ଢେଙ୍କାନାଳ: ଅଭିନବ ଉପାୟରେ ଗହଣା ଦୋକାନରୁ ଲୁଟବେଳେ ଧରାପଡିଲେ ଦୁଇ ମହିଳା । ଲୁଟବେଳେ ଦୁଇ ମହିଳାଙ୍କୁ କାବୁ କରି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ । ଢେଙ୍କାନାଳ ସହର ଗାନ୍ଧିମନ୍ଦିର ରୋଡ଼ର ଜୁଏଲରୀ ଦୋକାନରୁ ହେଉଥିଲା ଏହି ଲୁଟ ।
ଗ୍ରାହକ ହୋଇ ଚଞ୍ଚକତାର ସହ ଗହଣା ଦୋକାନରୁ କରୁଥିଲେ ଲୁଟ । ଆଉ ଦୋକାନରେ ସିସିଟିଭି ନ ଥିବାର ସୁଯୋଗ ନେଇ ଗୋଟିଏ ପରେ ଗୋଟିଏ ଅଳଙ୍କାର ଲୁଟ କରୁଥିବାବେଳେ ଧରାପଡ଼ିଗଲା ତାଙ୍କର ଚାଲ । ଫଳରେ ସ୍ଥାନୀୟ ଲୋକଙ୍କ ଦ୍ୱାରା କାବୁ ହୋଇଗଲେ ଗ୍ରାହକ ହୋଇ ଲୁଟ କରୁଥିବା ଏହି ଦୁଇ ମହିଳା ।
ଢେଙ୍କାନାଳ ସହର ଗାନ୍ଧିମନ୍ଦିର ରୋଡ଼ରେ ଥିବା ସୁନିତା ଜୁଏଲରୀରୁ ଏପରି ଅଭିନବ ଉପାୟରେ ଲୁଟ କରୁଥିବା ଦୁଇ ମହିଳାଙ୍କୁ ଟାଉନ ଥାନା ପୁଲିସ ଅଟକ ରଖିଛି । ଅଟକ ରହିଥିବା ଏହି ଦୁଇ ମହିଳା କଟକ ସିଡିଏ ଓ ଅଲିଶା ବଜାର ଅଞ୍ଚଳର ବୋଲି କହୁଛନ୍ତି । ଏମାନେ ଗୋଟିଏ ସ୍କୁଟିରେ ଯାଇ ଢେଙ୍କାନାଳ ସହରର କେତେକ ଗହଣା ଦୋକାନରେ ଗ୍ରାହକ ଭାବେ ଗହଣା କିଣିବା ବାହାନା କରି ଲୁଟ ଉଦ୍ୟମ କରିଛନ୍ତି ।
ତେବେ ସୁନିତା ଜୁଏଲରୀ ୱାର୍କସପରେ ସିସିଟିଭି ନଥିବା ସୁଯୋଗରେ ଏପରି ଲୁଟ କରିଥିବା ଅନୁମାନ କରାଯାଇଛି । ଏସମ୍ପର୍କରେ ଗହଣା ଦୋକାନୀ ମାଲିକଙ୍କ ପକ୍ଷରୁ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।
ତେବେ ସେମାନଙ୍କ ଠାରୁ ଏକ ସ୍କୁଟି, କିଛି ପାଉଁଜି, ସୁନା ମୁଦି, ଗୋଡ଼ ମୁଦି ଆଦି ଅଳଙ୍କାର ଉଦ୍ଧାର କରାଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ