ଗଜପତି: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା । ଗତକାଲି ଏହି ମାମଲାରେ ଡିଏଫଓଙ୍କୁ ତଦନ୍ତକାରୀ ଦଳ ଜେରା କରିଥିବା ବେଳେ ଡିଏଫଓ ଏବଂ ରୋଷେୟାଙ୍କୁ ଏସପି କ୍ଲିନଚିଟ୍ ଦେଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ତଦନ୍ତ ସରିନଥିବା ବେଳେ ଏସପି କେଉଁ ଆଧାରରେ ଏଭଳି କହିଲେ ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ ।
ସୌମ୍ୟଙ୍କ ମୃତ୍ୟୁ ପାଇଁ ତାଙ୍କ ପତ୍ନୀ ବିଦ୍ୟାଭାରତୀ ଏବଂ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ମଧ୍ୟରେ ରହିଥିବା ଅନୈତିକ ସଂପର୍କ ଦାୟୀ ଏବଂ ଏଥିରେ ରୋଷେୟାଙ୍କ ସଂପୃକ୍ତି ରହିଥିବା ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ଅଭିଯୋଗ କରିବା ସହ ଏତଲା ଦେଇଥିଲେ । ଏହାକୁ ଭିତ୍ତି କରି ପାରଳାଖେମୁଣ୍ଡି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ତେବେ ଡିଏଫଓଙ୍କୁ କାହିଁକି ଜେରା କରାଯାଉନାହିଁ ବୋଲି ପ୍ରଶ୍ନ ଉଠିଥିବା ବେଳେ ଗତକାଲି ଡିଏଫଓଙ୍କୁ ଜେରା କରିଥିଲା ତଦନ୍ତକାରୀ ଦଳ । ଏହାର କିଛି ସମୟ ପରେ ଗଜପତି ଏସପି ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ବିଦ୍ୟାଭାରତୀଙ୍କ ସିଡିଆର ଯାଞ୍ଚ ବେଳେ ଡିଏଫଓଙ୍କ ସହ ବିଦ୍ୟା ଭାରତୀଙ୍କ କୌଣସି ସମ୍ପୃକ୍ତି ଥିବା ଜଣାପଡିନାହିଁ । ସେହିପରି ରୋଷେୟା ମଧ୍ୟ ସାମିଲ ନଥିବା କହିଥିଲେ । ବରଂ ଏସିଏଫ ଗୁରୁତର ଥିବା ବେଳେ ତାଙ୍କ ଅଧିକ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସହାୟତା କରିଥିଲେ ।
ସେହିପରି ଗୁରାଣ୍ଡି ଥାନା ଅଧିକାରୀଙ୍କ ସଂପର୍କରେ ଏସପି କହିଛନ୍ତି ଯେ, ସେ ଏକ ମାମଲାର ତଦନ୍ତ ପାଇଁ ଯାଇଥିଲେ । ତେବେ ବିଦ୍ୟାଙ୍କ ମାଁଙ୍କ ଠାରୁ ଫୋନ ପାଇ ସେ ହସ୍ପିଟାଲକୁ ଯାଇଥିଲେ । ତେବେ ଆମ୍ବୁଲାନ୍ସ ଅଟକାଯାଇଥିବା ନେଇ ଏସପି କହିଛନ୍ତି ଯେ ଘରୁ ଲୁଗାପଟା ଆଣିବା ପାଇଁ ବିଦ୍ୟା ଭାରତୀ ଯାଇଥିବାରୁ ଆମ୍ବୁଲାନ୍ସକୁ ଅଟକାଯାଇଥିଲା । ଏସପିଙ୍କ ଏଭଳି ସୂଚନା ପରେ ପରୋକ୍ଷରେ ଡିଏଫଓ ଏବଂ ମହିଳା ପୋଲିସ ଅଧୀକାରୀଙ୍କୁ ଏକ ପ୍ରକାର କ୍ଲିନଚିଟ ଦେଇଛନ୍ତି ।
ଏ ଘଟଣାକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ଏସପିଙ୍କ ଏଭଳି ବୟାନକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ସେପଟେ ବିଦ୍ୟା ଭାରତୀ ବଲାଙ୍ଗୀର ଯାଇଥିବା କାରର ଡ୍ରାଇଭର, ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡା ଏବଂ ଡିଏଫଓଙ୍କ ଘନିଷ୍ଠ କୁହାଯାଉଥିବା ଜଣେ ଫରେଷ୍ଟ ଗାର୍ଡଙ୍କୁ ପଚରାଉଚୁରା କରିଛି ତଦନ୍ତକାରୀ ଟିମ୍ ।
ମମତା ଗଣମାଧ୍ୟମ ସମ୍ମୁଖରେ କିଛି କହିବାକୁ ମନା କରିଥିବା ବେଳେ ଡ୍ରାଇଭର ଦୁଇଥର ବଲାଙ୍ଗୀର ଯାଇଥିବା କହିଛି । ସେହିପରି ଫରେଷ୍ଟ ଗାର୍ଡ ସେଦିନ ହସ୍ପିଟାଲ ନେବା ବେଳର କଥା ତଦନ୍ତକାରୀ ଅଧିକାରୀ ପଚାରିଥିଲେ ଏବଂ ସେ ଏହାର ଉତର ଦେଇଥିବା କହିଛନ୍ତି । ରହସ୍ୟ ଉପରୁ ପରଦା ହଟିନଥିବା ବେଳେ ଡିଏଫଓଙ୍କୁ ଏସପିଙ୍କ କ୍ଲିନ ଚିଟ୍ ତଦନ୍ତକୁ ବାଟବଣା କରିବନିତ ? ତାହା ଏବେ ସବୁଠାରୁ ବଡ ପ୍ରଶ୍ନ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ