାନ ପାଇଁ ପ୍ରୟାସ କରାଯିବ ବୋଲି କହିଛି ପ୍ରଶାସନ ।
ଜିଲ୍ଲାର ରାୟଗଡ ବ୍ଲକ ଗଙ୍ଗାବାଡ ଫଚାୟତର ମାଣିକପାଟଣା ଗାଁ । ଓଡିଶାର ଏହି ଗାଁରେ ରହନ୍ତି ପ୍ରାୟ ଶହ ଲୋକ । ସମସ୍ତେ ଆଦିବାସୀ ସଂପ୍ରଦାୟର । ସମାନ୍ତରେ ଥିବା ଏହି ଗାଁକୁ ନାଁ ଗାଁ କେତେବେଳେ କେମିତି ସରକାରୀ ବାବୁଙ୍କ ପାଦ ପଡେ । ଯଦିଓ ତିତିଲି ସମସ୍ତେ ଏହି ଅଂଚଳକୁ ସମସ୍ତ ଅଧିକାରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ଯାଏଁ ସମସ୍ତେ ଘନ ଘନ ଗସ୍ତ କରିଥିଲେ, କିନ୍ତୁ ଏହା ପରେ ସ୍ଥିତି ଯଥା ପୂର୍ବ । ତେଣୁ ଏହାର ସୁଯୋଗ ନେଇ ଆନ୍ଧ୍ର ଏହି ଗାଁ ଉପରେ ମଧ୍ୟ ନିଜର ଲୋଲୁପ ଦୃଷ୍ଟି ପକାଇଛି । ଏହି ଗାଁରେ ଓଡିଶା ପକ୍ଷରୁ ବିଜୁଳି ସଂଯୋଗ କରାଯାଇଥିଲେ ମଧ୍ୟ ମାସରେ ଅଧିକାଂଶ ଦିନ ଏହା କାମ କରୁନାହିଁ । ଥରେ ଖରାପ ହେଲେ ଏହାକୁ ସଜାଡିବା ପାଇଁ ଅତି କମରେ ୧୦ ଦିନ ଅନ୍ଧାରରେ ରହିବାକୁ ପଡୁଛି ଏହି ଗାଁ ଲୋକଙ୍କୁ । ସେପଟେ ଏହି ଗାଁ ଦେଇ ଯାଇଥିବା ଆନ୍ଧ୍ରର ବିଜୁଳି ତାରରେ ଅନବରତ ସରବରାହ ରହୁଛି । ତେଣୁ ଏହାକୁ ବ୍ୟବହାର କରିବା ପାଇଁ ଲୋକ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି । ଏହାର ସୁଯୋଗ ନେଇ ଗାଁର ଅଧିକାଂଶ ଲୋକେଙ୍କୁ ବିଜୁଳି ଆଲୁଅ ଯୋଗାଇ ଦେଇଛି ଆନ୍ଧ୍ର । ଗତ କିଛି ବର୍ଷ ହେଲା ଓଡିଶାର ଏହି ଗାଁ ଆନ୍ଧ୍ର ବିଜୁଳିରେ ଆଲୋକିତ ହେଉଛି । ପ୍ରଥମେ ବିଜୁଳି ପ୍ରଲୋଭନ ଦେଖାଇଥିବା ଆନ୍ଧ୍ର ଏବେ ଗାଁ ମଝିରେ ରାସ୍ତା ନିର୍ମାଣ ପାଇଁ ମଧ୍ୟ ପ୍ରୟାସ କରିଛି । ଏପରିକି ଗାଁରେ ପ୍ରାୟ ଦେଢଶହ ମିଟର ଯାଏଁ ରାସ୍ତା ନିର୍ମାଣ କାମ କରିଛି । ଓଡିଶା ପକ୍ଷରୁ କୌଣସି ସୁବିଧା ସୁଯୋଗ ମିଳୁନଥିବା ବେଳେ ଆନ୍ଧ୍ରର ଅଧିକାରୀମାନେ ଚାରମାର ଗାଁକୁ ଆସି ସେମାନଙ୍କ ସୁଖଦୁଃଖ ବୁଝୁଛନ୍ତି ଏବଂ ସହାୟତା କରୁଛନ୍ତି । ତେଣୁ ଲୋକେ ମଧ୍ୟ ଏହାକୁ ଗ୍ରହଣ କରୁଥିବା କହିଛନ୍ତି ସେଠାକାର । ଏହି ଘଟଣା ପୂର୍ବରୁ ବହୁତ ଥର ହୋଇଥିଲେ ମଧ୍ୟ ଓଡିଶା ସରକାର କିଛି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଆନ୍ଧ୍ର ତାର ପ୍ରଲୋଭନ ଦେଖାଇ ଗାଁ ଲୋକଙ୍କୁ ତାଙ୍କ ଆଡକୁ ନେବାକୁ ଚେଷ୍ଟା କରୁଛି । ସୀମା ନିର୍ଦ୍ଦାରଣ କରି ଆନ୍ଧ୍ରକୁ ଉଚିତ ଜବାବ ଦେବାକୁ ଗଙ୍ଗାବାଡର ପୂର୍ବତନ ସରପଞ୍ଚ କହିଛନ୍ତି ।
କେବଳ ଏହି ଗାଁ ନୁହେଁ, ଏହାକୁ ଲାଗି ରହିଥିବା ତଳ ମାଣିକପାଟଣାରେ ମଧ୍ୟ ସେହି ଏକା ଅବସ୍ଥା । ଏଠାରେ ମଧ୍ୟ ଆନ୍ଧ୍ର ବିଜୁଳି ଯୋଗାଇବା ସହ ରାସ୍ତା ନିର୍ମାଣ କରିଛି । ଓଡିଶା ଗାଁରେ ଆନ୍ଧ୍ର ବିଜୁଳି ଦୀର୍ଘ ବର୍ଷ ହେଲା ଜଳୁଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କେହି ନହେଲେ ବି ସେହି ଅଷ ଅଂଚଳକୁ ଫଚାୟତ ନିର୍ବାହୀ ଅଧିକାରୀ ଏବଂ ସ୍କୁଲ ଶିକ୍ଷକ ଯାଉଥିବେ । ସେମାନଙ୍କ ଠାରୁ ମଧ୍ୟ ଖବର ସଂଗ୍ରହ କରାଯାଇନାହିଁ ନା ସମସ୍ତେ ସବୁ ଜାଣି ଚୁପ୍ ରହିଛନ୍ତି ତାହା ସବୁଠାରୁ ବଡ ପ୍ରଶ୍ନବାଚୀ । ତେବେ ବର୍ତ୍ତମାନ ଗାଁରେ ରାସ୍ତା ନିର୍ମାଣ କରିବାର ଖବର ପାଇ ପ୍ରଶାସନ ପକ୍ଷରୁ ଏହାକୁ ବନ୍ଦ କରିଦିଆଯାଇଛି । ବର୍ତ୍ତମାନ ଜିଲ୍ଲାର ୧୬ଟି ସ୍ଥାନକୁ ନେଇ ପଡୋଶୀ ଆନ୍ଧ୍ର ପ୍ରଦେଶ ସହ ବିବାଦ ରହିଛି । ତେଣୁ ଏସବୁର ସମାଧାନ ପାଇଁ ଏକ ଟିମ୍ ଗଠନ କରାଯାଇଛି । ଏହି ଟିମ୍ ବିବାଦୀୟ ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ସେହି ଅନୁସାରେ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରାଯିବ ବୋଲି ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ସଂଗ୍ରାମ ପଣ୍ଡା କହିଛନ୍ତି ।
ତେବେ ଗୋଟିଏ ସୀମାରେ ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟର ମିଳିତ ସର୍ଭେ ଜାରି ରହିଥିବା ବେଳେ ଆର ସୀମାରେ ଓଡିଶା ସୀମାର ଗାଁକୁ ଅକ୍ତିଆର କରିବା ଭଦ୍ୟମ କରୁଛି । ଏଭିଲ କ୍ଷେତ୍ରରେ ଓଡିଶା ସରକାର କିଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ