ଗଜପତି: ସାରା ଦେଶରେ ଖଣ୍ଡବିଖଣ୍ଡିତ ହେବାରେ ଲାଗିଛି କଂଗ୍ରେସ ଦଳ । ଏସବୁରେ ବି ସଭିଙ୍କ ପାଇଁ ଏକ ଉଦାହରଣ ପାଲଟିଥିଲା ପାରଳାଖେମୁଣ୍ଡି କଂଗ୍ରେସ । ହେଲେ ଦଳର ଏହି ଗର୍ବକୁ ଭାଙ୍ଗି ଚୁରମାର କରିଥିଲା 2019 ସାଧାରଣ ନିର୍ବାଚନ । ଯେଉଁଥିରେ 4ର୍ଥ ସ୍ଥାନରେ ରହି ଦଳକୁ ପରାଜୟ ସ୍ବୀକାର କରିବାକୁ ପଡିଥିଲା । ପରେ ଦଳର ପରାଜୟ ସମୀକ୍ଷା ନାଁରେ ଏକ ବୈଠକ ଡାକି ନିଜ ଇସ୍ତଫା କଥା ପ୍ରକାଶ କରିଛନ୍ତି ପୂର୍ବତନ ବିଧାୟକ କେ ସୁରିୟା ରାଓ ।
ଚଳିତ ନିର୍ବାଚନରେ ଦଳର ପରାଜୟ ପାଇଁ ନେତୃତ୍ବକୁ ଦାୟୀ କହି ଆସନ୍ତା ଦୁଇ ଦିନ ମଧ୍ୟରେ ଇସ୍ତଫା ଦେବା ପାଇଁ ବୈଠକରେ ପ୍ରକାଶ କରିଛନ୍ତି ସୁରିୟା ରାଓ । ସୂଚନା ଅନୁଯାୟୀ ସୋମବର ଆୟୋଜିତ ଏହି ବୈଠକରେ ପ୍ରଥମେ ସମସ୍ତ କର୍ମୀ ନିଜ ନିଜ ମତାମତ ଦେଇଥିଲେ । ପରେ ସମସ୍ତଙ୍କୁ ଚକିତ କରି ନିଜ ଇସ୍ତଫା କଥା କହିଥିଲେ ସୁରିୟା । ତାଙ୍କ ମତ ଅନୁଯାୟୀ ସମସ୍ତେ ଏକାଠି ନହେବା ଯାଏଁ ଦଳର ବିଜୟ ସ୍ବପ୍ନ ଦେଖିବା ବୃଥା । ତେଣୁ ଦଳରୁ ଇସ୍ତଫା ଦେବା ହିଁ ବର୍ତ୍ତମାନ ଏକମାତ୍ର ଉପାୟ ରହିଛି ।
ଆଗାମୀ ଦିନରେ ଗଣ୍ଡଗୋଳର ପରିମାଣ ବଢିବ । ମାମଲା ପରେ ମାମଲା ରୁଜୁ ହେବ । ଲୋକଙ୍କ ମଧ୍ୟରେ ଶାସକ ଦଳ ପ୍ରତି ଅସନ୍ତୋଷ ବଢିବ । ସେହି ସମୟରେ ମୋ ଲୋକଙ୍କ ପାଇଁ ମୁଁ କିଛି କରିପାରିବିନି ଏବଂ ଲୋକଙ୍କ ଦୁଃଖ ମୁଁ ଦେଖିପାରିବିନି । ତେଣୁ ଏଭଳି ସ୍ଥିତିରେ ଦଳ ଛାଡିବା ଉଚିତ୍ ବୋଲି କହି ଦଳରୁ ନିଜ ଇସ୍ତଫା କଥା କହିଥିଲେ ସୁରିୟା । ତେବେ ବିଜେପି ହେଉଛି ଆମର ଶତ୍ରୁ, ସେଠାକୁ ଯିବି ନାହିଁ । ଅନ୍ୟପଟେ ବିଜେଡିରେ ଯୋଗ ଦେବା ନେଇ କୌଣସି ସ୍ପଷ୍ଟୋକ୍ତି ପ୍ରକାଶ କରି ନାହାନ୍ତି ସୁରିୟା ।
ସୁରିୟାଙ୍କର ଏହି ନିଷ୍ପତ୍ତିରେ ମହିଳା କଂଗ୍ରେସ ସଭାନେତ୍ରୀ ପ୍ରେମିକା ମଣ୍ଡଳ ଏକମତ ଥିବା ବେଳେ ଏହି ନିଷ୍ପତ୍ତିକୁ ଖାତିର ନ କରି ଦଳ ସହ ରହି କାମ କରିବା କଥା ପ୍ରକାଶ କରିଛନ୍ତି ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା । ତେବେ ଦଳୀୟ ଟିକଟ ପାଇଁ ଏକାଧିକ ଆଶାୟୀଙ୍କ ଯୋଗୁଁ ପ୍ରଥମ ଥର ପାଇଁ ଦୁଇଭାଗ ହୋଇଥିଲା ଦଳ । ପ୍ରଥମରୁ ତିରୁପତି ପାଣିଗ୍ରାହୀଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରି ସୁରିୟାଙ୍କ ସହ ରହିଥିବା କର୍ମୀ ଏବେ କଣ କରିବେ ତାହା ଉପରେ ସମସ୍ତଙ୍କ ନଜର ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ