ଗଜପତି: ପାରଳାଖେମୁଣ୍ଡିର ଜଣେ ଛାତ୍ର ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ଆନନ୍ଦପୁର ସ୍ଥିତ ‘ଶଶି ଏଜୁକେସନାଲ ଇନଷ୍ଟିଚ୍ୟୁଟ’ ନାମକ ଏକ ଆବାସିକ ମହାବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷରେ ପଢୁଥିଲେ । ତେବେ ଗତ ଶନିବାର ହଠାତ କଲେଜ ଛାତରୁ ଖସିପଡି ଗୁରୁତର ଭାବେ ଆହତ ହୋଇଥିବା ନେଇ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ପରିବାର ଲୋକ ପହଞ୍ଚିବା ବେଳକୁ ସଂପୃକ୍ତ ଛାତ୍ରର ମୃତ୍ୟୁ ହୋଇସାରିଥିବା ବେଳେ ମୃତଦେହ ଶବ ସଂରକ୍ଷଣ ରହୁଥିବା ପ୍ରକୋଷ୍ଠରେ ରଖାଯାଇଥିଲା ବୋଲି ମୃତ ଛାତ୍ରଙ୍କ ବାପା ୱାଇ.ନରସିଂହ ରାଓ କହିଛନ୍ତି । ଏହାସହ ତାଙ୍କ ପୁଅକୁ କେହି ଛାତରୁ ଠେଲି ମାରିଦେଇଥିବା ଅଭିଯୋଗ କରିଛନ୍ତି ୱାଇ.ନରସିଂହ ।
ସୂଚନା ଅନୁସାରେ ପାରଳାଖେମୁଣ୍ଡି ପୋଷ୍ଟ ଅଫିସ ନିକଟସ୍ଥ ସାହିରେ ରହୁଛନ୍ତି ନରସିଂହ ଓ ତାଙ୍କ ପରିବାର । ଏକମାତ୍ର ପୁଅ କାର୍ତ୍ତିକ ଗତ ୨୦୧୮ ମସିହା ଆନ୍ଧ୍ରର ପୁରୁଣାପାଟଣାମ ସ୍ଥିତ ରବିନ୍ଦ୍ର ଭାରତୀ ସ୍କୁଲରୁ ଦଶମ ଶ୍ରେଣୀ ପାସ କରିବା ପରେ ବିଶାଖପାଟଣା ନିକଟସ୍ଥ ଆନନ୍ଦପୁରରେ ପ୍ରତିଷ୍ଠିତ ‘ଶଶି ଏଜୁକେସନାଲ ଇନଷ୍ଟିଚ୍ୟୁଟ’ରେ ଯୁକ୍ତ ୨ ରେ ନାମ ଲେଖାଇଥିଲେ ।
ତେବେ ଗତକାଲି ସକାଳ 6ଟା ବେଳେ ନରସିଂହଙ୍କ ପାଖକୁ ଏକ ଫୋନ କଲ ଆସିଥିଲା । ଫୋନ କରିଥିବା ବ୍ୟକ୍ତି ଜଣକ ‘ଶଶି ଏଜୁକେସନାଲ ଇନଷ୍ଟିଚ୍ୟୁଟ’ କଲେଜର ଜଣେ କର୍ମଚାରୀ ବୋଲି କହିବା ସହ ତାଙ୍କ ପୁଅ କାର୍ତ୍ତିକ କଲେଜ ଛାତରୁ ଖସିପଡି ଗୁରୁତର ଭାବେ ଆହତ ହୋଇ ଏକ ଘରୋଇ ହସପିଟାଲର ଆଇସିୟୁରେ ଚିକିତ୍ସିତ ହେଉଥିବା କହିଥିଲେ । ଏହା ଶୁଣି ନରସିଂହ ତୁରନ୍ତ ବିଶାଖପାଟଣା ଯାଇ ପହଞ୍ଚିଲା ବେଳକୁ ଦେଖିଥିଲେ ପୁଅର ମୃତ୍ୟୁ ହୋଇସାରିଛି ।
ତେବେ ବିଡମ୍ବନା ହେଉଛି କାର୍ତ୍ତିକଙ୍କ କେମିତି ମୃତ୍ୟୁ ହେଲା? କିପରି ଏଭଳି ଅଘଟଣ ଘଟିଲା? ସେ ସଂପର୍କରେ କଲେଜ କର୍ତ୍ତୃପକ୍ଷ କୌଣସି ସ୍ପଷ୍ଟ କରିନଥିବା ବେଳେ ଛାତ୍ର କାର୍ତ୍ତିକଙ୍କ ପରିବାରଙ୍କୁ ଯେମିତି ସହଯୋଗ କରିବା କଥା କରିନାହାଁନ୍ତି ବୋଲି ନରସିଂହ ଅଭିଯୋଗ କରିଛନ୍ତି । ଏହାସହ ସ୍ଥାନୀୟ ପୋଲିସ ମଧ୍ୟ ଆବଶ୍ୟକ ସହଯୋଗ ନକରିବାରୁ ଶେଷରେ ନିରାଶ ହୋଇ ନରସିଂହ ପୁଅର ମୃତଦେହକୁ ନେଇ ଆଜି ପାରଳାଖେମୁଣ୍ଡି ଫେରି ଶେଷକୃର୍ତ୍ତ୍ୟ ସଂପନ୍ନ କରିଛନ୍ତି ।
ଏଠି ପ୍ରଶ୍ନ ଉଠୁଛି କାର୍ତ୍ତିକଙ୍କ ମୃତ୍ୟୁ ହେଲା କେମିତି ? କଲେଜ କର୍ତ୍ତୃପକ୍ଷ କାହିଁକି ଧରାଛୁଆଁ ଦେଉନାହାଁନ୍ତି । ମୃତ୍ୟୁ ପାଇଁ ଦାୟୀ କିଏ? ଜଣେ ଶୋକ ସନ୍ତପ୍ତ ପରିବାରକୁ ସାନ୍ତ୍ବନା ଦେବା ବଦଳରେ କାହିଁକି ହସ୍ପିଟାଲରେ ଛାଡି ଚାଲିଗଲେ । ଯାହାକୁ ନେଇ ପରିବାର ଲୋକଙ୍କର ସନ୍ଦେହ ବଢିବା ସହ ତଦନ୍ତ ଦାବି କରିଛନ୍ତି । ଏନେଇ କଲେଜ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନାହିଁ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ