ଗଜପତି: ଓଡିଶା ସୀମାରେ ଆନ୍ଧ୍ର ଆରମ୍ଭ କରିଛି ରାସ୍ତାକାମ । କାଶୀନଗର ବ୍ଲକ ମୋଇଲ ଠାରେ ରାସ୍ତାକାମ ହେଉଥିବା ଖବର ପାଇ ପ୍ରଶାସନ କାମ ଉପରେ ରୋକ ଲଗାଇବା ସହ କାମରେ ବ୍ୟବହୃତ ଗାଡି, ସିମେଣ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିଛି । କାଶୀନଗର ତହସିଲଦାର ଓ ପୋଲିସ ଫୋର୍ସ ପହଞ୍ଚି କାମକୁ ବନ୍ଦ କରିଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ, ମୋଇଲ ଠାରୁ ମାତ୍ର 1 କିମି ଦୂରରେ ରହିଛି ଆନ୍ଧ୍ରର ଆଳତି ଗାଁ । ଏହି ଗାଁକୁ ଆନ୍ଧ୍ର ସରକାର ରାସ୍ତା ନିର୍ମାଣ କରୁ ଥିବାବେଳେ ଗଜପତି ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ଓଡିଶା ସୀମାରେ ରାସ୍ତା ନିର୍ମାଣ କରୁଥିଲା । ତେବେ ଏହି ଖବର ପାଇବା ପରେ ଉପଜିଲ୍ଲାପାଳଙ୍କ ନେତୃତ୍ବରେ କାଶୀନଗର ତହସିଲଦାର ଏବଂ ପୋଲିସ ଫୋର୍ସ ପହଁଞ୍ଚି କାମକୁ ବନ୍ଦ କରିବା ସହ ଏଥିରେ ବ୍ୟବହୃତ ସାମଗ୍ରୀକୁ ଜବତ କରିଛନ୍ତି । ଅନ୍ୟପଟେ ଖୁବଶୀଘ୍ର ଆନ୍ଧ୍ର-ଓଡିଶା ସୀମାନ୍ତରେ ସୀମା ଆରମ୍ଭ ଏବଂ ଶେଷ ବୋର୍ଡ ଲଗାଯିବା ସହ ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା କହିଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ