ଗଜପତି: ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ସିଙ୍ଗିପୁର ଗାଁରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କର ନାମ ୱାଇ. ହେମସୁନ୍ଦର ରାଓ (୨୫) ବୋଲି ଜଣାପଡିଛି । ତାଙ୍କ ଘର ଆନ୍ଧ୍ରପ୍ରଦେଶର ପୁରୁଣାପାଟଣାରେ ବୋଲି ସୂଚନା ମିଳିଛି । ପୁଲିସ ଏକ ଅପମୃତ୍ୟୁ ମାମଲା (୭/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ସୂଚନାନୁସାରେ, ସିଙ୍ଗିପୁର ଗାଁରେ ଏକ ଘର ନିର୍ମାଣ କାମ ଚାଲିଥିଲା । ଲୁହାଛଡ ସଜାଇବା ପାଇଁ ହେମସୁନ୍ଦର ଉପରେ ଚଢିଥିବା ବେଳେ ପାଖରେ ଯାଇଥିବା ୧୧ କେଭି ତାର ସଂସ୍ପର୍ଶରେ ଆସିଯାଇଥିଲେ । ତାଙ୍କୁ ସଙ୍ଗେସଙ୍ଗେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ହେମସୁନ୍ଦରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇ ପାରଳାଖେମୁଣ୍ଡି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏନେଇ ଅଧିକ ତଦନ୍ତ ଜାରି ରହିଥିବା ଏଏସଆଇ ଭୋଳାଶଙ୍କର ପଣ୍ଡା କହିଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ