ଢେଙ୍କାନାଳ: ପାଣି ଟୋପାଏ ପାଇଁ ବହୁତ ଅସୁବିଧା ଭୋଗୁଛୁ । ଯାହାକୁ କହିଲେ ବି କେହି ଶୁଣୁ ନାହାଁନ୍ତି । ଜିଲ୍ଲାପାଳଙ୍କୁ ଭେଟିବାକୁ ଯାଇଥିଲେ ଫେରିଆସିଲେ । ବ୍ଲକରେ ବିଡିଓ ଶୁଣିଲେ ନାହିଁ । ସରପଞ୍ଚଙ୍କୁ ଜଣାଇଲା ପରେ ସେ କହିଲେ ଅର୍ଡର ଆସିନି । ପାଣି ମୁନ୍ଦେ ପାଇଁ 35 ପରିବାର ହନ୍ତସନ୍ତ ହେଉଛନ୍ତି । ଏପରି ଅଭିଯୋଗ ଆସିଛି ଢେଙ୍କନାଳ ଜିଲ୍ଲା କାମାକ୍ଷାନଗର ପଥରଖମ୍ବ ଗାଁରେ ।
ଖରାଦିନ ଆରମ୍ଭରୁ ଦେଖା ଦେଇଛି ଜଳକଷ୍ଟ । ପଥରଖମ୍ବା ହରିଜନ ସାହିରେ ପ୍ରାୟ 35ଟି ପରିବାର ବସବାସ କରନ୍ତି । ପିଇବା ପାଣି ମୁନ୍ଦେ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି 35 ପରିବାର । ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକରେ ଜଣାଇବା ପରେ ବି କିଛି ପଦକ୍ଷେପ ନିଆଯାଉନାହିଁ । ଏହି ଅସୁବିଧାର ସମାଧାନ ପାଇଁ ଆଜି ସକାଳୁ ହରିଜନ ସାହିର ମହିଳାମାନେ 53 ନମ୍ବର ଜାତୀୟ ରାଜପଥକୁ ଗରା ମାଠିଆ ରଖି ଅବରୋଧ କରିଛନ୍ତି ।
ରାସ୍ତା ଅବରୋଧ କରିବା ଫଳରେ ସକାଳୁ ଅନେକ ଗାଡି ଅଟକି ରହିଥିଲା । ପିଇବା ପାଣିର ସ୍ଥାୟୀ ବ୍ୟବସ୍ଥା ନ କରାଗଲେ ଅବରୋଧ ଜାରି ରହିବ ବୋଲି କହିଥିଲେ ମହିଳାମାନେ । ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ, ସ୍ଥାନୀୟ ସରପଞ୍ଚ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ