ଭୁବନେଶ୍ବର: 3 ଦିନିଆ ଓଡିଶା ଗସ୍ତରେ ଆସୁଛି କେନ୍ଦ୍ରୀୟ ଟିମ । ଆସନ୍ତା 24ରେ ଓଡିଶା ଆସି ଟିମ ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବ । ଗୃହ ବିଭାଗର ଯୁଗ୍ମ ସଚିବ ପିକେ ରାୟଙ୍କ ନେତୃତ୍ୱରେ 7 ଜଣିଆ ଅଧିକାରୀ ଭଦ୍ରକ, ବାଲେଶ୍ଵର ଓ କେନ୍ଦ୍ରାପଡା ଜିଲ୍ଲା ପରିଦର୍ଶନ କରିବେ । 26 ତାରିଖରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଓ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବ ଟିମ । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
24ରେ ଆସିବ କେନ୍ଦ୍ରୀୟ ଟିମ:
ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆସିଥିବା ଏକ ଚିଠି ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଛି । ନିକଟ ଅତୀତରେ ବାତ୍ୟା ଦାନା ଓ ପରବର୍ତ୍ତୀ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲା ବିପର୍ଯ୍ୟସ୍ତ ହୋଇଥିଲା । ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ଲାଗି କେନ୍ଦ୍ରୀୟ ଟିମ ଓଡିଶା ଗସ୍ତରେ ଆସୁଛନ୍ତି । ଆସନ୍ତା 24 ତାରିଖ ସନ୍ଧ୍ୟାରେ କେନ୍ଦ୍ରୀୟ ଟିମ ଓଡିଶାରେ ଆସି ପହଁଚିବେ । ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପି.କେ ରାୟଙ୍କ ନେତୃତ୍ୱରେ 7 ଜଣିଆ ଟିମ ଓଡିଶା ଆସୁଛନ୍ତି । ନଭେମ୍ବର 27 ତାରିଖ ପର୍ଯ୍ୟନ୍ତ ସେମାନେ ଓଡିଶାରେ ରହିବେ । ’’
25ରେ କ୍ଷତିଗ୍ରସ୍ତ ଅଞ୍ଚଳ ଯିବ କେନ୍ଦ୍ରୀୟ ଟିମ:
ଆସନ୍ତା ସୋମବାର ଅର୍ଥାତ 25 ତାରିଖ ଦିନ ଟିମ କ୍ଷତିଗ୍ରସ୍ତ ଜିଲ୍ଲା ପରିଦର୍ଶନ କରିବେ । ଭଦ୍ରକ, ବାଲେଶ୍ଵର ଓ କେନ୍ଦ୍ରାପଡା ଜିଲ୍ଲା ପରିଦର୍ଶନ କରିବ କେନ୍ଦ୍ରୀୟ ଦଳ । ତିନି ଜିଲ୍ଲାକୁ 3 ଭାଗରେ ବିଭକ୍ତ ହୋଇ ଟିମ ଯିବ । ରାଜସ୍ୱ ବିଭାଗର ଅଧିକାରୀ ମଧ୍ୟ ସେମାନଙ୍କ ସହିତ ରହିବେ । ସମ୍ପୃକ୍ତ ଜିଲ୍ଲାପାଳ ମାନଙ୍କୁ ମଧ୍ୟ ଏ ବାବଦରେ ଅବଗତ କରାଯାଇଛି । ରାଜ୍ୟ ପ୍ରଶାସନ ସହ 26 ତାରିଖରେ କେନ୍ଦ୍ରୀୟ ଟିମ ଆଲୋଚନା କରିବେ । ମୁଖ୍ୟ ଶାସନ ସଚିବଙ୍କ ରାଜସ୍ୱ ବିଭାଗ ଓ ଅନ୍ୟାନ୍ୟ ବିଭାଗ ସହିତ ଟିମ ଆଲୋଚନା କରିବେ । କ୍ଷୟକ୍ଷତିର ସମସ୍ତ ବିବରଣୀ ରାଜ୍ୟ ସରକାରଙ୍କ ଠାରୁ ଗ୍ରହଣ କରିବେ ।
ଏହା ମଧ୍ୟ ପଢନ୍ତୁ: ବାତ୍ୟା କ୍ଷୟକ୍ଷତିର ଆସିଲା ଚୂଡାନ୍ତ ରିପୋର୍ଟ, 'ପ୍ରଭାବିତଙ୍କୁ ଖୁବଶୀଘ୍ର ମିଳିବ କ୍ଷତିପୂରଣ' ବାତ୍ୟା 'ଦାନା'ରେ ୧୪ ଜିଲ୍ଲାର ୧୬୬ ବ୍ଲକ କ୍ଷତିଗ୍ରସ୍ତ, ୬୦୦ କୋଟିର କ୍ଷତି, ଆସିଲା ପ୍ରାଥମିକ ରିପୋର୍ଟ |
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିବ ଟିମ:
କେନ୍ଦ୍ରୀୟ ଟିମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଓଡିଶାର କ୍ଷୟକ୍ଷତି ରିପୋର୍ଟ ଓ ଜିଲ୍ଲା ପରିଦର୍ଶନ ଆଧାରରେ ଅର୍ଥ ବ୍ୟବସ୍ଥା ହେବ । କ୍ଷୟକ୍ଷତି ଅର୍ଥ ରାଜ୍ୟ ସରକାର ପ୍ରଦାନ କରିଥିବା ବେଳେ କେନ୍ଦ୍ରୀୟ ଟିମ ରିପୋର୍ଟ ଆଧାରରେ ଉକ୍ତ ଅର୍ଥ କେନ୍ଦ୍ର ସରକାର ଭରଣା କରିବେ । ବାତ୍ୟା କ୍ଷୟକ୍ଷତି ବାହାରେ ଓଡିଶା ସରକାର କେନ୍ଦ୍ରୀୟ ସହାୟତା ଓ ସହଯୋଗ ଲୋଡିବୁ । ପ୍ରତ୍ୟେକ ବର୍ଷ ଓଡିଶା ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଛି । ବିଶେଷ କରି ଘର ଭଙ୍ଗା କ୍ଷୟକ୍ଷତି ଓ ଶକ୍ତି ବିଭାଗର ଭିତ୍ତିଭୂମି କ୍ଷୟକ୍ଷତିର ସ୍ଥାୟୀ ସମାଧାନ ଲାଗି ସରକାର ପ୍ରୟାସ କରୁଛନ୍ତି । ଅବଶ୍ୟକ ଅର୍ଥ ରାଶି ଆକଳନ ବାବଦରେ ବିଶେଷଜ୍ଞ ସହ ଆଲୋଚନା କରୁଛୁ । ଏହା ପରେ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡିବୁ ।
ଇଟିଭି ଭାରତ, ଭୁବନେଶ୍ବର