ଗଜପତି: ନକଲି ସୁନା ଦେଇ ଋଣ ନେଇଥିବା ଅଭିଯୋଗରେ 10 ଜଣଙ୍କୁ ବାନ୍ଧିଲା ପାରଳାଖେମୁଣ୍ତି ପୋଲିସ । ଗିରଫ ଅଭିଯୁକ୍ତମାନେ ପାରଳାଖେମୁଣ୍ଡିର କଲ୍ୟାଣ କ୍ରିଷ୍ଣା, କାମ୍ପସାହିର ଜି.ଆନନ୍ଦ, ମାଧବ ବାରିକ, ପ୍ରଦ୍ୟୁମ୍ନ ପ୍ରଧାନ, ବଡବ୍ରାହ୍ମଣ ସାହିର ଏସ.ଆଞ୍ଜୀ ରାଓ, ମାଟିଆ ସାହି ଏସ.ପ୍ରଭାକର ରାଓ ଆଚାରୀ, ପ୍ରତ୍ୟୁଷ କୁମାର ଗମାଙ୍ଗ, କାଶୀନଗର ଥାନା ପୁରୁଟିଗୁଡାର ଜି.ଲୋକେଶ୍ବର ରାଓ , ବେତାଗୁଡାର ଜି.ବ୍ରାହ୍ମମ ବୋଲି ପାରଳାଖେମୁଣ୍ଡି ଥାନା ଅଧିକାରୀ ବାବୁଲି ନାୟକ ସୂଚନା ଦେଇଛନ୍ତି । ଏହି ଘଟଣା ସହ ଜଡିତ ଅନ୍ୟଜଣେ ମହିଳା ଅଭିଯୁକ୍ତ ଫେରାର୍ ଥିବା ବେଳେ ତାଙ୍କୁ ଧରିବା ପାଇଁ ପ୍ରୟ।ସ ଜାରି ରହିଥିବା ଥାନା ଅଧିକାରୀ କହିଛନ୍ତି ।
ପାରଳାଖେମୁଣ୍ଡି ଥାନା ଅଧିକାରୀ ବାବୁଲି ନାୟକ କହିଛନ୍ତି, ‘‘2022-23 ଆର୍ଥିକ ବର୍ଷରେ ପାରଳାଖେମୁଣ୍ଡି ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଅନେକ ଲୋକ ସୁନା ବନ୍ଧକ ଦେଇ ଋଣ ନେଇଥିଲେ। ଏହି ବାବଦରେ 362ଟି ପ୍ୟାକେଟ ସୁନା ରହିଥିଲା । ହେଲେ ବ୍ୟାଙ୍କର ଅଡିଟ୍ ସମୟରେ 21ଟି ପ୍ୟାକେଟରେ ନକଲି ସୁନା ଥିବା ଜଣାପଡଥିଲା । ନକଲି ସୁନା ଘଟଣାରେ 10 ଜଣଙ୍କୁ ଗିରଫ କରାଯାଇଥିଲା । ପରେ ବ୍ରହ୍ମପୁର ଆଞ୍ଚଳିକ ବ୍ୟାଙ୍କ ପରିଚାଳକ ପୁନଃ ଯାଞ୍ଚ କରିଥିଲେ। ଏହି ସମୟରେ 11ଜଣ ନକଲି ସୁନା ଦେଇ 27ଲକ୍ଷ ଟଙ୍କା ବ୍ୟାଙ୍କରୁ ଋଣ ନେଇଥିବା ଜଣାପଡିଥିଲା। ଫଳରେ ବ୍ୟାଙ୍କ ଶାଖା ପରିଚାଳକ ମନୋଜ କୁମାର ପାଲକା ଗତ ମେ ମାସ 5ତାରିଖରେ ପାରଳାଖେମୁଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଯେଉଥିରେ 11ଜଣ ଅଭିଯୁକ୍ତ ନକଲି ସୁନା ଦେଇଥିବା ବେଳେ ସେଗୁଡିକର ଯାଞ୍ଚ କରିଥିବା ବଣିଆ ମଧ୍ୟ ସେମାନଙ୍କୁ ଠକେଇ ସହଯୋଗ କରିଥିବା ଅଭିଯୋଗ କରିଥିଲେ । ଏହାକୁ ଭିତ୍ତି କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିଲା ।’’
ତେବେ ଏହି ଘଟଣାରେ ଜଡିତ 10ଜଣ ଋଣ ଗ୍ରହିତା ଏବଂ ସେମାନଙ୍କୁ ସହଯୋଗ କରିଥିବା ବଣିଆକୁ ପୋଲିସ୍ ଗିରଫ କରିଥିବା ବେଳେ ଅନ୍ୟ ଜଣେ ମହିଳା ଋଣ ଗ୍ରହିତା ଫେରାର ରହିଛନ୍ତି । ତେଣୁ ତାକୁ ମଧ୍ୟ ତୁରନ୍ତ ଗିରଫ କରାଯିବ ବୋଲି ପୋଲିସ୍ ସୂଚନା ଦେଇଛି । ଏହି ନକଲି ସୁନା ଋଣ ଗ୍ରହିତାମାନେ ଦେଇଥିଲେ ନା ପରବର୍ତ୍ତି ସମୟରେ କୌଣସି ପ୍ରକାର ଚଞ୍ଚକତା କରାଯାଇଛି ଯାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । ଏନେଇ ଘଟଣାର ଅଧିକ ତଦନ୍ତ ଜାରି ରହିଛି, ତଦନ୍ତ ପରେ ସବୁ କିଛି ସସ୍ପଷ୍ଟ ହେବ ବୋଲି ପାରଳାଖେମୁଣ୍ଡି ଥାନା ଅଧିକାରୀ ବାବୁଲି ନାୟକ କହିଛନ୍ତି ।
ଇଟିଭି ଭାରତ, ଗଜପତି