ଗଜପତି: କଥାରେ ଅଛି ଚାଷ କାମ ଯାହାର, କେତେ ସୁଖ ତାହାର । ହେଲେ ବର୍ତ୍ତମାନ ଚାଷ କାମରୁ ଅନେକ ମୁହଁ ଫେରାଇ ନେଉଥିବା ବେଳେ ଯୁଗ ସହ ତାଳ ଦେଇ ଚାଷକୁ ଭିନ୍ନ ଭାବେ କରି ଲାଭବାନ ହେଉଛନ୍ତି ଚାଷୀ । ଏଭଳି ଏକ ଉଦହାରଣ ସୃଷ୍ଟି କରିଛନ୍ତି ଗଜପତି ଜିଲ୍ଲା ଗୋଷାଣି ବ୍ଲକ ମଧୂସୂଦନପୁର ଗାଁର ମୋହନ ପାତ୍ର । ପାରମ୍ପରିକ ଚାଷକୁ ଛାଡି ପିଜୁଳି ଭଳି ଏକ ଲାଭଜନକ ଚାଷରେ ନିଜକୁ ନିୟୋଜିତ କରି ପ୍ରତିବର୍ଷ 2ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟକୁ ମଧ୍ୟ ରୋଜଗାର ଦେବାରେ ସଫଳ ହୋଇପାରିଛନ୍ତି ମୋହନ ପାତ୍ର ।
ଗଜପତି ଜିଲ୍ଲା ଗୋଷାଣି ବ୍ଲକ ମଧୂସୂଦନପୁର ଗାଁର ମୋହନ ପାତ୍ର । ବଂଶ ପରମ୍ପରା ଅନୁସାରେ ପୂର୍ବରୁ ଥିବା ତାଙ୍କ ଗୋଟିଏ ଏକର ଜମିରେ ପାରମ୍ପରିକ ଧାନ ଚାଷ କରୁଥିଲେ । ହେଲେ ଏଥିରେ ସେତେଟା ଲାଭ ମିଳିନଥିଲା । ଫଳରେ ସେ ପନିପରିବା ଚାଷ ଆରମ୍ଭ କରିଥିଲେ । ସେଥିରେ ମଧ୍ୟ ତାଙ୍କୁ ଏତେଟା ସଫଳତା ମିଳିନଥିଲା । ଏହି ସମୟରେ ଉଦ୍ୟାନ ବିଭାଗର ପରାମର୍ଶ ଲୋଡିଥିଲେ ମୋହନ । ଉଦ୍ୟାନ ବିଭାଗ ତାଙ୍କୁ ପିଜୁଳି ଚାଷ ସଂପର୍କରେ ବୁଝାଇବା ସହ ତାଲିମ ପାଇଁ ଖୋର୍ଦ୍ଧା ପଠାଇଥିଲେ । ତାଲିମ ଗ୍ରହଣ ପରେ ପାରଳାଖେମୁଣ୍ଡି ଉଦ୍ୟାନ ବିଭାଗ କାର୍ଯ୍ୟ।ଳୟ ପରିସରରେ କିଛି ଦିନ ରହି ଚାରା ଉତ୍ପାଦନ ସଂପର୍କରେ ଜ୍ଞାନ ଆହରଣ କରିଥିଲେ । ଏହାପରେ ସେ ତାଙ୍କ ଅଧା ଏକର ଜମିରେ ପିଜୁଳି ଚାଷ ଆରମ୍ଭ କରିଥିଲେ ।
ପ୍ରଥମେ ଉଦ୍ୟାନ ବିଭାଗ ପକ୍ଷରୁ 275ଟି ଗଛ ତାଙ୍କୁ ଯୋଗାଇ ଦିଆଯାଇଥିଲା । 2019 ମସିହାରେ ସେ ପ୍ରଥମେ ଏହି ଚାଷ ଆରମ୍ଭ କରିଥିଲେ । ହେଲେ ପ୍ରଥମ ବର୍ଷ ଅଳ୍ପ ପିଜୁଳି ଅମଳ ହୋଇଥିଲା । ତେବେ ଏହା ପରଠାରୁ ଗତ 3 ବର୍ଷ ହେଲା ପ୍ରତିବର୍ଷ ପିଜୁଳି ଅମଳ ଅଧିକରୁ ଅଧିକ ହେଉଛି । ବର୍ତ୍ତମାନ ନିଜ ଉଦ୍ୟମରେ ସେ ଚାରା ଉତ୍ପାଦନ କରି ଆହୁରି ଅଧିକ ଗଛ ଲଗାଇଛନ୍ତି । ମୋହନ ନିଜ ଜମିରେ 5ଶହ ଗଛ ଲଗାଇଥିବା ବେଳେ ସେଥିରୁ ବର୍ଷକୁ ପ୍ରାୟ 4ଟନ୍ ପିଜୁଳି ଉତ୍ପାଦନ ହେଉଛି । କିଲୋ 50ଟଙ୍କା ହିସାବରେ ସେ ବିକ୍ରି କରୁଥିବା ବେଳେ ବର୍ଷକୁ ପ୍ରାୟ 2ଲକ୍ଷ ଟଙ୍କା ରୋଜଗାର କରୁଥିବା କହିଛନ୍ତି ।
ଏହା ବ୍ୟତୀତ ବଳକା ଜମିରେ ପନିପରିବା ଚାଷ କରିବା ସହ ବିଭିନ୍ନ ପ୍ରକାର ଚାରା ଉତ୍ପାଦନ କରି ବିକ୍ରି କରୁଛନ୍ତି । ଏଥିର ମଧ୍ୟ ସେ ଭଲ ଦୁଇ ପଇସା ପାଉଥିବାରୁ ସେ ଖୁସିବ୍ୟକ୍ତ କରିଛନ୍ତି । ଦିନେ ପାରମ୍ପରିକ ଚାଷ ଦ୍ବାରା କ୍ଷତି ସହୁଥିବା ଏହି ଚାଷୀ ଜଣକ ଏବେ ପିଜୁଳି ଚାଷ ସାଙ୍ଗକୁ ଚାରା ଉତ୍ପାଦନ କରି ବେଶ ଲାଭବାନ ହୋଇପାରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ଆଖପାଖ ଗାଁର ଲୋକେ ତାଙ୍କୁ ଅନୁସରଣ କରିବା ଆରମ୍ଭ କରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, "ଧାନ ଚାଷ କରି ବର୍ଷତମାମ ପରିଶ୍ରମ କରିବା ପରେ ମଧ୍ୟ ଉଚିତ ମୂଲ୍ୟ ମିଳୁନାହିଁ । ଏପରିକି ବିକ୍ରି ବଟାରେ ସମସ୍ୟା ହେଉଛି । ତେଣୁ ଆମେ ବି ପାରମ୍ପରିକ ଚାଷକୁ ଛାଡି ଭିନ୍ନ କୌଣସି ଚାଷ କରିବାକୁ ଯୋଜନା କରୁଛୁ ।"
ପାରମ୍ପରିକ ଚାଷ ଠାରୁ ଦୂରେଇ ରହି ଉଦ୍ୟାନ କୃଷି ମାଧ୍ୟମରେ ଚାଷୀଙ୍କୁ ଉପକୃତ କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିବା ସହ ଏହା ମାଧ୍ୟମରେ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ସରକାରୀ ପ୍ରୋତ୍ସାହନ ଏବଂ ତାଙ୍କ ଇଚ୍ଛାଶକ୍ତି ଯୋଗୁଁ ସେ ଜଣେ ସଫଳ ପିଜୁଳି ଚାଷୀ ହୋଇପାରିଛନ୍ତି । ଅନ୍ୟମାନେ ମଧ୍ୟ ଉଦ୍ୟାନ କୃଷି କରିବା ପାଇଁ ଚାହିଁଲେ ସେମାନଙ୍କୁ ମଧ୍ୟ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଗଜପତି ଜିଲ୍ଲା ଉଦ୍ୟାନ କୃଷି ଉପନିର୍ଦ୍ଦଶେକ ଡ.ସୁଶାନ୍ତ ରଞ୍ଜନ ଦାଶ କହିଛନ୍ତି ।କଠିନ ପରିଶ୍ରମ, ଦୃଢ ଇଚ୍ଛାଶକ୍ତି ଓ ମନୋବଳ ମଣିଷକୁ ସଫଳତାର ଶିଖରକୁ ପହଞ୍ଚାଇଦିଏ । ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ମୋହନ ପାତ୍ର । ପିଜୁଳି ଚାଷ କରି ଭଲ ଦୁଇ ପଇସା ରୋଜଗାର କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ମୋହନ ।
ଇଟିଭି ଭାରତ, ଗଜପତି