ଢେଙ୍କାନାଳ: ଗତ ସପ୍ତାହରୁ ଢେଙ୍କାନାଳରେ ସାପ୍ତାହିକ ଦୁଇ ଦିନିଆ ସଟଡାଉନ ଆରମ୍ଭ ହୋଇଛି । ଏହା ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ । ତେବେ ଦ୍ବିତୀୟ ସପ୍ତାହରେ ଶନିବାର ଠୁ ସଟଡାଉନ ଆରମ୍ଭ ହୋଇଥିବାବେଳେ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି ।
ସଟଡାଉନ ମଧ୍ୟରେ ଢେଙ୍କାନାଳ ସହରରେ କିଛି ମାତ୍ରାରେ କୋହଳ ରହିଛି ପୋଲିସର କଟକଣା । ତଥାପି ଢେଙ୍କାନାଳ ବାସୀ ନିଜଆଡୁ ଜିଲ୍ଲା ପ୍ରଶାସନର ଏହି କଟକଣା ନିୟମକୁ ମାନିଛନ୍ତି । କିଛି ସ୍ଥାନରେ ମେଡ଼ିସିନ ଓ ଦୁଗ୍ଧ ଦୋକାନ ଖୋଲା ରହିଛି । ସାଧାରଣ ଗାଡି ମଟର ଚଳାଚଳ ସମ୍ପୂର୍ଣ ବନ୍ଦ ରହିଥିବାବେଳେ କେତେକ ଅମାନିଆଙ୍କୁ ବାଦ ଦେଲେ ସମ୍ପୂର୍ଣ୍ଣ ସହର ଖାଁ ଖାଁ ହୋଇଯାଇଛି ।
କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶନିବାର ଠୁ ୮ଟି ଜିଲ୍ଲାରୁ ଆସୁଥିବା ଲୋକଙ୍କ ପାଇଁ ଆହୁରି କଟକଣା ବଢ଼ାଇ ଦେଇଛନ୍ତି ଢେଙ୍କାନାଳ ଜିଲ୍ଲାପାଳ । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ବର, ଅନୁଗୁଳ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଆସୁଥିବା ଲୋକେ ଢେଙ୍କାନାଳ ଆସିଲେ ୧୪ ଦିନ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ପଡିବ ବୋଲି କଟକଣା ଜାରି କାରାଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ