ଢେଙ୍କାନାଳ: NTPC ପାଇଁ ଅଧିକୃତ ଜମିକୁ ଇଡକୋକୁ ହସ୍ତାନ୍ତକର କରିବା ବିରୋଧରେ ଆନ୍ଦୋଳନ । ଲୁଚାଛପାରେ ପ୍ରଶାସନ ଜମି ହସ୍ତାନ୍ତର କରିଥିବା ଅଭିଯୋଗ । ଯାହାକୁ ନେଇ ତେଜୁଛି ଆନ୍ଦୋଳନ । ଢେଙ୍କାନାଳ ସହର ନିକଟରେ ପ୍ରସ୍ତାବିତ NTPC ଗଜମରା ତାପଜ ବିଦ୍ୟୁତ ପ୍ରକଳ୍ପ ବନ୍ଦ ହୋଇ ଯାଇଛି । ବର୍ତ୍ତମାନ NTPC ନେଇଥିବା ଜମିକୁ ଇଡ଼କୋକୁ ହସ୍ତାନ୍ତର ନେଇ କଥା ଉଠିଛି । ଏହାକୁ ନେଇ ତୀବ୍ର ପ୍ରତିବାଦ ଆରମ୍ଭ ହୋଇଛି । ଜମି ହରାଇ ଥିବା ଏହି ଅଞ୍ଚଳବାସୀ ୮ଦଫା ଦାବି ନେଇ ଆନ୍ଦୋଳନ କରିଛନ୍ତି ।
ତାଳବରକୋଟ, ସିଆରିଆ, ମଣିପୁର ଓ ପାତ୍ରଭାଗ ଆଦି ପଞ୍ଚାୟତରବାସୀ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଛନ୍ତି । ଏହାସହ ସେମାନେ ଦାବି କରିଛନ୍ତି, ଜମି ଇଡ଼କୋକୁ ହସ୍ତାନ୍ତର ନକରି ତୁରନ୍ତ ସେମାନଙ୍କୁ ପେରସ୍ତ କିମ୍ବା ଜମି ଅଧିଗ୍ରହଣ ସମୟରେ ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୁରଣ କରାଯାଉ । ନଚେତ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଫଳରେ ସରକାରଙ୍କ ପୁନର୍ବାସ ଓ ଥଇଥାନ ନୀତି ମୁତାବକ ଜମିହରା ପରିବାରର ବେକାର ଯୁବକ ବା ଯୁବତୀଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ ଦାବି କରାଯାଇଛି ।
ସୂଚନା ଥାଉକି, ଗତ ୨୦୧୧ ମସିହାରେ NTPC ପକ୍ଷରୁ ଢେଙ୍କାନାଳର ଗଜମରା ଅଞ୍ଚଳରେ NTPC ଗଜମରା ପାୱାର ପ୍ଲାଣ୍ଟ ବା ନ୍ୟାସନାଲ ଥରମାଲ ପାୱାର ପ୍ଲାଣ୍ଟ ପାଇଁ ରାଜ୍ୟ ସରକାରଙ୍କ ଏମଓୟୁ କରିଥିଲା । ଏଥିପାଇଁ ଏହି ଅଞ୍ଚଳରେ କାରଖାନା ପକ୍ଷରୁ 795.885 ଏକର ଜାଗା ଅଧିଗ୍ରହଣ କରିଥିଲା । ତାଳବରକୋଟ ଓ ସିଆରିଆ, ମାଣିପୁର ପଞ୍ଚାୟତରର ମାଣିପୁର, ପାତ୍ରଭାଗା ଓ ସପ୍ତଶଯ୍ୟା ପଞ୍ଚାୟତରର କିଛି ଅଞ୍ଚଳ ସାଙ୍ଗକୁ ଢେଙ୍କାନାଳ ପୌରାଞ୍ଚଳର ଗଜମରାର ଅଞ୍ଚଳବାସୀ ସେମାନଙ୍କ ଜମି ହରାଇଥିଲେ ।
ତେବେ ଜମିହରା ପରିବାରର ଜଣଙ୍କୁ ନିଯୁକ୍ତି, ପୁନର୍ବାସ ଓ ଥଇଥାନ ନୀତିରେ ଏହି ଅଂଚଳରେ ରାସ୍ତା ଘାଟ, ଆଲୋକୀକରଣ, ପାନୀୟ ଜଳ ଯୋଗାଣ , ସ୍ୱାସ୍ଥ୍ୟ ଓ ଶିକ୍ଷାର ଉନ୍ନତିକରଣ କରିବାପାଇଁ କମ୍ପାନୀ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା । ତେବେ ଅଞ୍ଚଳର ବିକାଶ ଓ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଲୋକେ ନିୟୋଜିତ ହେବେ ଫଳରେ ଅଞ୍ଚଳର ଆର୍ଥିକ ସମସ୍ୟା ସୁଧିରିବ । ମାତ୍ର 2ବର୍ଷ ବିତିଯାଇଥିଲେ ମଧ୍ୟ କାରଖାନା ହେବା ତ ଦୂରର କଥା, ଓଲଟା କାରଖାନା ବନ୍ଦ ହୋଇଛି । ଆଉ ଏହାର ସୁଯୋଗ ନେଇ ସରକାରଙ୍କ ଇଡ଼କୋକୁ ଜମି ହସ୍ତାନ୍ତର କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଆନ୍ଦୋଳନ ମୁଣ୍ଡ ଟେକିଛି ।
ଇଟିଭି ଭାରତ, ଢେଙ୍କାନାଳ