ଗଜପତି : ପଶ୍ଚିମବଙ୍ଗରୁ ଉଦ୍ଧାର ଶିଶୁ କନ୍ୟା ଗଜପତିରେ ପହଞ୍ଚିଛି । ପଶ୍ଚିମବଙ୍ଗ ପୋଲିସ ଶିଶୁଟିରୁ ଉଦ୍ଧାର କରିବା ପରେ ଗଜପତି ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରିଛି । ପରବର୍ତ୍ତୀ ମୁହୂର୍ତ୍ତ ଭବାନୀର ଆବଶ୍ୟକ ଥଇଥାନ ଏବଂ ତାହାର ପରିବାର ପାଇଁ ଆବଶ୍ୟକୀୟ ସରକାରୀ ସହଯୋଗ ଯୋଗାଇବାକୁ ପ୍ରଶାସନ କାର୍ଯ୍ୟ ଆରମ୍ଭ କରିଛି ।
ଗତ ବର୍ଷ ମାର୍ଚ୍ଚରେ ଖଡଗପୁର ରେଳ ଷ୍ଟେସନ, ପଶ୍ଚିମବଙ୍ଗରୁ ଚାରି ବର୍ଷର ଶିଶୁ କନ୍ୟାକୁ ଭବାନୀକୁ ଉଦ୍ଧାର କରାଯାଇଛି । ମାର୍ଚ୍ଚ 15 ତାରିଖରେ ଶିଶୁ ଟିକୁ ଉଦ୍ଧାର ପରେ ଜିଆରପି ପୋଲିସ, ଖଡଗପୁର ଦ୍ବାରା ଶିଶୁ ମଙ୍ଗଳ ସମିତି, ପଶ୍ଚିମ ମେଦିନାପୁରରେ ଉପସ୍ଥାପନା କରାଯାଇଥିଲା । ଶିଶୁ ମଙ୍ଗଳ ସମିତିର ନିର୍ଦ୍ଦେଶ ମୁତାବକ ଭବାନୀ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର, ପଶ୍ଚିମ ମେଦିନାପୁରରେ ରହିଆସୁଥିଲା ।
ଶିଶୁଟିର ବୟସ ଖୁବ କମ ଥିବାରୁ ତାର ଠିକଣା ପାଇବା କଷ୍ଟ ହୋଇପଡିଥିଲା । କିନ୍ତୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ପଶ୍ଚିମ ମେଦିନାପୁର ତରଫରୁ ବାରମ୍ବାର ବିଭିନ୍ନ ଉପାୟରେ କାଉନସେଲିଂ ପାଇଲା ପରେ ଏକ ଅସ୍ପଷ୍ଟ ଠିକଣା ପୋଲିସ୍ ପାଇଥିଲା । ସେହି ଅସ୍ପଷ୍ଟ ଠିକଣାକୁ ନେଇ ପଶ୍ଚିମ ମେଦିନାପୁର ପ୍ରଶାସନ ପତ୍ର ମାଧ୍ୟମରେ ଗଜପତିରେ ପହଞ୍ଚିଥିଲା ।
ପରବର୍ତ୍ତୀ ସମୟରେ ଅସ୍ପଷ୍ଟ ଠିକଣାକୁ ନେଇ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବାରମ୍ବାର ଚେଷ୍ଟା ପରେ ଭବାନୀର ବାପାଙ୍କ ପାଖରେ ପହଞ୍ଚି ପାରିଥିଲା । ଏହି ଖବର ପତ୍ର ମାଧ୍ୟମରେ ପଶ୍ଚିମ ମେଦିନାପୁରର ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣାଇଲା ପରେ ସେଠାକାର ଏକ ଚାରିଜଣିଆ ପୋଲିସ୍ ଟିମ୍ ସହ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମାଜସେବୀ ରାଜୀବ ମଲ୍ଲିକ ଏବଂ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ଆୟା ଭବାନୀକୁ ନେଇ ସୁଦୂର ପଶ୍ଚିମ ମେଦିନାପୁରରୁ ପାରଳାଖେମୁଣ୍ଡିରେ ପହଞ୍ଚିଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ