ପାରଳାଖେମୁଣ୍ଡି: ଲାଞ୍ଚ ନେଇ ଧରା ପଡ଼ିଲେ କନିଷ୍ଠ ଯନ୍ତ୍ରୀ । ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ଗତପତି ଜିଲ୍ଲା କାଶୀନଗର ଏନଏସି ଜେଇ ନରେନ୍ଦ୍ର କୁମାର ସାହୁଙ୍କୁ ଲାଞ୍ଚ ନେବା ମାମଲାରେ ଗିରଫ କରିଛି ଭିଜିଲାନ୍ସ ବିଭାଗ । ଏକ ବିଲ୍ କରାଇ ଦେବା ପାଇଁ ଜଣେ ଠିକଦାରଙ୍କଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍ ।
ମିଳିଥିବା ସୂଚନାନୁସାରେ, ଗଜପତି ଜିଲ୍ଲା କାଶୀନଗର NACର 11ନମ୍ବର ରୋଡ୍ରେ ସିସି ରୋଡ କାମ ବାବଦର ବିଲ୍ କରାଇବା ପାଇଁ ଠିକାଦାର କେ.ତେଜେଶ୍ବର ରାଓ କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ସାହୁଙ୍କ ପାଖକୁ ଯାଇଥିଲେ । ହେଲେ ଏହି କାମ ପାଇଁ ଅର୍ଥ ଆବଶ୍ୟକ ବୋଲି କହିଥିଲେ ଯନ୍ତ୍ରୀ ନରେନ୍ଦ୍ର । ଏପରିକି ବିଲ୍ କରାଇବା ପାଇଁ ଠିକାଦାର କେ.ତେଜେଶ୍ବର ରାଓଙ୍କଠାରୁ 30ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।
ଏନେଇ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ଆଲୋଚନା ବି ହୋଇଥିଲା । ଆଲୋଚନାକୁ ନେଇ ଜେଇ କହିଥିଲେ ୩୦ ହଜାରରୁ କମ ହେଲେ କାମ ହୋଇପାରିବ ନାହିଁ । ଏନେଇ ଠିକାଦାର କେ.ତେଜେଶ୍ବର ରାଓ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଭିଜିଲାନ୍ସ ବିଭାଗରେ ସବୁ କଥା କହିଥିଲେ ଠିକାଦାର ।
ଠିକାଦାରଙ୍କଠାରୁ ଭିଜିଲାନ୍ସ ସବୁ କଥା ଶୁଣି କନିଷ୍ଠ ଯନ୍ତ୍ରୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଏହାପରେ ପୂର୍ବ ଯୋଜନା ଅନୁଯାୟୀ ଡିଏସପି ଶରତ ସାହୁଙ୍କ ନେତୃତ୍ବରେ ଭିଜିଲାନ୍ସ ଟିମ୍ ଜେଇ ନରେନ୍ଦ୍ର କୁମାର ସାହୁଙ୍କ ଘର ପାଖରେ ଛପି ରହିଥିଲେ । ସେଠାରେ ଠିକାଦାର କେ.ତେଜେଶ୍ବର ରାଓ ଜେଇ ନରେନ୍ଦ୍ରଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ମାଡ଼ି ବସିଥଲା ଭିଜିଲାନ୍ସ ଟିମ୍ । ଏହାପରେ ଭିଜିଲାନ୍ସ ଟିମ୍ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲା । ଏହାପରେ ଭିଜିଲାନ୍ସ ଟିମ୍ ତାଙ୍କ କାର୍ଯ୍ୟାଳୟ ଏବଂ କାଶୀନଗରସ୍ଥିତ ଭଡାଘରେ ଚଢଉ ଆରମ୍ଭ କରିଥିଲା ।
ଇଟିଭି ଭାରତ, ଗଜପତି