ଗଜପତି: ପ୍ରଥମେ ବାତ୍ୟା 'ତିତଲି' ଆଉ ଏବେ ଅଦିନିଆ ବର୍ଷା । ଭାଙ୍ଗି ଦେଇଛି ଚାଷୀର ମେରୁଦଣ୍ଡ । ଚାଷ କାମ ଆରମ୍ଭ ପୂର୍ବରୁ ଚାଷୀ ମୁଣ୍ଡରେ ପଡିଯାଇଛି ଚଡକ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପଜନିତ 5 ଦିନର ଲଗାଣ ବର୍ଷାରେ ବେହାଲ ଗଜପତି ଜିଲ୍ଲା । ବର୍ଷା ତ ଛାଡିଯାଇଛି ହେଲେ ଏପର୍ଯ୍ୟନ୍ତ ଏହାର ପ୍ରଭାବ କମିନାହିଁ ।
ଗଜପତି ଜିଲ୍ଲାରେ ଲଗାଣ ବର୍ଷାରେ କେହି ମୃତ କିମ୍ବା ଆହତ ହୋଇନଥିବାବେଳେ ଅନେକ ପରିବାର ବାସହୀନ ହୋଇଛନ୍ତି । କେବଳ ସେତିକି ନୁହେଁ ଚାଷ ଜମି ନଷ୍ଟ ହେବା ସହ ଅନେକ ଗୃହପାଳିତ ପଶୁ ମୃତ୍ୟୁବରଣ କରିଛନ୍ତି । ସେହିପରି ଜିଲ୍ଲାର ରାୟଗଡା ବ୍ଲକରେ ଲଗାଣ ବର୍ଷା ଧୋଇଯାଇଛି ଫସଲ । ଏଥିସହିତ ବ୍ଲକର ଲାଇଲାଇ ପଞ୍ଚାୟତ ଓ ମର୍କଡା ନିକଟରେ ହୋଇଥିବା ବାଦଲ ଫଟା ବର୍ଷା ଯୋଗୁଁ ଭୂସ୍ଖଳନ ଘଟି ମାଟି ଅତଡା ଧସି ଚାଷ ଜମି ସବୁ ନଷ୍ଟ କରିଛି । ଏଥିରେ ପାଖାପାଖି 50 ଏକର ଚାଷ ଜମି ନଷ୍ଟ ହୋଇଯାଇଛି । ସେପଟେ ଏଭଳି ସ୍ଥିତିରେ ସରକାରଙ୍କ ସହାୟତାକୁ ଏକମାତ୍ର ବିକଳ୍ପ କହିଛନ୍ତି ଚାଷୀକୂଳ ।
ଗତବର୍ଷ ଅକ୍ଟୋବର ମାସରେ ହୋଇଥିବା ବାତ୍ୟା 'ତିତଲି'ରେ ଗଜପତି ଜିଲ୍ଲାର ରାୟଗଡ ବ୍ଲକ ସର୍ବାଧିକ କ୍ଷତି ସହିଥିଲା । ଏଥିରେ ଅନେକଙ୍କ ଜୀବନହାନି ଘଟିଥିବାବେଳେ ଅନେକ ନିଜ ଜୀବିକା ହରାଇଥିଲେ । କିଛି ଦିନ ପରେ ପୁଣି ଅଣ୍ଟା ସଳଖି ଛିଡା ହୋଇଥିବା ଚାଷୀ ପରିବାର ଚଳିତ ବର୍ଷ ଭଲ ଚାଷ କରି ଦୁଇ ପଇସା ରୋଜଗାରର ଆଶା ରଖିଥିବାବେଳେ ବର୍ଷା ପୁଣି ଥରେ ଚାଷୀକୂଳକୁ ଚିନ୍ତା ଦେଇଛି ।
ସେପଟେ ବର୍ଷା ଯୋଗୁଁ କେଉଁ ଅଞ୍ଚଳ କେତେ କ୍ଷତି ସହିଛି ତାହାର ରିପୋର୍ଟ ମାଗିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର । ରିପୋର୍ଟ ଆସିବା ପରେ ସରକାର କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ପ୍ରଶାସନ । ତେବେ ବାତ୍ୟା 'ତିତଲି'ରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏଯାବତ୍ କ୍ଷତିପୂରଣ ମିଳିନଥିବା ବେଳେ ଚଳିତ ଥର ପ୍ରଶାସନ କେତେ ସ୍ବଚ୍ଛ ସର୍ଭେ କରି କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ କରୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ