ଢେଙ୍କାନାଳ:କପିଳାଶ ଅଭୟାରଣ୍ୟରୁ ବନ୍ଧୁକ, ଧନୁତୀର ଓ ଶିକାରୀ ସରଞ୍ଜାମ ସହ ଦୁଇ ଶିକାରୀ ଗିରଫ । ଜିଲ୍ଲାରେ ବନ୍ୟଜନ୍ତୁ ଶିକାରୀମାନେ ସକ୍ରିୟ ହୋଇପଡିଥିବାବେଳେ ବନବିଭାଗ ପକ୍ଷରୁ ଧରପଗଡ଼ ଜୋର କରାଯାଇଛି ।
ବିଶେଷ କରି ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ କପିଳାଶ ଓ ଷଢଙ୍ଗୀ ବନାଞ୍ଚଳର ତନାଘନା ଚଢ଼ାଉ ଜାରି ରହିଛି । ଫଳରେ କପିଳାଶ ଅଭୟାରଣ୍ୟରୁ ଶିକାର ପାଇଁ ଯାଇଥିବା ଦୁଇ ଶିକାରୀଙ୍କୁ ଗିରଫ କରିଛନ୍ତି କପିଳାଶ ବନକର୍ମଚାରୀ ।
ତାଙ୍କଠାରୁ ଗୋଟିଏ ଗୁଳି ଭର୍ତି ବନ୍ଧୁକ, ଧନୁ ଓ ୧୦ଟି ତୀର ତଥା ଶିକାରୀ ସରଞ୍ଜାମ ଆଦି ଜବତ କରାଯାଇଛି । ଗିରଫ ଦୁଇ ଶିକାରୀ ହେଲେ ଟୁନା କାରୁଆଡ଼ା ଓ ଟୁଇଁ କୋକଡାକେଲ ।
ଉଭୟଙ୍କ ଘର ଗଁନ୍ଦିଆ ଥାନା ଅନ୍ତର୍ଗତ ରାମେଇ ଖମାର ଗ୍ରାମରେ ବୋଲି ଜଣାପଡିଛି । ଏମାନେ କପିଳାଶ ଅଭୟାରଣ୍ୟରୁ ପଶୁପକ୍ଷୀ ଶିକାର କରିଥାନ୍ତି ବୋଲି ବନବିଭାଗ ପ୍ରାଥମିକ ତଦନ୍ତରୁ ଜାଣିପାରିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ