ଭୁବନେଶ୍ୱର: ଚିଟଫଣ୍ଡ ଠକେଇରେ ଶିକାର ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ ଏଭଳି କହିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।1990 ଏବଂ 2002ରେ ଏକ ଚିଟଫଣ୍ଡ ସଂସ୍ଥା ଦ୍ୱାରା ସେ ଠକେଇର ଶିକାର ହୋଇଥିବା କହିଛନ୍ତି ।
ଆଜି (ମଙ୍ଗଳବାର) ଲୋକସଭା ଭବନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାତୀୟ ଖାଉଟି ଅଧିକାର ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସଚେତନ ଖାଉଟି ଏବଂ ସୁରକ୍ଷିତ ଖାଉଟି ଉପରେ ଆଲୋଚନା କରିବା ସହ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବିଭିନ୍ନ କଲ୍ୟାଣମୂଳକ ଯୋଜନା ବିଷୟରେ ଆଲୋକପାତ କରିଥିଲେ ।
ମୁଖ୍ୟମନ୍ତ୍ରୀ ବି ଫସିଥିଲେ ଚିଟଫଣ୍ଡ ସ୍କାମରେ
ଉପଭୋକ୍ତାମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ନିଆଯିବା ପଦକ୍ଷେପ ଓ ଉପଭୋକ୍ତାମାନଙ୍କୁ କିଭଳି ସଶକ୍ତ କରାଯିବ ସେନେଇ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ଚିଟଫଣ୍ଡର ଶିକାର ହୋଇଥିବା ନେଇ କହିଛନ୍ତି । ସେ କହିଛନ୍ତି," ମୁଁ ବି ଠକେଇର ଶିକାର ହୋଇଥିଲି । 2ଟି ସଂସ୍ଥା ଦ୍ୱାରା ମୁଁ ଠକେଇର ଶିକାର ହୋଇଛି । ଗୋଟିଏ ସରକାରୀ ଏବଂ ଗୋଟିଏ ବେସରକାରୀ ସଂସ୍ଥା ମୋତେ ଠକିଥିଲେ । ପଇସା ଯୋଗାଡ କରି ଦେଲାପରେ କିଛି ଦିନ ଜଣାପଡିଲା ଯେ ସେହି ସଂସ୍ଥା ଠକ । 1986 ଆଇନରେ ଅପିଲ ବି କରିଥିଲି କିନ୍ତୁ ରାସ୍ତା ଏତେ ଜଟିଳ ଥିଲା ଯେ ପଇସା ମିଳିଲାନି । 1986 ଆଇନକୁ 2019ରେ ସଂଶୋଧନ କରାଯାଇଛି । ମୋଦିଙ୍କ ଦିଗଦର୍ଶନରେ ଏହି ସବୁ ଗଳା ବାଟ ବନ୍ଦ ହୋଇଛି ।"
ଯୋଗାଣ ଅଫିସରେ ନାହାନ୍ତି ଷ୍ଟାଫ୍
ଅନ୍ୟପଟେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, "୨୪ ବର୍ଷ ମଧ୍ୟରେ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ଯୋଗାଣ ଅଫିସରେ ଷ୍ଟାଫ ନାହାନ୍ତି । ଅଫିସ ଖୋଲୁ ନାହାନ୍ତି । କଳାବଜାରୀ କିମ୍ବା ଠକେଇ କରିବା ପାଇଁ ବ୍ୟବସାୟୀମାନଙ୍କ ମଧ୍ୟରେ ଯେଉଁ ଭୟ ରହିବା କଥା ସେ ଭୟ ନାହିଁ । ରାଜ୍ୟରେ 371 ଟାଙ୍କିରେ କମ ତେଲ ଆସୁଛି । 5 ଲିଟର ତେଲ ନେଲେ 30ରୁ 40 ଗ୍ରାମ କମ ଆସୁଛି । ସେହିଭଳି ଗ୍ୟାସରେ ବି ଠକେଇ ହେଉଛି। 14 କେଜି 19 କେଜି ଗ୍ୟାସରେ ଓଜନରେ ଠକେଇ ହେଉଛି। ସେଥିପାଇଁ ଜିଲ୍ଲା ସ୍ତର ଏବଂ ରାଜ୍ୟ ସ୍ତରରେ କନଜ୍ୟୁମର କୋର୍ଟକୁ ସଶକ୍ତ କରାଯିବ।"
ଏହାମଧ୍ୟ ପଢନ୍ତୁ... ଅଯୋଗ୍ୟ ରାସନକାର୍ଡ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦିଅ: ମନ୍ତ୍ରୀ ରାସନ କାର୍ଡ EKYCକୁ ନେଇ ଆସିଲା ବଡ଼ ଅପଡେଟ୍, ଏମିତି କହିଲେ ମନ୍ତ୍ରୀ - RATION CARD VERIFICATION |
ଇଟିଭି ଭାରତ, ଭୁବନେଶ୍ୱର