ଗଜପତି : ଗଜପତି ଜିଲ୍ଲାରେ ଉଭୟ ତେଲୁଗୁ ଏବଂ ଓଡ଼ିଆ ସମ୍ପ୍ରଦାୟଙ୍କ ମଧ୍ୟରେ ପବିତ୍ର ମକର ସଂକ୍ରାନ୍ତି ଉତ୍ସବ ଆନନ୍ଦଉଲ୍ଲାସର ସହ ପାଳିତ ହୋଇଯାଇଛି । ମକର ସଂକ୍ରାନ୍ତି ହିନ୍ଦୁ ସଂସ୍କୃତିର ବେଶ ମହତ୍ବ ରଖେ । ବିଭିନ୍ନ ରାଜ୍ୟରେ ବିଭିନ୍ନ ସମ୍ପ୍ରଦାୟର ଲୋକେ ଏହି ଦିନକୁ ନିଜ ପରମ୍ପରା ଅନୁସାରେ ପାଳନ କରିଥାନ୍ତି । ତେବେ ଗଜପତି ଜିଲ୍ଲାରେ ଉଭୟ ତେଲୁଗୁ ଏବଂ ଓଡିଆ ସମ୍ପ୍ରଦାୟର ଲୋକେ ରହୁଥିବାରୁ ଏଠାରେ ଧୁମଧାମରେ ଏହି ଦିନକୁ ପାଳନ କରାଯାଇଛି । ତେଲୁଗୁ ସମ୍ପ୍ରଦାୟର ଲୋକେ ଏହି ଉତ୍ସବକୁ 4ଦିନ ଧରି ପାଳନ କରିଥାନ୍ତି । ଯିଏ ଯେଉଁଠି ଥିଲେ ମଧ୍ୟ ଏହି ଉତ୍ସବରେ ସାମିଲ ହେବା ପାଇଁ ସମସ୍ତେ ଘର ମୁହାଁ ହୋଇଥାନ୍ତି ।
ଆଜି ଓଡ଼ିଆ ଓ ତେଲୁଗୁ ଉଭୟଙ୍କ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେଇ ଉଭୟେ ମିଳିମିଶି ପାଳନ କରୁଛନ୍ତି ମକର ସଂକ୍ରାନ୍ତି। ମକର ଉତ୍ସବକୁ ଓଡ଼ିଆମାନେ ମକର ଚାଉଳ ଭୋଗଲାଗି କରି ପାଳନ କରୁଥିବା ବେଳେ ତେଲୁଗୁମାନେ ମଧ୍ୟ ସମାନ ଭାବେ ପୂଜା କରୁଛନ୍ତି । ଏହି ସମୟରେ ତେଲୁଗୁ ସମ୍ପ୍ରଦାୟର ମୁଖ୍ୟ ପର୍ବ ଭାବେ ପରିଚିତ ପୋଙ୍ଗଲକୁ ତେଲୁଗୁମାନେ ଖୁବ ଧୁମଧାମରେ ପାଳନ କରୁଥିବା ବେଳେ ଓଡିଆମାନେ ମଧ୍ୟ ଏହାକୁ ପାଳନ କରୁଛନ୍ତି । ଏହି ପର୍ବର ପ୍ରଥମ ଦିନକୁ ଭୋଗି ବୋଲି କୁହାଯାଇଥାଏ ।
ଏହାମଧ୍ୟ ପଢ଼ନ୍ତୁ. ରେଶମ ସହରରେ ଭୋଗୀ ପାଳିତ, ଧୁମଧାମରେ ମକର ସଂକ୍ରାନ୍ତି ପାଳିଲେ ତେଲୁଗୁ ସଂପ୍ରଦାୟ
ଏହି ଦିନ ବଡ ବଡ କାଠଗଣ୍ଡିରେ ନିଆଁ ଲଗାଇ ଅଗ୍ନି ଦେବତାଙ୍କୁ ପୂଜାର୍ଚ୍ଚାନା କରାଯାଉଥିବା ବେଳେ ଦ୍ବୀତିୟ ଦିନରେ ପାଣ୍ଡୁକୁ ପାଳନ କରିଥାନ୍ତି । ଏହି ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନ ବି କରାଯାଇଥାଏ । ସେହିଭଳି ତୃତୀୟ ଓ ଚତୁର୍ଥ ଦିନ କାନୁମୁ ଓ ମୁକାନୁମୁ ପାଳନ ହୋଇଥାଏ । ଏହି ସମୟରେ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଖାଇବାର ମଜା ଉଠାଇଥାନ୍ତି । ଏହି ଉତ୍ସବ ପାଳନର ଦୁଇଟି କାରଣ ରହିଛି । ଗୋଟିଏ ପିତୃ ପୁରୁଷଙ୍କ ପିଣ୍ଡଦାନ ପାଇଁ କରାଯାଇଥିବା ବେଳେ ଅନ୍ୟ କାରଣଟି ହେଉଛି ଚାଷୀମାନେ ହାଡଭଙ୍ଗା ଶୀତରେ କଷ୍ଟ କରି ଅମଳ କରିସାରିବା ପରେ ମଜା କରିବା ପାଇଁ ଏହା ପାଳନ କରାଯାଉଥିବା ମଧ୍ୟ କୁହାଯାଉଛି ।
ନୂତନ ଭାବେ ଅମଳ ହୋଇଥିବା ଫସଲକୁ ଠାକୁର ଏବଂ ପିତୃ ପୁରୁଷଙ୍କ ନିକଟରେ ଲାଗି କରିବା ସହ ବିଭିନ୍ନ ପ୍ରକାର ମଜା କରି ପାଇଁ ଏହାକୁ ପାଳନ କରାଯାଇଥାଏ । ଏହା ବନ୍ଧୁ ମିଳନର ଅନ୍ୟ ଏକ ମାଧ୍ୟମ ହୋଇଥିବାରୁ ସମସ୍ତେ ଏହାକୁ ପାଳନ କରିବା ପାଇଁ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇଥାନ୍ତି । ସଂସ୍କୃତି ଓ ପରମ୍ପରାର ସହର ପାରଳାଖେମୁଣ୍ଡି ସମେତ ଏହାର ଆଖପାଖ ଅଞ୍ଚଳରେ ଉଭୟ ତେଲୁଗୁ ଏବଂ ଓଡିଆ ସମ୍ପ୍ରଦାୟର ଲୋକେ ବିଶେଷଭାବେ ବସବାସ କରିଥାନ୍ତି । ତେଣୁ ଏହି ସବୁ ଅଞ୍ଚଳରେ ଉଭୟ ଉଭୟଙ୍କ ସଂସ୍କୃତି ଓ ପରମ୍ପରାକୁ ଆନନ୍ଦ ଉଲ୍ଲାସର ସହ ପାଳନ କରୁଥିବାରୁ ଉଭୟଙ୍କ ମଧ୍ୟରେ ଏକ ଭାଇଚାରର ସମ୍ପର୍କ ରହିଆସିଛି ।
ଇଟିଭି ଭାରତ, ଗଜପତି