ଗଜପତି: ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ ଭାର ଏବେ କ୍ରାଇମବ୍ରାଞ୍ଚ ହାତରେ । ପାରଳାଖେମୁଣ୍ଡି ପୋଲିସର ବିଫଳତା ପରେ ରହସ୍ୟମୟ ମୃତ୍ୟୁର ଗୁମର ଫିଟାଇବାକୁ ଜୋର ଲଗାଇଛି ଟିମ୍ । ଆଜି(ଶୁକ୍ରବାର) କ୍ରାଇମବ୍ରାଞ୍ଚ ଗୁରାଣ୍ଡି ଥାନା ଅଧିକାରୀ ମମତା ରାଣୀ ପଣ୍ଡାଙ୍କୁ ଜେରା କରିଛି । ଦୀର୍ଘ ତିନି ଘଣ୍ଟାର ଜେରା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ପଦୁଟିଏ ଉତ୍ତର ରଖିନାହାନ୍ତି ଓଆଇସି । ଅନ୍ୟପଟେ SDPOଙ୍କ ନିର୍ଦ୍ଦେଶକ୍ରମେ ମମତା ରାଣୀ ତଦନ୍ତରେ ସହାୟତା କରିଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି ।
ସୌମ୍ୟଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ସନ୍ଦେହ ଘେରକୁ ଆସିଥିଲେ OIC ମମତା ରାଣୀ । ସୌମ୍ୟଙ୍କୁ ମେଡିକାଲ ନେଉଥିବା ଆମ୍ବୁଲାନ୍ସକୁ ଅଧାବାଟରେ ଅଟକାଇବା ଘଟଣାରେ ତାଙ୍କର ଭୂମିକା ସନ୍ଦେହ ବଢାଇଥିଲା । ଏନେଇ ସୌମ୍ୟଙ୍କ ପରିବାର ଲୋକେ ତାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ସେପଟେ ମାମଲାରେ OICଙ୍କ ହସ୍ତକ୍ଷେପ ନେଇ କୌଣସି ବିଭାଗୀୟ ନିର୍ଦ୍ଦେଶ ନ ଥିବା କହିଥିଲେ ଗଜପତିର ତତ୍କାଳୀନ ଏସପି ତପନ ପଟ୍ଟନାୟକ । ହେଲେ ଆଜିର ଜେରା ପରେ ପୁଣି ଆଉ ଏକ ତଥ୍ଯ ସାମ୍ନାକୁ ଆସିଛି ।
ମମତା ପଣ୍ଡା ବିଦ୍ୟା ଭାରତୀଙ୍କ ଜଣେ ଦୂର ସମ୍ପର୍କୀୟ ହୋଇଥିବାରୁ ବିଦ୍ୟା ମାଆଙ୍କ ଅନୁରୋଧ କ୍ରମେ ସେଦିନ ମେଡିକାଲ ଆସିଥିଲେ । ସେହିଭଳି ସୌମ୍ୟଙ୍କ ସରକାରୀ ବାସଭବନରେ ଘଟଣା ଦିନ ରାତିରେ ପୋଲିସ ବିଭିନ୍ନ ସାମଗ୍ରୀ ଜବତ କରୁଥିବାବେଳେ ପାରଳାଖେମୁଣ୍ଡି ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ସେ ସହଯୋଗ କରିଥିବା ଆଜି ଜେରା ସମୟରେ କ୍ରାଇମବାଞ୍ଚକୁ କହିଛନ୍ତି । କ୍ରାଇମବାଞ୍ଚ ଡିଏସପି ଏନେଇ ସୂଚନା ଦେଇଛନ୍ତି । ଯାହା ଏବେ ପୁଣି ପୁରା ମାମଲାକୁ ରହସ୍ୟମୟ କରିଛି । ଏପରିସ୍ଥଳେ କିଏ ସତ କହୁଛି ସେନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।
ତେବେ ପୂର୍ବରୁ କ୍ରାଇମବ୍ରାଞ୍ଚ ଟିମ ଡିଏଫଓଙ୍କ ଫାଟକ ଜଗୁଆଳୀ, ମାଳି ସମେତ ସୌମ୍ୟଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କୁ ପଚରାଉଚରା କରିଥିଲା । ଏହି କ୍ରମରେ ଆଜି ଟିମ୍ ଓଆଇସି ମମତା ରାଣୀ ପଣ୍ଡାଙ୍କୁ ମାରାଥନ ଜେରା କରିଛି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ