ପାରଳାଖେମୁଣ୍ଡି: ଓଡ଼ିଶାର ଭିତରେ ପଶି ଓଡିଶା କେନାଲ ସଫା କରୁଛି ଆନ୍ଧ୍ର । ଓଡ଼ିଶାର କ୍ଷୁଦ୍ର ଜଳ ସେଚନ ବିଭାଗ କେନାଲ ସଫା କରୁଛନ୍ତି ଆନ୍ଧ୍ର ଅଧିକାରୀ ଓ ଚାଷୀ । ଉପକୃତ ହେଉଛନ୍ତି ଉଭୟ ରାଜ୍ୟର ଲୋକେ । ଏପଟେ କିନ୍ତୁ କ୍ଷୁଦ୍ର ଜଳ ସେଚନ ବିଭାଗ ପ୍ରତ୍ୟେକ ବର୍ଷ କେନାଲ ସଫା ପାଇଁ ୧୬ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରୁଥିବା କହୁଛି । ହେଲେ ଓଡ଼ିଶା ସମୀରେ ପଶି ଆନ୍ଧ୍ରର କେନାଲ ସଫା କରିବାକୁ ନେଇ ସନ୍ଦେହ ଉପୁଜିଛି । ଓଡ଼ିଶା ଦଖଲ ପାଇଁ ଆନ୍ଧ୍ରପ୍ରଦେଶର ଏହା ଆଉ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ନୁହେଁ ତ । ଗୋଟିଏ ପଟେ ଭୂମି ଭୋକିଲା ପଡ଼ୋଶୀ ରାଜ୍ୟ ଅନ୍ୟପଟେ ନିଦାବିଷ୍ଣୁ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ପ୍ରଶ୍ନ ଉଠିଛି ।
ଓଡ଼ିଶାର କ୍ଷୁଦ୍ର ଜଳ ସେଚନ ବିଭାଗ କେନାଲ ସଫା କରୁଛନ୍ତି ଆନ୍ଧ୍ର ଅଧିକାରୀ ଓ ଚାଷୀମାନେ । ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଜଙ୍ଗଲପାଢୁ ଗ୍ରାମ ଦେଇ ଆନ୍ଧ୍ର ମୁହାଁ ହୋଇଥିବା କୃଷ୍ଟ ସାଗର କେନାଲଟିକୁ ପୁଣି ଆନ୍ଧ୍ର ପ୍ରଦେଶର ଅଧିକାରୀ ଓ ଚାଷୀ ସଫା କରୁଥିବା ଦେଖିବାକୁ ମିଳିଛି। ଏପଟେ କ୍ଷୁଦ୍ର ଜଳ ସେଚନ ବିଭାଗ ପ୍ରତ୍ୟେକ ବର୍ଷ ପାଖାପାଖି କେନାଲ ସଫା ପାଇଁ ୧୬ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରୁଥିବା କହୁଥିବା ବେଳେ ଏହାକୁ ନେଇ ପ୍ରଶ୍ନ ଉଠିଛି । ମୋଟ କେନାଲ ସଫା ବାବଦରେ ଖର୍ଚ୍ଚ ହେଉଥିବା ଟଙ୍କାରୁ କୃଷ୍ଣ ସାଗରର କେନାଲ ସଫା ପାଇଁ ୧୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଏବଂ ମହେନ୍ଦ୍ର ତନୟାର ଶାଖା କେନାଲ ସଫା କରିବା ପାଇଁ ୧୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରୁଥିବା କହିଛନ୍ତି । ହେଲେ ଏବେ ବି ଅନେକ କେନାଲର ପାଣି ପହଞ୍ଚୁ ନାହିଁ କି ସଫା ମଧ୍ୟ ହୋଇ ନାହିଁ । ଏପରି ସ୍ଥଳେ ବିଭାଗୀୟ କର୍ତ୍ତୃପକ୍ଷ ରାଜ୍ୟର କେନାଲ ତଥା ଜଳାଶୟ ଗୁଡ଼ିକ ପ୍ରତି କେତେ ଯତ୍ନବାନ ତାହା ସହଜରେ ଅନୁମେୟ ।
କ୍ଷୁଦ୍ର ଜଳ ସେଚନ ବିଭାଗର ଏପରି ଉଦାସୀନତା ମୋନ ଭାବ ଯୋଗୁଁ ଗୋଷାଣି ବ୍ଳକର ଚାଷୀମାନେ ନାହିଁ ନଥିବା ଅସୁବିଧାରେ ସମୁଖୀନ ହେଉଛନ୍ତି । କେଉଁଠି ଚାଷୀମାନେ କେନାଳ ସଫେଇ କରୁଛନ୍ତି ତ ଆଉ କେଉଁଠି ଆନ୍ଧ୍ରର ଅଧିକାରୀ ଓ ଚାଷୀମାନେ ଆସି ଓଡ଼ିଶା ତଥା ଗଜପତି ଜିଲ୍ଲା ସୀମାନ୍ତ କେନାଲ ଗୁଡିକ ସଫେଇ କରୁଥିବାର ବହୁ ଦେଖିବାକୁ ମିଳିଛି ।
ସ୍ଥାନୀୟ ଜଣେ ଚାଷୀ ବିନୋଦ ଜେନା କହିଛନ୍ତି, "ଏ ସମସ୍ୟା ନେଇ ବାରମ୍ବାର ଅଧିକାରୀଙ୍କ ଦ୍ବାରସ୍ଥ ହୋଇ ଅଭିଯୋଗ କରିଛୁ । ମାତ୍ର ସେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ସେଥିପାଇଁ ଆନ୍ଧ୍ରର ଅଧିକାରୀ ଓ ଚାଷୀମାନେ ଆସି ଓଡ଼ିଶା ଭିତରେ ପଶି ଓଡିଶା କେନାଲ ସଫା କରୁଛନ୍ତି । କେନାଳଗୁଡ଼ିକର ଆବଶ୍ୟକ ମରାମତି ଓ ରକ୍ଷଣାବେକ୍ଷଣ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ କରାଯାଉନାହିଁ । ବିଭାଗର ଖାମଖିଆଲି ନୀତି ଯୋଗୁଁ ସବୁପ୍ରକାର ବ୍ୟବସ୍ଥା ଏକପ୍ରକାର ଠପ୍ ହୋଇଯାଇଛି ।"
ତେବେ ଆନ୍ଧ୍ର ଅଧିକାରୀଙ୍କ ଏପରି ସଫେଇ କାର୍ଯ୍ୟ ନୂଆ ନୁହେଁ । ଏହି ଅଞ୍ଚଳରେ ବିଗତ ୩୦ରୁ ୪୦ ବର୍ଷ ଧରି କେନାଲର ରକ୍ଷଣାବେକ୍ଷଣ ଏବଂ ଜଙ୍ଗଲ ସଫା କରି ଆସୁଥିବା କହିଛନ୍ତି ଜଙ୍ଗଲପାଢ଼ୁ ଗ୍ରାମ ଚାଷୀ । ଜିଲ୍ଲାର ଗୋଷାଣି ବ୍ଳକରେ ଚାଷ କାର୍ଯ୍ୟ ପାଇଁ ଅନୁକୂଳ ବାତାବରଣ ସହ ସମତଳିଆ ଜମି, ଜଳସେଚନ ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ରହିଥିଲେ ହେଁ ବିଭାଗର ଖାମଖିଆଲି ନୀତି ଯୋଗୁଁ ସବୁପ୍ରକାର ବ୍ୟବସ୍ଥା ଅଚଳ ହୋଇ ଯାଇଛି । କ୍ଷୁଦ୍ର ଜଳସେଚନ ବିଭାଗର ଏପରି ଉଦାସୀନତା ତାହା ସ୍ପଷ୍ଟ ବାରି ହେଉଛି ।
ଏହି ବି ପଢନ୍ତୁ...Etv Bharat Special: ସଙ୍କଟରେ ଓଡିଆ ଭାଷା, ଗାଁରେ ଓଡିଆ କହୁନାହାନ୍ତି କି ବୁଝୁନାହାନ୍ତି
ଗୋଟିଏ ପଟେ ବିଭାଗୀୟ ଅଧିକାରୀମାନେ କେନାଲ ସଫା ପାଇଁ ୧୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରୁଥିବା କହୁଛନ୍ତି । ଅନ୍ୟପଟେ ସେହି କେନାଲ ଗୁଡ଼ିକକୁ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ଓ ଚାଷୀମାନେ ମଧ୍ୟ ସଫା କରୁଥିବା ନଜରକୁ ଆସିଛି। ତେବେ ସତରେ ଟଙ୍କା ଖର୍ଚ୍ଚ ହେଉଛି ନା ଅଧିକାରୀମାନଙ୍କ ପକେଟ୍କୁ ଯାଉଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ସରକାର ଯଦି ଏ ଦିଗରେ ଦୃଷ୍ଟି ନଦିଅନ୍ତି ତେବେ ଓଡିଶାର ସୀମାବର୍ତ୍ତୀ ଅଞ୍ଚଳ ହାତରୁ ଖସି ଯାଇପାରେ । ସରକାର କିମ୍ୱା ପ୍ରଶାସନ ତୁରନ୍ତ ପଦକ୍ଷେପ ନନିଅନ୍ତି ତେବେ ନିକଟସ୍ଥ ଗାଁ'ଗୁଡିକ ଆନ୍ଧ୍ରରେ ମିଶିବାକୁ ଆଉ ବେଶୀ ସମୟ ଲାଗିବନି ବୋଲି ଚାଷୀ ମତ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ଗଜପତି