ଗଜପତି: ଜିଲ୍ଲାର ଭିନ୍ନ ଏକ ପରମ୍ପରା ହେଉଛି ପାରଳାଖେମୁଣ୍ଡିର ଗଜମୁହାଁ । ପ୍ରତିବର୍ଷ ଚୈତ୍ରମାସର ପ୍ରତ୍ୟେକ ମଙ୍ଗଳବାରରେ ଏହା ପାଳିତ ହେଉଥିବାବେଳେ ଶେଷ ମଙ୍ଗଳବାର ଖୁବ୍ ଆକର୍ଷଣୀୟ ହୋଇଥାଏ । କଟିକିଆ ସାହିର ଗଜମୁହାଁର ରହିଛି ବିଶେଷ ସ୍ବତନ୍ତ୍ରତା । ଏହି ସମୟରେ ଏହି ପର୍ବରେ ସାମିଲ ହେବାପାଇଁ ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି ସମସ୍ତେ ଘରମୁହାଁ ହୋଇଥାନ୍ତି । ମହାମାରୀରୁ ରକ୍ଷା ପାଇବା ପାଇଁ ଠାକୁରାଣୀଙ୍କ ନିକଟରେ ଗଜମୁହାଁ ଭୋଗ କରିବା ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି । ଆଜି ବି ଗଜପତି ଜିଲ୍ଲାବାସିନ୍ଦା ଆଜି ବି ଲୋକେ ଏହାକୁ ପାଳନ କରିଆସୁଛନ୍ତି ।
ଲିଆ, ଗୁଡ଼ରେ ପ୍ରସ୍ତୁତ ଗଜମୁହାଁକୁ ବିଭିନ୍ନ ପ୍ରକାରରେ ସଜ୍ଜିତ କରି ମଙ୍ଗଳବାର ସନ୍ଧ୍ୟାରେ ସାହିର ଯୁବକମାନେ ଏହାକୁ ପୂଜା କରିବା ସହ ମୁଣ୍ଡରେ ଧରି ସହର ପରିକ୍ରମା କରିଥାନ୍ତି । ବୁଧବାର ସକାଳୁ ଠାକୁରାଣୀଙ୍କ ନିକଟରେ ଭୋଗ ଲାଗି ପରେ ଏହାକୁ ସମସ୍ତେ ପାଇଥାନ୍ତି । ମୁହାଁ ପରିକ୍ରମା ସମୟରେ ବାଜୁଥିବା ବାଜାର ବି ସ୍ବତନ୍ତ୍ରତା ରହିଛି । ଏହି ପରମ୍ପରାକୁ ପାଳନ କରିବା ପାଇଁ କଟିକିଆ ସାହିର ଯିଏ ଯେଉଁଠି ଥାନ୍ତୁ ନା କାହିଁକି ସମସ୍ତେ ଘର ମୁହାଁ ହୋଇଥାନ୍ତି ।
ସମସ୍ତେ ରାତି ତମାମ ବୁଲିବା ସହ ବୁଧବାର ସକାଳେ ଏହାକୁ ବିସର୍ଜନ କରିବା ପରେ ଘରକୁ ଫେରିଥାନ୍ତି । ଏଥିରେ ପିଲା ଠାରୁ ବୁଢା ସମସ୍ତେ ସାମିଲ ହୋଇ ଗଜମୁହାଁ ଭୋଗ ମଜା ଉଠାଇଥାନ୍ତି । ତେଣୁ ବଡ଼ ମାନଙ୍କ ପାଇଁ ବଡ଼ ଏବଂ ଛୋଟ ପିଲାଙ୍କ ପାଇଁ ସାନ ମୁଆଁ ପ୍ରସ୍ତୁତ କରାଯାଇଥାଏ । ବହୁ ବର୍ଷ ତଳେ ପାଳାଖେମୁଣ୍ଡିରେ ମହାମାରୀ ଦେଖାଦେଇଥିଲା । ଏଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ ।
ଏଥିରୁ ରକ୍ଷା ପାଇବା ପାଇଁ ଏଠାକାର ଲୋକେ ଚୈତ୍ରମାସ ମଙ୍ଗଳବାରରେ ଗଜମୁହାଁ ଠାକୁରାଣୀଙ୍କ ନିକଟରେ ଭୋଗ କରିଥିଲେ । ଏହାପରେ ମହାମାରୀରୁ ରକ୍ଷା ମିଳିଥିଲା ବୋଲି କୁହାଯାଏ । ସେହିଦିନ ଠାରୁ ଆରମ୍ଭ ହୋଇଥିବା ଏହି ପରମ୍ପରା ଆଜି ବି ଜାରି ରହିଛି । ମାଆଁଙ୍କୁ ଶୀତଳ ନଦେଲେ ପୁଣିଥରେ କୌଣସି ପ୍ରକାର ଅଘଟଣ ଘଟିବ ବୋଲି ଲୋକଙ୍କ ଆଶଙ୍କାରେ ପ୍ରତିବର୍ଷ ଏହି ପୂଜା ଯାଉଥିବା କହିଛନ୍ତି ପୂଜକ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ