ଢେଙ୍କାନାଳ: ସ୍ବାସ୍ଥ୍ୟକ୍ଷେତ୍ରକୁ ମଜଭୁତ କରିବାକୁ ସରକାର ଅନେକ ପଦକ୍ଷପ ନେଉଛନ୍ତି । ଅନେକ କାର୍ଯ୍ୟକ୍ରମ କରାଯାଉଛି । କିନ୍ତୁ ସରକାରଙ୍କ ସମସ୍ତ ଯୋଜନା କାଗଜ କଲମ ତଳେ ଦବି ରହିଯାଉଛି। ରାଜ୍ୟରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଏପରିକି ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ରାଜ୍ୟସରକାର ସ୍ୱାସ୍ଥ୍ୟ ବିଭାଗକୁ 5t ରେ ମଧ୍ୟ ସାମିଲ କରିଛନ୍ତି । ଏଥିରେ ସ୍ଥ୍ୱାସ୍ଥ୍ୟ ବିଭାଗ ମେଡିକାଲ ଗୁଡିକର ଭିତ୍ତିଭୂମି ସଯାଡିବା ସହ ଉନ୍ନତ ଯନ୍ତ୍ରପାତି ମହଜୁଦ ରଖୁଛନ୍ତି । କିନ୍ତୁ ତାହା ତଳ ସ୍ତରରେ ସଠିକ ଭାବେ କାର୍ଯ୍ଯକାରୀ ହେଇପାରୁ ନାହିଁ । ଯାହାର ଜ୍ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନଳ ଜିଲ୍ଲା ବିରାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ।
ଏହି ବିରାଶାଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଥିବା ସ୍ୱାସ୍ଥ୍ୟ କେନ୍ଦ୍ର ବିକଳ ଚିତ୍ର । ଯାହା ସରକାରଙ୍କ ଉନ୍ନତ ଚିକିତ୍ସକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ଗତ ୨୭ତାରିଖ ସୋମବାର ବିରାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିବାର ନିୟୋଜନ ପାଇଁ ଅପରେସନ କ୍ୟାମ୍ପ୍ ଥିଲା । ଦୀର୍ଘ ଦିନ ପରେ ଏହି ଡାକ୍ତରଖାନାରେ ଏହି ପରିବାର ନିୟୋଜନ ସ୍ୱତନ୍ତ୍ର ଶିବିର ହେଉଥିବାରୁ ମହିଳାଙ୍କ ବେଶ ଭିଡ ଲାଗିଥିଲା । ଏପରିକି ଅଞ୍ଚଳରୁ ୨୬ ଜଣ ମହିଳା ପରିବାର ନିୟୋଜନ ଅପରେସନ ପାଇଁ ଆସିଥିଲେ ।
ମାତ୍ର ହସ୍ପିଟାଲରେ ଭିତ୍ତିଭୂମି ଓ ବ୍ୟବସ୍ଥା ଉପରେ ଗୁରୁତ୍ୱ ନଦେଇ ଅତି ବେପରୁଆ ଭାବେ ଦାୟିତ୍ୱରେ ଥିବା ଡାକ୍ତର ସମସ୍ତ ମହିଳାଙ୍କର ପରିବାର ନିୟୋଜନ ଅପରେସନ କରିଥିଲେ । ଫଳରେ ଏହି ଗୋଟିଏ ଦିନରେ ୨୪ ଜଣ ମହିଳାଙ୍କ ଅପରେସନ କରିଥିବା ବେଳେ ଅସ୍ତ୍ର ପୋଚାର ହୋଇଥିବା ମହିଳା ମାନଙ୍କ ପାଇଁ ହସ୍ପିଟାଲରେ ବେଡ଼ ରହିବା ବାଧ୍ୟତାମୂଳକ ରହିଥିଲା। ମାତ୍ର ଡାକ୍ତର କି ହସ୍ପିଟାଲର ଅନ୍ୟ କର୍ମଚରୀ ଏହା ପ୍ରତି ଦୃଷ୍ଟି ଦେଇନଥିଲେ। ଏହି ଡାକ୍ତରଖାନାରେ ମୋଟ ମାତ୍ର ୧୦ଟି ବେଡ଼ ରହିଥିବା ବେଳେ ଅପରେସନ ପରେ ମହିଳାଙ୍କୁ ଅତି ଅସୁରକ୍ଷିତ ଭାବେ ଡାକ୍ତରଖାନା ବାରଣ୍ଡାରେ ଶୋଇଥିବା ଦେଖିବାକୁ ମିଳିଥିଲା।
ପରିବାର ନିୟୋଜନ ଭଳି ଏକ ଗୁରୁତର ଅସ୍ତ୍ରୋପଚାର ପରେ ପରିଷ୍କାର ପରିଚ୍ଛନତା ରହିବା ଆବଶ୍ୟକତା ରହିଛି । ମାତ୍ର ଏପରି କରୁଣ ଚିତ୍ର ସ୍ବାସ୍ଥ୍ୟକ୍ଷେତ୍ର ପ୍ରତି ଅଙ୍ଗୁଳି ନିକ୍ଷେପ କରିଛି । ଡାକ୍ତରଙ୍କ ଏଭଳି କାର୍ଯ୍ୟକଳାପ ସାଧାରଣରେ ତୀଵ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିବାପରେ ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଉପଜିଲ୍ଲାପାଳ କହିଛନ୍ତି, ଏ ବିଷୟରେ ଆମେ ଜିଲ୍ଲାପାଳଙ୍କୁ ଜଣେଇ ଦେଉଛୁ ଏବଂ CDMOଙ୍କ ଜରିଆରେ ଏକ ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଛି । ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।
ଇଟିଭି ଭାରତ, ଢେଙ୍କାନାଳ