ଗଜପତି: ଭୋକିଲା ପେଟକୁ ଦାନା ଯୋଗାଡିବା ସହ ମୁହଁରେ ଖୁସିର ହସ ଫୁଟାଇବାକୁ ଗଜପତି ସହରରେ ଆରମ୍ଭ ହୋଇଛି ନୂଆ ପ୍ରୟାସ । ଏସପି ସାରା ଶର୍ମାଙ୍କ ଏହି ନିଆରା ପ୍ରୟାସରେ ସୋମବାର ସହରରେ ସ୍ଥାପନ ହୋଇଛି ‘ହାପି ଫ୍ରିଜ’ । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ।
କିଛି ମାସ ତଳେ ଅକ୍ଷୟ ଦାନ ପାତ୍ର ଦାନ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ଲୋକେ ଏଠାରେ ନିଜର ବଳକା ଖାଦ୍ୟ ଏବଂ ଅନ୍ୟାନ୍ୟ ଜିନିଷ ରଖି ଗରିବଙ୍କ ପାଇଁ ଖାଦ୍ୟ ଯୋଗାଇ ପାରିବେ । ଆବଶ୍ୟକ ଥିବା ଲୋକେ ଏଠାରୁ ଖାଦ୍ୟ ସଂଗ୍ରହ କରି ନିଜ କାମରେ ଲଗାଉଛନ୍ତି । ତେବେ ଏଠାରେ ରଖାଯାଉଥିବା ଖାଦ୍ୟ ଅନେକ ସମୟରେ ଖରାପ ହୋଇଯାଉଥିବାରୁ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ ।
ଏସପିଙ୍କ ନଜରକୁ ଏକଥା ଆସିବା ପରେ ଏଠାରେ ଏକ ଫ୍ରିଜ୍ ସ୍ଥାପନ କରିବା ପାଇଁ ଯୋଜନା କରିଥିଲେ । ଯାହାର ସୋମବାର ଉଦଘାଟନ ହୋଇଛି । ଏହା ଲୋକଙ୍କ କାମରେ ଲାଗିବ ଏବଂ ଏହାଦ୍ବାରା ଖାଦ୍ୟ ମଧ୍ୟ ନଷ୍ଟ ହେବ ନାହିଁ ବୋଲି ଏସପି ସୂଚନା ଦେଇଛନ୍ତି । ଏସପିଙ୍କ ଏଭଳି କାର୍ଯ୍ୟକ୍ରମକୁ ଉଭୟ ସାଂସଦ ଏବଂ ବିଧାୟକ ମଧ୍ୟ ଖୁବ ପ୍ରଶଂସା କରିଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ