ଗଜପତି: ଡାକ୍ତରମାନେ ରୋଗୀଙ୍କୁ ନିଃସ୍ବାର୍ଥପର ଭାବେ ସେବା ଯୋଗାଉଛନ୍ତି । ତଥାପି କିଛି ଲୋକେ ଡାକ୍ତରଙ୍କୁ ଆକ୍ରମଣ କରିବା ସହ ମିଥ୍ୟା ମାମଲା ରୁଜୁ କରି ହଇରାଣ କରୁଛନ୍ତି । ଫଳରେ ଡାକ୍ତରମାନେ ରୋଗୀ ସେବା କରିବାରେ ସମସ୍ୟା ଦେଖାଦେଉଛି । ତେଣୁ ସରକାର ଏହାକୁ ଦୃଷ୍ଟିରେ ରଖି ଡାକ୍ତରଙ୍କୁ ସୁରକ୍ଷା ଯୋଗାଇବା ଦାବିରେ ଗଜପତି ଜିଲ୍ଲାର ଡାକ୍ତରମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଅତିଶୀଘ୍ର ଏହି ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଆଇଏମଏ ଗଜପତି ଜିଲ୍ଲା ଶାଖାର ସଭାପତି ଡ.ପ୍ରଦୀପ କୁମାର କହିଛନ୍ତି ।
ଡାକ୍ତରମାନଙ୍କ ଅଭିଯୋଗ ଅନୁସାରେ, ଗତ କିଛି ଦିନ ତଳେ ରାଜସ୍ଥାନର ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଜଣେ ମହିଳାଙ୍କ ପ୍ରସବ କରାଇଥିଲେ । ଏହାପରେ ପ୍ରଚୁର ରକ୍ତସ୍ରାବ ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଡାକ୍ତର ଜଣକ ବହୁ ଚେଷ୍ଟା କରିଥିଲେ ମଧ୍ୟ ସଂପୃକ୍ତ ମହିଳାଙ୍କୁ ବଞ୍ଚାଇ ପାରିନଥିଲେ । ଏହାପରେ ମହିଳାଙ୍କ ପରିବାର ଲୋକେ ଉକ୍ତ ମହିଳା ଡାକ୍ତରଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜ୍ଜୁ କରିଥିଲେ । ଏହାକୁ ସହ୍ୟ କରିନପାରି ଡାକ୍ତର ଜଣକ ଆତ୍ମହତ୍ୟା କରିଥିଲେ । ଏହା ଗୋଟିଏ ଘଟଣା ମାତ୍ର କିନ୍ତୁ, ଅନେକ ସମୟରେ ଲୋକେ ଡାକ୍ତରଙ୍କ ଉପରେ ଆକ୍ରମଣ କରିବା ସହ ନାହିଁନଥିବା ହଇରାଣ କରୁଛନ୍ତି । ଫଳରେ ଡାକ୍ତରମାନେ ରୋଗୀଙ୍କ ଚିକିତ୍ସା କରିବା ପାଇଁ ସାହସ କରିପାରୁନାହାନ୍ତି । ତେଣୁ ସରକାର ଏହା ଉପରେ ଦୃଷ୍ଟି ଦେଇ ଡାକ୍ତରଙ୍କ ସୁରକ୍ଷା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି । ଶନିବାର ଆଇଏମଏ ଗଜପତି ଜିଲ୍ଲା ଶାଖାର ସଦସ୍ୟମାନେ କଳାବ୍ୟାଚ୍ ପରିଧାନ କରି ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରି ଦାବିପତ୍ର ପ୍ରଦାନ କରିଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ