ଢେଙ୍କାନାଳ: ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସିରେ ଦେଖାଦେଇଛି ଜଳକଷ୍ଟ। ନଦୀରେ ଜଳସ୍ତର କମିଯିବାରୁ ଜନସ୍ବାସ୍ଥ୍ୟ ବିଭାଗ ଗତ ଦୁଇମାସ ହେଲା ପାଇପ ପାଣି ଯୋଗାଇବାରେ ଏକ ପ୍ରକାର ବିଫଳ ହୋଇଛି।
ଦିନେ ଛାଡି ଦିନେ ପାଣି ଯୋଗାଉ ଥିବାରୁ ପାଣିକୁ ନେଇ ଅଞ୍ଚଳବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ମୂଖ୍ୟ ପାଇପ ଫାଟି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ନିକଟ ଜାତୀୟ ରାଜପଥ ୫୩ ଉପରେ ପାଣି ମାଡିଯାଉଥିଲେ ହେଁ ବିଭାଗୀୟ ଅଧିକାରୀଙ୍କର ନିଘା ନାହିଁ।
ଦୀର୍ଘ ବର୍ଷେ ହେବ ଏହି ପାଇପ ଫାଟି ରାସ୍ତାରେ ପାଣି ମାଡି ପାର୍ଶ୍ବରେ ପୋଖରୀ ହେଲାଣି। ହେଲେ ଜନସ୍ବାସ୍ଥ୍ୟ ବିଭାଗ ସ୍ଥାୟୀ ମରାମତି କରିବାରେ ବିଫଳ ହୋଇଛି। ସେପଟେ ପାଇପ ଫାଟିବାରୁ ଘରେ ଘରେ ମଇଳା ପାଣି ବ୍ୟବହାର ହେଉଛି। ଫଳରେ ବିଭିନ୍ନ ପେଟ ରୋଗର ଆଶଙ୍କା କରି ଏହି ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଛି। ଯାହା ଫଳରେ ଅଞ୍ଚଳବାସୀ ଏହାର ସ୍ଥାୟୀ ମରାମତି ପାଇଁ ଦାବି କରିଛନ୍ତି।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ