ଢେଙ୍କାନାଳ: ଶତାୟୁ ସ୍ବାଧୀନତା ସଂଗ୍ରାମୀଙ୍କ ପରଲୋକ । ୧୦୩ବର୍ଷ ବୟସରେ ଗତକାଲି(ମଙ୍ଗଳବାର) ସନ୍ଧ୍ୟାରେ ବ୍ରଜକିଶୋର ମହାପାତ୍ରଙ୍କର ପରଲୋକ ହୋଇଛି । ଢେଙ୍କାନାଳ ମୁଖ୍ୟ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।
ଗତ କିଛିଦିନ ହେବ ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ମଙ୍ଗଳବାର ସ୍ବାସ୍ଥ୍ୟାବସ୍ଥା ସଙ୍ଗୀନ ହେବା ଯୋଗୁଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ସନ୍ଧ୍ୟାରେ ବ୍ରଜକିଶୋର ମହାପାତ୍ରଙ୍କ ଦେହାନ୍ତ ହୋଇଥିଲା । ତାଙ୍କ ଦେହାନ୍ତ ଖବର ପାଇ ଜିଲ୍ଲା ପ୍ରଶାସନିକ ଅଧିକାରୀ, ରାଜନେତା, ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ, ସ୍ୱାଧୀନତା ପ୍ରେମୀ ଠାରୁ ଆରମ୍ଭକରି ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନ କର୍ମକର୍ତ୍ତା ସ୍ବର୍ଗତ ବ୍ରଜ ମହାପାତ୍ରଙ୍କ ଶେଷ ଦର୍ଶନ ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସା କେନ୍ଦ୍ରରେ ପହଞ୍ଚିଥିଲେ । ଆଜି ସକାଳେ ସଦର ବ୍ଲକ ଅନ୍ତର୍ଗତ କେଶରିଆ ଗ୍ରାମକୁ ଅଣାଯାଇଥିବା ବେଳେ ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ଦିଆଯାଇଛି । ସୂଚନା ଥାଉକି, ସ୍ବର୍ଗତ ବ୍ରଜବାବୁ ପ୍ରଜାମଣ୍ଡଳ ଆନ୍ଦୋଳନରେ ସାମିଲ ଥିଲେ । ୧୯୩୮ମସିହା ଅସହଯୋଗ ଆନ୍ଦୋଳନ ସମୟରେ ସହିଦ ହୋଇଥିବା ଢେଙ୍କାନାଳର ବାଜି ରାଉତଙ୍କ ଶୋଭଯାତ୍ରା ଠାରୁ ଆରମ୍ଭ କରି ତୁଳସୀପୁର କଟକ ସତୀ ଚଉରା ଶ୍ମଶାନ ଯାଏଁ ସାମିଲ ଥିଲେ ।
ଏହା ମଧ୍ୟ ପଢନ୍ତୁ: ଏକ ଯୁଗର ଅନ୍ତ, ଆଉ ନାହାନ୍ତି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଶ୍ଵନାଥ ଦାସ
ଅପରପକ୍ଷରେ ସ୍ୱର୍ଗତ ବ୍ରଜବାବୁ ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ବୈଷ୍ଣବ ପଟ୍ଟନାୟକ, ବ୍ରଜ ଧଳ ପ୍ରମୁଖ ସଂଗ୍ରାମୀ ମାନଙ୍କ ସଂଗ୍ରାମରେ ଉଡ଼ଭୁତ ହୋଇ ପ୍ରଜାମଣ୍ଡଳ ଆନ୍ଦୋଳନ ଜାହାସ ଦେଇଥିଲେ। ସେତବେଳର ଢେଙ୍କାନାଳର ରାଜା ଶଙ୍କର ପ୍ରତାପ ସିଂହଦେଓଙ୍କ ଅନୁସ୍ଥିତିରେ ତାଙ୍କ ଭାଇ ପଟାୟତଙ୍କ ଦ୍ଵାରା ନିର୍ମିତ ଯତନ ନଗର ନିର୍ମାଣରେ ଢେଙ୍କାନାଲର ପ୍ରଜାମାନଙ୍କୁ ଦେଉଥିବା ନିର୍ଯ୍ୟାତନା ବିରୁଦ୍ଧରେ ଲୋକମାନଙ୍କୁ ଏକଜୁଟ କରିବା ଉଦ୍ୟମ କରୁଥିଲେ । ଯାହାକି ପ୍ରଜା ମଣ୍ଡଳ ଆନ୍ଦୋଳନକୁ ଆହୁରି ଖୋରାକ ଯୋଗାଇଥିଲା । ଫଳରେ ପୋଲିସ ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ଜାଗାରେ ଚଢ଼ାଉ ଯୋଗୁଁ ବ୍ରଜ ବାବୁ ଦୀର୍ଘବଦିନ ଲୁଚି ଛପି ସଂଗ୍ରାମୀମାନଙ୍କୁ ଉତ୍ସାହିତ କରିଥିଲେ । ଅପରପକ୍ଷରେ ସ୍ୱାଧୀନତା ସଂଗ୍ରାମୀ ଭତ୍ତାକୁ ସରକାରଙ୍କୁ ଫେରାଇ ନିଜର ସ୍ୱାଭିମାନ ଓ ଜଣେ ସଚା ଦେଶପ୍ରେମୀ ଭାବେ ପରିଚୟ ସୃଷ୍ଟି କରିଥିଲେ । ଏହା ସହ ସ୍ୱାଧୀନତା ପରେ ଜଣେ ସମାଜ ସେବା ପାଇଁ ତାଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଥିଲା । ଆଜି ନିଜ ବାସଭବନ କେଶେରିଆ ଠାରେ ଶେଷ କୃତ୍ୟ ସଂପନ୍ନ କରାଯାଇଛି।
ଇଟିଭି ଭାରତ, ଢେଙ୍କାନାଳ